The Hindu Business Line
ଭୁବନେଶ୍ବର : ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରି ଅଡ଼ୁଆରେ ପଡ଼ିଯାଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ। ସେ ତାଙ୍କ ଫେସ୍ବୁକ୍ ପୋଷ୍ଟ୍ରେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। କନ୍ଧମାଳ ଜିଲ୍ଲାର ସାର୍ବଜନୀନ ଉନ୍ନତିକରଣ ପାଇଁ ଜିଲ୍ଲାବାସୀ ଆପଣଙ୍କୁ ବହୁମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରାଇବେ ବୋଲି ସେ ଏଥିରେ ଦର୍ଶାଇଛନ୍ତି। ଦୂତୀ ଏବେ ନିର୍ବାଚନ କମିସନ୍ଙ୍କ ବ୍ରାଣ୍ଡ୍ ଆମ୍ବାସଡର୍ ଅଛନ୍ତି। ତେଣୁ ସେ କିପରି ଜଣେ ଦଳୀୟ ପ୍ରାର୍ଥୀଙ୍କୁ ସୋସିଆଲ୍ ମିଡିଆରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ବୋଲି ଅଭିଯୋଗ ଉଠିଛି। ବିଜେପି ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।
ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି, ଯେଉଁମାନେ ବ୍ରାଣ୍ଡ୍ ଆମ୍ବାସଡର୍ ଅଛନ୍ତି ସେମାନଙ୍କ ପାଇଁ ନିର୍ବାଚନ କମିସନ୍ଙ୍କ କିଛି ନିୟମାବଳୀ ଅଛି, ଯାହାକୁ ସେମାନେ ପାଳନ କରିବା ଉଚିତ। ଦୂତୀ ଚାନ୍ଦଙ୍କ ନାମରେ ଏପରି ଅଭିଯୋଗ ଆସିଛି। ଯେହେତୁ ଏହା େସାସିଆଲ୍ ମିଡିଆ ପୋଷ୍ଟ୍, ତେଣୁ ପ୍ରଥମେ ଏହାକୁ ଯାଞ୍ଚ୍ କରାଯିବ ଓ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ବିବାଦ ଉପୁଜିଯିବାର କିଛି ସମୟ ପରେ ଦୂତୀ ଫେସ୍ବୁକ୍ରୁ ତାଙ୍କର ଏହି ପୋଷ୍ଟ୍ଟିକୁ କାଟି ଦେଇଛନ୍ତି। ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଅଚ୍ୟୁତ ସାମନ୍ତ ସାର୍ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛି। ମୁଁ କୌଣସି ଦଳକୁ ସମର୍ଥନ କରୁ ନାହିଁ କି ତାଙ୍କୁ ଭୋଟ୍ ଦେବା ପାଇଁ କୌଣସି ବ୍ୟକ୍ତିଙ୍କୁ ନିବେଦନ କରୁ ନାହିଁ। ସେ ମୋର କ୍ରୀଡ଼ା କ୍ୟାରିୟର୍ ଆଗକୁ ନେବାରେ ବହୁତ ସାହାଯ୍ୟ କରିଛନ୍ତି। ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ।
Follow Us