ଭୂତଳ ଇନ୍ଧନ ସନ୍ଧାନ ପାଇଁ ଡିନାମାଇଟ୍ ବିସ୍ଫୋରଣ : ଭାଙ୍ଗିଲା ଘର, ଫାଟିଲା ମନ୍ଦିର

Advertisment

ଆତଙ୍କରେ ଗ୍ରାମବାସୀ, ବରୀରେ ଶତାଧିକ ଘରକାନ୍ଥ ଫାଟିଲା

ଆତଙ୍କରେ ଗ୍ରାମବାସୀ, ବରୀରେ ଶତାଧିକ ଘରକାନ୍ଥ ଫାଟିଲା

ଭୂତଳ ଇନ୍ଧନ ସନ୍ଧାନ ପାଇଁ ଡିନାମାଇଟ୍ ବିସ୍ଫୋରଣ : ଭାଙ୍ଗିଲା ଘର, ଫାଟିଲା ମନ୍ଦିର

ଗୋପ/କୋଣାର୍କ: ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ ଏବେ ତୈଳ କମ୍ପାନି ତରଫରୁ ତୈଳ ସନ୍ଧାନ ଚାଲିଥିବାବେଳେ ଏଥିପାଇଁ ହେଉଥିବା ଡିନାମାଇଟ୍‌ ବିସ୍ଫୋରଣ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହିପରି ଏକ ବିସ୍ଫୋରଣରେ ଗୋପ ବ୍ଲକ୍‌ ଅଧୀନ ମହଲପଡା ପଞ୍ଚାୟତର ଆମ୍ବିଳି ଗାଁ’ର ୧୫୪ ଘର ଫାଟିଯିବା ସହିତ ସେଥିରୁ ୧୮ ରୁ ଅଧିକ ଘର ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ଗ୍ରାମର ୨୦୦ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ଗ୍ରାମରେ ଥିବା ଶିବ ମନ୍ଦିରର ବୃଷଭଙ୍କ ମୂର୍ତ୍ତି ଫାଟିଯାଇଥିବାବେଳେ ମହାବୀରଙ୍କ ମନ୍ଦିର ମଧ୍ୟ ଫାଟିଯାଇଛି।
ସୂଚନା ଅନୁସାରେ,ଗତ ୭ ତାରିଖରେ ହୋଇଥିବା ଏହି ଘଟଣା ପରେ ତୈଳ କମ୍ପାନିର କର୍ମଚାରୀମାନେ ଲୁଚିକି ପଳାଇ ଯାଇଥିବାବେଳେ କ୍ଷତିପୂରଣ ପାଇବା ନିମନ୍ତେ ଗ୍ରାମବାସୀମାନେ ତାଙ୍କର ୭ ଟି ଗାଡ଼ି ଜବତ କରିବା ସହିତ ତାଙ୍କର କର୍ମଚାରୀମାନଙ୍କୁ ମଧ୍ୟ ଅଟକ ରଖିଥିଲେ। ଖବର ପାଇ କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାଶୁଝା କରିବା ସହିତ ସେମାନଙ୍କୁ କ୍ଷତିପୂରଣ ମିଳିବ ବୋଲି କହିବା ପରେ ଗ୍ରାମବାସୀମାନେ ଗୋଟିଏ ବୋଲେରୋ ଓ ଦୁଇ ଜଣ କର୍ମଚାରୀଙ୍କୁ ରଖି ଅନ୍ୟ ସମସ୍ତଙ୍କୁ ଛାଡ଼ି ଦେଇଥିଲେ । କ୍ଷତିପୂରଣ ନ ମିଳିବାରୁ ଗ୍ରାମବାସୀମାନେ ଆସନ୍ତାକାଲି କୋଣାର୍କ ଥାନାରେ ଏତଲା ଦେବେ ବୋଲି ଆଜି ଅନୁଷ୍ଠିତ ଗ୍ରାମସଭାରେ ନିଷ୍ପତ୍ତି ନେଇଛନ୍ତି ବୋଲି ଗ୍ରାମର ମୁଖ୍ୟ ବୈକୁଣ୍ଠ ଦାସ କହିଛନ୍ତି।
ଅନ୍ୟପକ୍ଷରେ ପୁରୀ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଏଥିନିମନ୍ତେ ଗୋପ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଘର କିମ୍ବା ଗ୍ରାମଠାରୁ ୫୦୦ ମିଟର ଦୂର ରେ ଏହି ସନ୍ଧାନ କିମ୍ବା ବିସ୍ଫୋରଣ କରିବାକୁ ନିୟମ ଥିବା ତୈଳ କମ୍ପାନିର କର୍ମଚାରୀମାନେ କହୁଥିବାବେଳେ କିଭଳି ଭାବେ ମାତ୍ର ୫୦ ମିଟର ଦୂରରେ ବିସ୍ଫୋରଣ କରାଗଲା ତାହା ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯଦି ଆସନ୍ତାକ‌ାଲି ସୁଦ୍ଧା କ୍ଷତିପୂରଣ ନମିଳେ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀମାନେ କହିଛନ୍ତି।

publive-image

ବରୀରେ ଶତାଧିକ ଘରକାନ୍ଥ ଫାଟିଲା, ଥାନାରେ ଅଭିଯୋଗ ଓ କମ୍ପାନି ଗାଡ଼ି ଅଟକ
ରତ୍ନଗିରି : ଭାରତୀୟ ତୈଳ ନିଗମ ପକ୍ଷରୁ ତୈଳ ଖଣି ସନ୍ଧାନ ପାଇଁ ବିସ୍ଫୋରଣ ଯୋଗୁଁ ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ମନ୍ଦାରୀ ପଞ୍ଚାୟତରେ ଶତାଧିକ ଘରର କାନ୍ଥ ଫାଟିଯାଇଛି। କ୍ଷତିଗ୍ରସ୍ତ ଲୋକମାନେ କମ୍ପାନିର ଗାଡ଼ିକୁ ଅଟକ ରଖିବା ସହ ବରୀ ଥାନାରେ ଅଭିଯୋଗ କରିଛନ୍ତି। ଆଜି ବ୍ରାହ୍ମଣୀ ଅବବାହିକାର ମନ୍ଦାରୀ ପଞ୍ଚାୟତରେ ଅନୁସନ୍ଧାନ କାର୍ଯ୍ୟ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ଆଲ୍ଫା ଜିଓ କମ୍ପାନି ପକ୍ଷରୁ ହୋଇଥିବା ବିସ୍ଫୋରଣରେ ଶତାଧିକ କୋଠାଘରର କାନ୍ଥ ଫାଟି ଯାଇଛି। କ୍ଷତିଗ୍ରସ୍ତ ଲୋକମାନେ ବରୀ ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଅଭିଯୋଗ ପରେ ବରୀ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଗତକାଲି ମନ୍ଦାରୀ ପଞ୍ଚାୟତର ମେଦୂଆକୂଳ ଗ୍ରାମରେ ଜନବସତିଠାରୁ ଅଳ୍ପ ଦୂରରେ ପରୀକ୍ଷଣ କରାଯାଇଥିଲା। ବିସ୍ଫୋରଣର ପ୍ରଚଣ୍ତ ଶବ୍ଦରେ ଗ୍ରାମର ଶତାଧିକ କୋଠାଘର କାନ୍ଥ ଫାଟିଯାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ କମ୍ପାନି କର୍ତ୍ତୃପକ୍ଷଙ୍କ ଗାଡ଼ି ଅଟକ ରଖିଥିଲେ। ଗ୍ରାମବାସୀଙ୍କୁ ବୁଝାଇବା ଉଦ୍ୟମ ବ୍ୟର୍ଥ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ୪୦ ପରିବାର କମ୍ପାନି ବିରୋଧରେ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବରୀ ପୁଲିସ୍‌ ପ୍ରାଥମିକ ତଦନ୍ତ କରିବା ସହ ଅଟକ ଗାଡ଼ିଟିକୁ ଥାନାକୁ ନେଇ ଯାଇଥିଲା। ଆଜି ଯାଜପୁରରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଓ ବରୀ ଥାନାଧିକାରୀ ଅଜୟ କୁମାର ଜେନା ପରୀକ୍ଷଣସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe