ଦ୍ରୌପଦୀଙ୍କ ଗସ୍ତ ବେଳେ...

Advertisment
ଦ୍ରୌପଦୀଙ୍କ ଗସ୍ତ ବେଳେ...

ବିମାବନ୍ଦରରେ ଖଚାଖଚ ଭିଡ଼
ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେଡି ତିନି ଦିନ ହେଲା କଂଗ୍ରେସ ଓ ସ୍ବାଧୀନ ବିଧାୟକମାନଙ୍କ ସମର୍ଥନ ମାଗୁଛି। ତେଣୁ ଆଜି ତାଙ୍କୁ ସ୍ବାଗତ କରିବା ପାଇଁ ଆୟୋଜନରେ ବିଜେପି ଆଦୌ ହେଳା କରି ନ ଥିଲା। ଗତକାଲିଠାରୁ ସହରର ବିଭିନ୍ନ ସ୍ଥାନରେ ଶ୍ରୀମତୀ ମୁର୍ମୁଙ୍କ ସ୍ବାଗତ ପାଇଁ ବ୍ୟାନର୍‌ ଛାଇଦିଆଯାଇଥିଲା। ଆଜି ହଜାର ହଜାର ‌କର୍ମୀଙ୍କୁ ଏକାଠି କରାଯାଇଥିଲା। ବହୁ ସଂଖ୍ୟାରେ ସାଂସ୍କୃତିକ ଦଳଙ୍କୁ ବି ଡକାଯାଇଥିଲା। ସକାଳ ୮ଟା ୪୫ରେ ସେ ପହଞ୍ଚିବାର ଥିଲେ ମଧ୍ୟ ପାଖାପାଖି ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ସମୟ ଯେତିକି ଗଡ଼ୁଥିଲା, ବିମାନବନ୍ଦରରେ ଗହଳି ବି ସେତିକି ବଢ଼ୁଥିଲା। ଲୋକନୃତ୍ୟ, ବାଦ୍ୟରେ ବିମାନବନ୍ଦର ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଶ୍ରୀମତୀ ମୁର୍ମୁ ବିମାନବନ୍ଦର ବାହାରକୁ ଆସିଲା ପରେ ତାଙ୍କୁ ଫୁଲ ଦେବାକୁ ଓ ତାଙ୍କ ସହ ଫଟୋ ଉଠାଇବାକୁ ଠେଲାପେଲା ହୋଇଥିଲା। ରାଜ୍ୟ ଅତିଥି ଭବନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।

publive-image

ଝାଞ୍ଜ ବାଡ଼େଇଲେ ଅପରାଜିତା
ଶ୍ରୀମତୀ ମୁର୍ମୁଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବହୁ ସମୟ ଧରି ବିମାନବନ୍ଦରରେ ଉପସ୍ଥିତ ଥିଲେ। ତାଙ୍କ ସହ ଶତାଧିକ ମହିଳା କର୍ମୀ ଉପସ୍ଥିତ ରହି ନାରାବାଜି କରିଥିଲେ। ଅପରାଜିତା ମଧ୍ୟ ଝାଞ୍ଜ ଧରି ବଜାଉଥିବାର ଦେଖିବାକୁ ମିଳିଥିଲା। ଗଣମାଧ୍ୟମକୁ ସେ କହିଥିଲେ, ଏହା ଆନନ୍ଦ ଉଲ୍ଲାସର ଦିନ। ଓଡ଼ିଶାରୁ ଜଣେ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହେବା ନିଶ୍ଚିତ ଭାବେ ଉତ୍ସବର ପରିବେଶ ସୃଷ୍ଟି କରିଛି। ଏହି ସମୟରେ ବିଜେଡିକୁ ଖେଞ୍ଚିବାରେ ଅପରାଜିତା ହେଳା କରି ନ ଥିଲେ। କହିଥିଲେ, ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ନ କରି ବିଜେଡିର କିଛି ବାଟ ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍‌ଡିଏ ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛୁ।

publive-image

‘ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି’
ରାଜ୍ୟ ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକଙ୍କୁ ସମ୍ବୋଧିତ କଲା ବେଳେ ଶ୍ରୀମତୀ ମୁର୍ମୁ କହିଥିଲେ, ମୁଁ ଆପଣମାନଙ୍କ ଭିତରୁ ଜଣେ। ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି। ମୋର ପରିଚୟ ବିଜେପି। ମୋ ପରି ଜଣେ ଉପାନ୍ତ ଅଞ୍ଚଳର ସାଧାରଣ ମହିଳାଙ୍କୁ କାଉନ୍‌ସିଲର୍‌ରୁ ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ଏବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଭାବେ ମନୋନୟନ ମୋ ପାଇଁ ଅବର୍ଣ୍ଣନୀୟ। ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମୋ ପରି ଜଣେ ସାଧାରଣ ଲୋକଙ୍କୁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ପାର୍ଟିର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି। ଘରକୁ ଝିଅ ଆସିଲେ ଘର ଯେପରି ଉତ୍ସବମୁଖର ହୁଏ ସେହିଭଳି ଆଜି ଉତ୍ସବମୁଖର ବାତାବରଣ ଥିଲା। ଏଥି ପାଇଁ ମୁଁ ଓଡ଼ିଶା ନିକଟରେ କୃତଜ୍ଞ। ଦେଶର ବିଭିନ୍ନ ରାଜ୍ୟ ବୁଲିବା ବେଳେ ଆଶାରୁ ଅଧିକ ଜନସମର୍ଥନ ଓ ଭଲ ପାଇବା ଦେଖି ଅନୁଭବ ହେଉଛି, ଆମ ପାର୍ଟି ପ୍ରତି ଲୋକଙ୍କର ଅନେକ ଅପେକ୍ଷା ଅଛି। ସେଥିପାଇଁ ଆମକୁ ଅଧିକରୁ ଅଧିକ ପରିଶ୍ରମ କରି ଲୋକଙ୍କ ସେବାରେ ନିୟୋଜିତ ହେବାକୁ ପଡ଼ିବ।

publive-image

ନିରାମିଷ ଓଡ଼ିଆ ଖାଦ୍ୟ
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଆତିଥେୟତା ପ୍ରଦାନ କରିଥିଲେ। ଶ୍ରୀମତୀ ମୁର୍ମୁଙ୍କ ସହ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ ମଧ୍ୟ ନବୀନ ନିବାସ ଯାଇଥିଲେ। ଉଭୟ ଗୋଟିଏ ଗାଡ଼ିରୁ ଓହ୍ଲାଇଲା ପରେ ଶ୍ରୀମତୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶ୍ରୀ ଶେଖାୱାତଙ୍କୁ ପୁଷ୍ପଗୁଚ୍ଛ ଦେଇଥିଲେ ସାଂସଦ ପିନାକୀ ମିଶ୍ର। ନବୀନ ନିବାସର ଡାଇନିଂ ଟେବୁଲ୍‌ରେ ଏହି ଚାରି ଜଣଙ୍କୁ ହିଁ ଦେଖିବାକୁ ମିଳିଥିଲା। ଶ୍ରୀମତୀ ମୁର୍ମୁ ନିରାମିଷ ଖାଦ୍ୟ ଖାଉଥିବାରୁ ମଧ୍ୟାହ୍ନ ଭୋଜନରେ ଶୁଦ୍ଧ ନିରାମିଷ ଖାଦ୍ୟ ହିଁ ପ୍ରସ୍ତୁତ ହୋଇଥିଲା । ଭାତ, ଡାଲି, ଆଳୁ ଚକଟା, ବଡ଼ି ଚୁରା, ବାଇଗଣ ଭଜା ଆଦି ପରସା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe