ଶ୍ରୀମନ୍ଦିରରେ ଦୁଧମେଲାଣି ନୀତି

ଗତକାଲିର ବନକଲାଗି ଯୋଗୁ ନୀତି ବିଳମ୍ବ, ସାଢ଼େ ୬ଟାରେ ହେଲା ଦ୍ବାରଫିଟା

ଶ୍ରୀମନ୍ଦିରରେ ଦୁଧମେଲାଣି ନୀତି

ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ଦିନ ଦୁଧମେଲାଣି ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ଗୁରୁବାର ଦ୍ବିପ୍ରହର ଧୂପ ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ସୁସଜ୍ଜିତ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜଗନ୍ନାଥ ଭଲ୍ଲଭ ବିଜେ କରିଥିଲେ। ପରେ ଜଗନ୍ନାଥ ବଲ୍ଲଭରେ ପୂର୍ବରୁ ବନ୍ଧା ହୋଇଥିବା ଗାଈଠାରୁ ଏକ ରୁପା ପିଙ୍ଗଣରେ କ୍ଷୀର ଦୁହାଁ ହେବା ପରେ ଏହାକୁ ଦୁଇଟି ପାତ୍ରରେ ରଖାଯାଇଥିଲା। ପରେ ଗୋଟିଏ ପାତ୍ରକୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ନିକଟରେ ମଣୋହି କରାଯାଇଥିଲା। ଅନ୍ୟ ପାତ୍ରଟି ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଭିତରଚ୍ଛଙ୍କ ସହ ଅନ୍ୟ ସେବକମାନେ ଏହି ନୀତି ସଂପନ୍ନ କରିଥିଲେ। ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ପାଲିଙ୍କିରେ ପୁନର୍ବାର ଶ୍ରୀମନ୍ଦିର ଫେରି ଆସିଥିଲେ। ଶ୍ରୀମନ୍ଦିରକୁ ଯାଇଥିବା କ୍ଷୀରରେ ମକର ସଂକ୍ରାନ୍ତିରେ ମକର ଚା‌ଉଳ ପ୍ରସ୍ତୁତ ହେବ। ସେପଟେ ଗୁରୁବାର ଦିନ ଗୁରୁବାର ମାଜଣା ଓ ଏକାନ୍ତ ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି।

publive-image

ଅନ୍ୟପଟେ ଗତକାଲି ମହାପ୍ରଭୁଙ୍କ ବନକଲାଗି କରାଯାଇଥିଲା। ଶ୍ରୀମୁଖ ସିଂହାର ହୋଇଥିଲା। ବନକଲାଗି ନୀତି ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବା ପରେ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ରାତି ୧୦ଟାରେ ଶେଷ ହୋଇଥିଲା। ଏଣୁ ରାତି ୧୦ଟା ୫ରେ ମଇଲମ ପରେ ବେଶ ହୋଇ ସଂଧ୍ୟା ଆଳତି ନୀତି ବଢ଼ିଥିଲା। ରାତି ୧ଟା ୧୦ରେ ସଂଧ୍ୟା ଧୂପ ଶେଷ ପରେ ଚନ୍ଦନଲାଗି ନୀତି ବଢ଼ିଥିଲା। ରାତି ୩ଟାରେ ବଡ଼ସିଂହାର ବେଶ, ୩ଟା ୨୫ରେ ବଡ଼ସିଂହାର ଭୋଗ, ୩ଟା ୪୫ରେ ଟୋପର ଲାଗି ପରେ ଭୋର ୪ଟାରେ ରାତ୍ର ପହୁଡ଼ ହୋଇଥିଲା। ଯେଉଁଥିପାଇଁ ଆଜି ସକାଳ ସାଢ଼େ ୬ଟା ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe