ଘୁ.ଉଦୟଗିରି: ଶ୍ରାବଣ ମାସ ସରିଲା ପରେ ବି ସିର୍କୀ ଡ୍ୟାମ୍ ଶୁଖିଲା। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଓ ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ହେଉଛି ସିର୍କୀ ଜଳଭଣ୍ଡାର। ଚାଷୀଙ୍କ ଭାତହାଣ୍ଡିକୁ ବର୍ଷସାରା ଜଳ ଯୋଗାଇଥାଏ ଏହି ଜଳଭଣ୍ଡାର। ତେବେ ପାଣିପାଗରେ ଅହେତୁକ ପରିବର୍ତ୍ତନ ଓ ନିଅଣ୍ଟିଆ ବର୍ଷା କାରଣରୁ ଏଠାରେ ଆଉ ପୂର୍ବଭଳି ପାଣି ରହୁନି। ଦିନକୁ ଦିନ ଡ୍ୟାମ୍ର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ପ୍ରତିବର୍ଷ ଶ୍ରାବଣରେ ସିର୍କୀ ଡ୍ୟାମ୍ ପାଣି ଉଛୁଳୁଥିଲା। ଏ ବର୍ଷ କିନ୍ତୁ ବ୍ୟତିକ୍ରମ। ପାଣି ନାହିଁ, ଜମିକୁ ପାଣି ପହଞ୍ଚୁନି। ଡ୍ୟାମ୍ ନିର୍ମାଣ ପରଠାରୁ ପ୍ରଥମଥର ଏଭଳି ଦେଖିବାକୁ ମିଳିଛି। ପାହାଡ଼ ଉପରୁ ଏହି ଡ୍ୟାମ୍କୁ ଏକାଧିକ ଜଳସ୍ରୋତ ଲମ୍ବି ଆସିଛି। ହେଲେ ଏଥର ଆଖିଦୃଶିଆ ବର୍ଷା ନ ହେବାରୁ ଜଳଉତ୍ସଗୁଡ଼ିକରେ ପ୍ରଖର ସ୍ରୋତ ନାହିଁ। ସ୍ବଳ୍ପବର୍ଷା ସାଙ୍ଗକୁ କ୍ଷୁଦ୍ର ଜଳସେଚନ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ସମସ୍ୟା ଦ୍ୱିଗୁଣିତ ହୋଇ ଯାଇଥିବା ଅଭିଯୋଗ ହୋଇଛି।
ଡ୍ୟାମ୍ରୁ କେନାଲକୁ ପାଣି ଛାଡ଼ିବା ନିମନ୍ତେ ଖଞ୍ଜା ଯାଇଥିବା ଯନ୍ତ୍ରର ଚାବି ହଜିଯାଇଛି। ଯାହାଫଳରେ ଅନାବଶ୍ୟକ ଭାବେ ଜଳ ନଷ୍ଟ ହେବାରେ ଲାଗିଛି। ପାଣି ଅଳ୍ପ ଥିବା ବେଳେ ଅହରହ ଡ୍ୟାମ୍ ବାହାରକୁ ବହି ଚାଲିଛି। ସିର୍କୀ ଡ୍ୟାମ୍ରୁ ଘୁ.ଉଦୟଗିରିକୁ ପାନୀୟଜଳ ଯୋଗାଣ ହେଉଛି। ଡ୍ୟାମ୍ରେ ଖୋଳା ଯାଇଥିବା ଇନ୍ଟେକ୍ ୱେଲକୁ ପାଣି ଆସିବା ନିମନ୍ତେ ଖୋଳା ଯାଇଥିବା କେନାଲ୍ ଏବେ ଶୁଖିଗଲାଣି। କେନାଲରେ ପାଣି ବନ୍ଦ ଯୋଗୁଁ ଡ୍ୟାମ୍ ଭିତରକୁ ପାଇପ ପକାଯାଇ ମୋଟର ସାହାଯ୍ୟରେ ପାଣି ଉଠାଯାଉଛି। ବର୍ତ୍ତମାନ ଡ୍ୟାମ୍ର ଯାହା ସ୍ଥିତି, କିଛି ଦିନ ଭିତରେ ପାଣି ସମ୍ପୂର୍ଣ୍ଣ ଶୁଖିଯିବାର ସମ୍ଭାବନା ଦେଖାଦେଇଛି। ଆଗାମୀ କିଛି ଦିନ ଭିତରେ ନିୟମିତ ବର୍ଷା ନହେଲେ ଘୁ.ଉଦୟଗିରି ସମେତ ଆଖପାଖର ପ୍ରାୟ ୨୦ ହଜାର ଲୋକେ ପ୍ରଭାବିତ ହେବେ ବୋଲି କୁହାଯାଉଛି।
Follow Us