ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସ କରାଇଲେ ପ୍ରସବ, ନବଜାତକର ମୃତ୍ୟୁ ନେଇ ଉତ୍ତେଜନା

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସ କରାଇଲେ ପ୍ରସବ, ନବଜାତକର ମୃତ୍ୟୁ ନେଇ ଉତ୍ତେଜନା

The New Indian Express

ବାଲେଶ୍ବର: ବାଲେଶ୍ବର ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏକ ନବଜାତ ଶିଶୁର ମୃତ୍ୟୁକୁ ନେଇ ଆଜି ସକାଳେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଟାଉନ ଥାନା ପୁଲିସ ସେଠାରେ ପହଁଚି ଘଟଣାକୁ ପ୍ରଶମିତ କରିଥିଲା।

ଗତକାଲି ବିଳମ୍ବିତ ରାତି‌ରେ ସୋର ଥାନା ସରସଙ୍ଖ ଅଞ୍ଚଳର ଦିବ୍ୟଜ୍ୟୋତି ଓଝା ତାଙ୍କ ପତ୍ନୀ ଉପମା ଓଝାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଉପମାଙ୍କର ଗର୍ଭ ଯନ୍ତ୍ରଣା ଅଧିକ ହୋଇଥିଲା। ହେଲେ ଏହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଅନୁପସ୍ଥିତ ଥିଲେ। ତେଣୁ ରାତି ପ୍ରାୟ ୩ରୁ ୩ଟା ୨୦ ମଧ୍ୟରେ ଡ୍ୟୁଟିରେ ଥିବା ନର୍ସ ତାଙ୍କର ନବଜାତ ଶିଶୁପୁତ୍ରକୁ ଜନ୍ମ କରାଇବାରେ ସଫଳ ହୋଇଥିଲେ। ପିଲାଟିର ଓଜନ ପ୍ରାୟ ୪ କେଜି ରହିଥିଲା। କିନ୍ତୁ ଜନ୍ମର କିଛି ସମୟ ପରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା। ବିଶେଷ କରି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଅନୁପସ୍ଥିତ ରହିବା ଓ କାର୍ଯ୍ୟରତ ନର୍ସ ଦ୍ବାରା ପିଲାଜନ୍ମ କରାଯିବାରୁ ଏପରି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରି ହୋହଲ୍ଲା କରିଥିଲେ। ପୁଲିସ ପହଁଚି ସେମାନଙ୍କ ସହ ଆଲୋଚନା କରି ଘଟଣାକୁ ଶାନ୍ତ କରିଥିଲା।

ତେବେ ଅବହେଳା ଯୋଗୁଁ ଶିଶୁପୁତ୍ରର ମୃତ୍ୟୁ ହେଲା ବୋଲି ଦିବ୍ୟଜ୍ୟୋତି ଥାନାରେ ଅଭିଯୋଗ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଡାକ୍ତରଙ୍କ ଡ୍ୟୁଟି ଚାର୍ଟରେ ଓମ‌୍ ଅଭିଷେକ ଦାସ ଓ ଡାକ୍ତର ସମ୍ବେଦନା ପାଣିଗ୍ରାହୀଙ୍କ ଡ୍ୟୁଟି ରହିବାର ଉଲ୍ଲେଖ ଥିଲା। ହେଲେ ସେମାନଙ୍କ ଅନୁପସ୍ଥିତିକୁ ନେଇ ଲୋକେ ତାତିଥିଲେ।

ଘଟଣା ବଢ଼ିବା ପରେ ବଡ଼ ଡାକ୍ତରଖାନା ତଥା ମେଡିକାଲ କଲେଜ ହସ୍ପିଟାଲର ପ୍ରାଶାସନିକ ଅଧିକାରୀ ମନୋରମା ଭୂୟାଁ ପହଞ୍ଚି ଦିବ୍ୟଜ୍ୟୋତି ଓ ତାଙ୍କ ସମ୍ପର୍କୀୟଙ୍କୁ ବୁଝାଇଥିଲେ। ଶ୍ରୀମତୀ ଭୂୟାଁଙ୍କ କହିବାନୁସାରେ, ବୋର୍ଡରେ ସହକାରୀ ପ୍ରଫେସରଙ୍କ ନାମ ରହିଛି, କିନ୍ତୁ ତାଙ୍କ ଅଧିନରେ ଥିବା ଡା. ରୀତା ଗାନ୍ଧୀ ଗର୍ଭବତୀ ମହିଳାଙ୍କୁ ଦେଖି ପ୍ରସବ ସମୟରେ ଉପସ୍ଥିତ ଥିଲେ। କିନ୍ତୁ ଲେବର ରୁମ ବାହାରେ ଥିବା ଡ୍ୟୁଟି ବୋର୍ଡ ମେ ମାସରୁ ଅପଡେଟ୍‌ ନହେବା ଓ ଘଟଣା ପରେ ତରବରିଆ ଭାବେ ଅନ୍ୟ ଏକ ବୋର୍ଡରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ନାମ ଲେଖାଯିବାକୁ ନେଇ ଅଭିଯୋଗ ଉଠିବା ପରେ ଏହାର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି। ତତ୍‌ସହ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବୋର୍ଡ କାହିଁକି ଅପଡେଟ କରୁନାହାନ୍ତି ସେନେଇ କୈଫିୟତ ତଲବ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe