ଚାଲାଣ ବେଳେ ୧୭୬ କଇଁଛ ଉଦ୍ଧାର, ୪ ଗିରଫ

Advertisment
ଚାଲାଣ ବେଳେ ୧୭୬ କଇଁଛ ଉଦ୍ଧାର, ୪ ଗିରଫ

ଝରିଗାଁ/ ଜୟପାଟଣା: କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ୧୭୬ କଇଁଛ ଉଦ୍ଧାର ହୋଇଛନ୍ତି। ଚାଲାଣରେ ସଂପୃକ୍ତ ୪ଜଣଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିଛି। ଗତକାଲି ରାତିରେ ୪ଜଣ ବ୍ୟବସାୟୀ ବେଆଇନ ଭାବେ କଇଁଛ ଚାଲାଣ କରୁଥିବା କୌଣସି ସୂତ୍ରରୁ ଝରିଗାଁ ବନ ବିଭାଗ ଖବର ପାଇଥିଲା। ଏହାପରେ ଝରିଗାଁ ରେଞ୍ଜର୍‌ ଗୋବିନ୍ଦ ଚନ୍ଦ୍ର ନାୟକ, ଫରେଷ୍ଟର୍‌ ଗୁପ୍ତ ପ୍ରସାଦ ମହାନ୍ତି, ରାଜୁ ମଣ୍ଡଳ, ଫରେଷ୍ଟ ଗାର୍ଡ ଏମ୍‌. ବାବାଜୀ ରାଓ, ରମାକାନ୍ତ ସାହୁ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଛକ ନିକଟରେ ଜଗି ରହିଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ଆସୁଥିବା ଦୁଇଟି ବାଇକ୍‌କୁ ବନ ବିଭାଗ କର୍ମଚାରୀ ଅଟକାଇ ଯାଞ୍ଚ କରିବାରୁ ଦୁଇଟି ବସ୍ତାରେ କଇଁଛ ରହିଥିଲେ। କଇଁଛଙ୍କୁ ଉଦ୍ଧାର କରିବା ସହ ଉଭୟ ବାଇକ୍‌କୁ ଜବତ କରାଯାଇଥିଲା।

ଚାଲାଣରେ ସଂପୃକ୍ତ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଗ୍ରାମର ଦୀଗାମ୍ବର ଗୋପାଳ, ସର୍ଗିଗୁଡ଼ା ଗ୍ରାମର ଧର୍ମୁ ଚାଲାଣ, ତ୍ରିଲୋଚନ ଚାଲାଣ ଏବଂ ଗଗନେଶ୍ୱର ନାୟକଙ୍କୁ ଗିରଫ କରି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। କଇଁଛ ଉମରକୋଟ ଅଞ୍ଚଳ‌କୁ ବିକ୍ରି ପାଇଁ ନିଆଯାଉଥିଲା ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। କଇଁଛଙ୍କୁ ଝରିଗାଁ ନର୍ସରିସ୍ଥିତ କୁଣ୍ଡରେ ରଖାଯାଇଛି। ନବରଙ୍ଗପୁର ଡିଏଫ୍‌ଓଙ୍କ ସହ ଆଲୋଚନା ପରେ କଇଁଛଙ୍କୁ କୌଣସି ଜଳାଶୟରେ ଛଡ଼ାଯିବ ବୋଲି ଝରିଗାଁ ରେଞ୍ଜର ଶ୍ରୀ ନାୟକ ସୂଚନା ଦେଇଛନ୍ତି। କଳାହାଣ୍ଡି ଅଞ୍ଚଳରୁ ଶତାଧିକ କଇଁଛ ନବରଙ୍ଗପୁର ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ଏଥିରେ ଗୋଟିଏ ରାକେଟ୍‌ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe