ବଲାଙ୍ଗୀର ସହର ମୁଣ୍ଡ ଉପରେ ଧୂଳିର ଚଦର

Advertisment

oଧୂଳି ଖିଆ ଗାଡ଼ି ଅଚଳ oମରାମତି ପାଇଁ ଦିନ ଗଡ଼ାଉଛି କମ୍ପାନି oପୌର କର୍ତ୍ତୃପକ୍ଷ ଅସହାୟ oଅତିଷ୍ଠ ସହରବାସୀ

oଧୂଳି ଖିଆ ଗାଡ଼ି ଅଚଳ oମରାମତି ପାଇଁ ଦିନ ଗଡ଼ାଉଛି କମ୍ପାନି oପୌର କର୍ତ୍ତୃପକ୍ଷ ଅସହାୟ oଅତିଷ୍ଠ ସହରବାସୀ

ବଲାଙ୍ଗୀର ସହର ମୁଣ୍ଡ ଉପରେ ଧୂଳିର ଚଦର

ବଲାଙ୍ଗୀର: ଶିଳ୍ପାୟନ ଶୂନ ବଲାଙ୍ଗୀର ଧୂଳିର ଚାଦରରେ ଢାଙ୍କି ହୋଇଗଲାଣି। ଧୂଳି ଯୋଗୁଁ ଲୋକେ ଅସହାୟ ଓ ଅତିଷ୍ଠ। ଧୂଳିକୁ ରୋକିବ କିଏ ଓ ଏଥିପାଇଁ ଦାୟୀ କିଏ? ବର୍ତ୍ତମାନ ଏହା ସବୁଠାରୁ ବଡ ପ୍ରଶ୍ନ ବଲାଙ୍ଗୀରରେ। ସବୁ ସମସ୍ୟାର ରାଜନୀତିକରଣ କରାଯାଉଥିବା ବେଳେ ଏଥର ଧୂଳିକୁ ନେଇ ଆରମ୍ଭ ହେବ ଦୋଷ ଲଦାଲଦି। ଟାଣୁଆ ଟାଣୁଆ ଶବ୍ଦରେ କିଛି ସମୟ ପାଇଁ ଆଲୋଚନା, ତର୍ଜମା ତା’ପରେ ଯଥା ପୂର୍ବଂକୁ ତଥା ପରଂ। ପରିବର୍ତ୍ତନର କୌଣସି ଚିହ୍ନବର୍ଣ୍ଣ ମିଳିବ ନାହିଁ। ସବୁକଥାକୁ ଭୁଲେଇ ଦେଲା ଭଳି ଏଥର ବି ଧୂଳି ପ୍ରସଙ୍ଗକୁ ମାମୁଲି କଥା କହି ଏଡେଇଯିବେ। ଭୁଲିଯିବେ ସବୁ ପ୍ରତିଶ୍ରୁତି। ୟେ ହେଉଛି ବଲାଙ୍ଗୀରର ଭାଗ୍ୟ ଓ ବିଡମ୍ବନା। ତେବେ ଧୂଳିମୟ ବଲାଙ୍ଗୀରର ସଫଳତା ପାଇଁ କିଏ ଶ୍ରେୟ ନେବେ? ଶାସକ-ବିରୋଧୀ ନା ସବୁ ଦୋଷ ଲୋକଙ୍କର କହି ଠେଲେଇ ଦେବେ?
ଆଜ୍ଞା, ସହରର ରାସ୍ତା କଡ଼ ଗଛର ପତ୍ରରେ ଧୂଳି। ବାଇକ୍‌, ସାଇକେଲ୍‌ରେ ସହରରେ ଘେରାଏ ବୁଲି ଆସିଲା ବେଳକୁ ସାର୍ଟ, ପ୍ୟାଣ୍ଟରେ ଧୂଳି। ବାଇକ୍‌ ଉପରେ ଧୂଳିର ପରସ୍ତ। ଦିନ ବେଳେ ଗାଡି ପଛେ ପଛେ ପବନରେ ଧୂଳି ଧାଇଁ ଯାଉଥିବା ବେଳେ ରାତିରେ ଭାରିଯାନ ଗାଡିଗୁଡ଼ିକ ଚାଲିଗଲା ବେଳେ ବୁଝିହେଉଛି ସହରର ପରିବେଶରେ କେତେ ଧୂଳିର କଣିକା। ଧୂଳି ପାଇଁ ଛୋଟ ଶିଶୁ, ଶ୍ୱାସ ରୋଗୀ, ବୃଦ୍ଧ ଲୋକେ ଯିବା ଆସିବା କରିବାରେ କଷ୍ଟ ଭୋଗୁଛନ୍ତି। ଚାଲିଯାଉଥିବା ଲୋକ ତ ଧୂଳିରେ ପୋତି ହୋଇଯାଉଛି। ହେଲେ ଏତେ ଧୂଳି ଆସୁଛି କେଉଁଠୁ? ସହରର ପ୍ରମୁଖ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ବିକଳ୍ପ ରାସ୍ତାଗୁଡ଼ିକରେ ଧୂଳିମୟ ହୋଇଯାଉଛି। ରାସ୍ତା କଡ଼ରେ ଥିବା ଧୂଳି ସଫା କରାଯାଉ ନାହିଁ। ଫଳରେ ତାହା ଲୋକଙ୍କ ସମସ୍ୟାର କାରଣ ହେଉଛି।
ଆଜି ନୁହେଁ, ଦୀର୍ଘ ଦିନରୁ ଏହି ଧୂଳି ସମସ୍ୟା ରହିଛି ବଲାଙ୍ଗୀରରେ। ବିଶେଷ କରି ରାସ୍ତା ଘାଟରେ ଏହି ସମସ୍ୟା ସାଂଘାତିକ। ତେଣୁ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ପାଣ୍ଠିରୁ ବଲାଙ୍ଗୀର ପୌରପାଳିକା ପକ୍ଷରୁ ଧୂଳି ଉଠାଇବା ପାଇଁ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ଗାଡି ଅଣାଗଲା। ଏହି ଗାଡି ରାସ୍ତା କଡ଼ରେ ଜମାଟ ହୋଇଥିବା ଧୂଳିକୁ ଗିଳି ଦେଉଥିଲା। ବଲାଙ୍ଗୀର ସହରକୁ ଏମିତି ଅତ୍ୟାଧୁନିକ ଗାଡି ଆସିଥିବାରୁ ଲୋକେ ଖୁସ ହେଉଥିଲେ। ତାରିଫ କରୁଥିଲେ ପୌରପାଳିକାକୁ। କିନ୍ତୁ ବେଶୀ ଦିନ ଚାଲିଲା ନାହିଁ। କେବେ କେମିତି ମନେ ପଡିଗଲେ କଢା ହୁଏ ଧୂଳି ଖିଆ ଗାଡି। ବର୍ତ୍ତମାନ ସମୟରେ ବଲଙ୍ଗୀର ସହରରେ ଧୂଳିର ମାତ୍ରା ଅଧିକ ଥିବା ବେଳେ ପୌରପାଳିକାର ଧୂଳିଖିଆ ଗାଡି ପୌରପାଳିକାରେ ଛିଡା ହୋଇଛି। ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ, ଗାଡିର ଯନ୍ତ୍ରାଂଶ ମିଳୁ ନାହିଁ। ଏହି ଗାଡି ଦେଇଥିବା ସଂସ୍ଥାକୁ ବାରମ୍ବାର ମରାମତି କରିବାକୁ କୁହାଗଲାଣି। ସେମାନେ ସମୟ ଗଡାଇ ଚାଲିଛନ୍ତି। ଲୋକେ ବି ବିରକ୍ତ ହେଲେଣି। ଯଦି ସଂପୃକ୍ତ ସଂସ୍ଥା ପକ୍ଷରୁ ଗାଡି ମରାମତି କରା ନଯାଏ ତା’ହେଲେ ଚୁକ୍ତି ଖିଲାପ କରିଥିବା ଦର୍ଶାଇ ଆମେ ଆଇନର ସହାୟତା ନେବୁ ବୋଲି ଶ୍ରୀମତୀ ବେହେରା କହିଛନ୍ତି।
ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବଲାଙ୍ଗୀର ପବନରେ ଉଡୁଥିବା ଧୂଳିରେ ବିଷାକ୍ତ ସିଲିକା କଣିକା ରହିଛି। କେବଳ ସିଲିକା ନୁହେଁ, ଅନ୍ୟ କିଛି ବିଷାକ୍ତ କଣିକା ବି ରହିଛି ପବନରେ। ଯାହା ଫୁସ୍‌ଫୁସ୍‌, ଯକୃତ ଭଳି ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। ତେଣୁ ମୁହଁରେ ମୁଖା ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ତେବେ ବିଭିନ୍ନ ସମୟରେ ରାଜନୈତିକ ଦଳଗୁଡ଼ିକ ସ୍ୱଚ୍ଛଭାରତ ନାଁରେ ଅନେକ ସଚେତନତା କାର୍ଯ୍ୟକ୍ରମ ସହରରେ କରୁଥିବା ବେଳେ ପରବର୍ତ୍ତୀ ସମୟରେ ତାହା ପ୍ରହସନରେ ପରିଣତ ହେଉଛି। ସେ ଯାହା ହେଉ, ଧୂଳି ପାଇଁ କିନ୍ତୁ ଅତିଷ୍ଠ ହେଉଛି ବଲାଙ୍ଗୀର ସହରବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe