WIFR
ଭଦ୍ରକ / ବାଲେଶ୍ବର / ବାରିପଦା: ଆଜି ଗୋଟିଏ ଦିନରେ ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତାହତମାନେ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର। ଭଦ୍ରକ ଜିଲ୍ଲା ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ରୁ ୫ ଜଣ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ୍ରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଓ ବାରିପଦା ସଦର ବ୍ଲକ୍ରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବୁଧବାର ଅପରାହ୍ଣରେ ତିହିଡ଼ ବ୍ଲକ୍ ବାମନବିନ୍ଧା ପଞ୍ଚାୟତ ସନ୍ଦକପୁର ଗ୍ରାମର ଯଦୁନାଥ ସେଠୀ (୫୫) ଓ ସୁରେନ୍ଦ୍ର ବାରିକ (୨୪) ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଆସିବାରୁ ଉଭୟ ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଦୁହିଁଙ୍କୁ ଗାଁ ଲୋକେ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ଯଦୁନାଥଙ୍କୁ ମୃତ ଘୋଷଣା କରିଥିଲେ। ସୁରେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଚାନ୍ଦବାଲି ଥାନା ଖେରଙ୍ଗ ଗ୍ରାମର ପ୍ରଫୁଲ୍ଲ ମାଝୀ (୩୫)ଙ୍କ ପୁଅ ପ୍ରତାପ ମାଝୀ (୩୫) ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ଉତୁକୁଡ଼ା ପଞ୍ଚାୟତ ସିଙ୍ଗିଟି ଗ୍ରାମର ଯମୁନା ସିଂ (୪୫), ଚାନ୍ଦବାଲି ଏନ୍ଏସି ଘିକୋଇଲି ଗ୍ରାମର ନିରଞ୍ଜନ ମହାଳିକଙ୍କ ପୁଅ ସୋମନାଥ ମହାଳିକ (୫୫) ଚାଷ କାମ କରୁଥିବା ଅବସ୍ଥାରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।
ବାଲେଶ୍ବର ଜିଲ୍ଲା ବସ୍ତା ଓ ଔପଦା ବ୍ଳକ୍ର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ଜଣେ ଶିଶୁ ସହ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ଣରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା। ଏହି ସମୟରେ ବଜ୍ରାଘାତରେ ମହାଦେବସରାଇ ଗ୍ରାମର କାହ୍ନୁ ମୁର୍ମୁ (୧୨)ଙ୍କ ସହ ପଣିସାପଡ଼ା ଗ୍ରାମର ମକରାନନ୍ଦ ବେହେରା (୫୫), ସୁଲେମାନପୁର ଗ୍ରାମର ଗୋପାଳ ବିନ୍ଧାଣୀ (୩୧), ବେଲଗାଁର ଶମ୍ଭୁନାଥ ସାହୁ (୩୫)ଙ୍କର ମୃତ୍ୟୁ ହୋଇଥିଲା। ଦସରାପଦା, ମହାଦେବସରାଇ, ମାଛିଆ ଓ ଟିକରାପଡ଼ା ଗ୍ରାମର ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଔପଦା ବ୍ଲକ୍ ବଡ଼ପୋଖରୀ ପଞ୍ଚାୟତ ନୂଆଗାଁ ଗ୍ରାମର ଚୈତନ୍ୟ ପୃଷ୍ଟି (୩୮) ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।
ବାରିପଦା ସହର ୨୫ ନମ୍ବର ୱାର୍ଡ ବୁଧୁସାହିର ଗୋପୀ ମୁର୍ମୁ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଗୋପି ଆଜି ଅପରାହ୍ଣ ୪ଟାରେ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ସେହିପରି ବେତନଟୀ ବ୍ଳକ୍ ବୈଶିଙ୍ଗା ଥାନା ହରିପୁର ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ କୁଆମରାସ୍ଥିତ ବଡକ୍ଷୀରପଦା ଗ୍ରାମର ସ୍ବର୍ଗତ ବାବୁଲା ସିଂଙ୍କ ସ୍ତ୍ରୀ ଟୁନି ସିଂ (୪୨)। ବାପ ଘର ଗାଁର କିଛି ମହିଳାଙ୍କ ସହ ଟୁନି ଆଜି ବିଲକୁ ଚାଷ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ମାରିବାରୁ ସମସ୍ତେ ଘରକୁ ଫେରୁଥିଲେ। ଏହି ସମୟରେ ଟୁନି ବ୍ରଜପାତର ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ମହିଳା ବାସନ୍ତୀ ସିଂଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।
Follow Us