ଭୁବନେଶ୍ୱର : ସରିଛି ଶରତର ମହାପର୍ବ। ପାଞ୍ଚଦିନ ଧରି ରାଜ୍ୟର ପ୍ରାୟ ଅଢ଼େଇ ହଜାର ପୂଜା ମଣ୍ଡପରେ ଲାଗିଥିଲା ମା’ ଜଗଜ୍ଜନନୀଙ୍କ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା। ଜମିଥିଲା ଗହଳି। ଝଲସୁଥିଲା ଅଞ୍ଚଳ। ମା’ଙ୍କ ମନ୍ତ୍ର ଓ ସ୍ତୁତିରେ ଗହଗହ ଭରିଥିଲା ଆକାଶ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଥିଲା ମଞ୍ଚ। ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଓ ଆତସବାଜିରେ ଚମକିଥିଲା ମେଘୁଆ ଆକାଶ।
ହେଲେ ବିଜୟା ଦଶମୀ ରାତିରେ ବିସର୍ଜନ ବିଧି ପରେ ବଦଳି ଯାଇଛି ଚିତ୍ର। ମା’ଙ୍କୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁମାନେ। କିଛି ଆଖିରେ ଲୁହ ଆସିଛି, ଓଜନିଆ ହୋଇଛି ଛାତି। କାରଣ ପୁଣି ବର୍ଷେ ଅପେକ୍ଷା କରିବାକୁ ହେବ। ପୁଣି ଆଶ୍ୱିନକୁ ଚାହିଁ ରହିବାକୁ ପଡ଼ିବ। ହେଲେ ମା’ଙ୍କ ଏହି ବିଦାୟ ପର୍ବକୁ ବି ବେଶ୍ ଉଲ୍ଲାସ ଓ ଉତ୍ସାହର ସହ ଧୁମଧାମରେ ପାଳନ କରିଛନ୍ତି ରାଜ୍ୟବାସୀ। ଭସାଣୀ ଶୋଭାଯାତ୍ରାରେ କଂପିଛି ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟ। ପାରମ୍ପରିକ ବାଦ୍ୟ ସହ ଆଧୁନିକ ଡିଜେ ଓ ପାଶ୍ଚାତ୍ୟ ନୃତ୍ୟଗୀତରେ ଦୁଲୁକିଛି ସହର ବଜାର।
ବର୍ଷା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ଦଶହରା ଫିକା ପଡ଼ିବା ପରେ ଭସାଣିର ପଟୁଆର ଦେଖିବାକୁ ଭିଡ଼ ଜମେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସାରା ରାଜ୍ୟରେ ୨୫୦୦ରୁ ଊର୍ଧ୍ୱ ମେଢ଼ଙ୍କୁ ମେଲାଣି ଦିଆଯାଇଥିବା ବେଳେ କଟକ ଓ ଭୁବନେଶ୍ୱରରେ ମିଳିତ ଭସାଣି ଉତ୍ସବ ସାଜିଥିଲା ମୁଖ୍ୟ ଆକର୍ଷଣ। ଏକାଠି ଅନେକ ପୂଜା ମଣ୍ଡପର ମା’ ଓ ପାର୍ଶ୍ୱ ଦେବଦେବୀଙ୍କୁ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ରାସ୍ତାଘାଟରେ ଲୋକେ ଧାଡ଼ି ବାନ୍ଧି ମେଢ଼ ଆସିବା ବାଟକୁ ଚାହିଁ ରହିଥିଲେ। କାଁ ଭାଁ ଗଣ୍ଡଗୋଳ ଛଡ଼ା ମୋଟ ଉପରେ ଏହି ଭସାଣି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ରହିଛି।
Follow Us