ଜେସିବି ଲଗାଇ ନଦୀବନ୍ଧ ଖୋଳିଲେ

Advertisment
ଜେସିବି ଲଗାଇ ନଦୀବନ୍ଧ ଖୋଳିଲେ

ଦଶରଥପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ରେ ଗତବର୍ଷ ବନ୍ୟା ସମୟରେ କେଲୁଅ ନଦୀବନ୍ଧକୁ ବିସ୍ଫୋରଣରେ ଉଡ଼ାଇ ବିରାଟ ଘାଇ କରାଯାଇଥିଲା। ଏଥର ଦଶରଥପୁରରେ ଜେସିବିରେ ବୈତରଣୀ ନଦୀବନ୍ଧକୁ ତାଡ଼ି କିଛି ଖଳ ପ୍ରକୃତିର ଲୋକ ଘାଇ କରିବାକୁ ଉଦ୍ୟମ କରିଛନ୍ତି। ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିବା ସହ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି। ଠିକାକାମ ପାଇଁ ଘାଇ ସୃଷ୍ଟି କରି ଲୋକଙ୍କୁ ମରଣ ମୁହଁକୁ ଠେଲିଦେବାକୁ ଉଦ୍ୟମ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଦଶରଥପୁର ବ୍ଲକ୍‌ ଜୟନ୍ତରା ପଞ୍ଚାୟତ ଅନ୍ତର୍ଗତ ପାଟପୁର ଠାରେ କିଛିଲୋକ ଜେସିବି ଲଗାଇ ବୈତରଣୀ ନଦୀବନ୍ଧକୁ ଖୋଳୁଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରିବା ପାଇଁ ଗୁରୁବାର ରାତିରେ ନଦୀବନ୍ଧ ନିକଟରେ ପହଞ୍ଚିଥିଲେ। ଜେସିବିରେ ନଦୀବନ୍ଧ ତାଡୁଥିବା ଯୁବକମାନେ ସେଠାରେ କିଛି ବାଲିବସ୍ତା ପକାଇ ଚାଲିଯାଇଥିଲେ। ସଂପୃକ୍ତ ସ୍ଥାନର ଭିଡିଓ ଉତ୍ତୋଳନ କରିବା ସହ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ବୈତରଣୀ ନଦୀରେ ବନ୍ୟା ଯୋଗୁଁ ୨୦୧୪ ମେ୨୨ ତାରିଖରେ ପାଟପୁର ଠାରେ ପ୍ରାୟ ୨୦୦୦ ଫୁଟର ଘାଇ ହୋଇଯାଇଥିଲା । ଏଥିରେ ୧୯ଟି ପଞ୍ଚାୟତର ହଜାରହଜାର ଲୋକେ ଜଳବନ୍ଦୀ ହେବା ସହ ବ୍ୟାପକ କ୍ଷତି ଘଟିଥିଲା। ଯେଉଁ ସ୍ଥାନରେ ଘାଇ ହୋଇଥିଲା ସେହିଠାରେ ହିଁ ଗତ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ କୌଣସି କାରଣ ନଥାଇ ଜେସିବିରେ ଖୋଳାଯିବାରୁ ଗାଁ ଲୋକେ ସନ୍ଦେହ କରିଥିଲେ । ବନ୍ଧର କିଛି କିଛି ସ୍ଥାନରେ ଖୋଳି ବାଲିବସ୍ତା ପକାଇ ଜଳସମ୍ପଦ ବିଭାଗରୁ ବିଲ୍‌ କରିବା ପାଇଁ କିମ୍ବା‌ ଆଗାମୀ ଦିନରେ ଠିକାକାମ ପାଇବା ଲାଗି ଏଭଳି କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଧିରେନ କୁମାର ପାଣିଙ୍କୁ ପଚାରିବାରେ ବର୍ଷା ପାଇଁ କିଛି ସ୍ଥାନ ଧୋଇଯାଇଥିବାରୁ ବାଲିବାସ୍ତା ପକାଯାଉଥିଲା । ୨ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଥାନାରେ ଅଭିଯୋଗ ହୋଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe