କରୋନା କାଳରେ ମୁଖିଆଙ୍କୁ କରିହେବ ଇ-ଅଭିଯୋଗ

କରୋନା କାଳରେ ମୁଖିଆଙ୍କୁ କରିହେବ ଇ-ଅଭିଯୋଗ

currentaffairs.adda247.com

ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଅଫିସ୍‌ ଆଗରେ ରହିବ ଅଭିଯୋଗ ବାକ୍‌ସ
ଫାଟକ ଆଗରେ ଲଗାଯିବ ଅଧିକାରୀଙ୍କ ଫୋନ୍‌ ନମ୍ବର
ଜିଲ୍ଲା ସ୍ତରରେ ବି ଗଠନ ହେବ ଅଭିଯୋଗ ସେଲ୍‌

ଭୁବନେଶ୍ୱର : କୋଭିଡ୍‌ ମହାମାରୀରେ ଏବେ ସାରା ରାଜ୍ୟ ଜର୍ଜରିତ। ସାଧାରଣ ଲୋକଙ୍କୁ ସରକାରୀ ଅଫିସ ଯିବା ଉପରେ କଟକଣା ଜାରି କରାଯାଇଛି। ଏଭଳି ସ୍ଥିତିରେ ସରକାରୀ ଅଫିସକୁ ନ ଯାଇ କିପରି ଅଭିଯୋଗ ଦାଖଲ କରାଯାଇପାରିବ ସେଥିପାଇଁ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଇ-ଅଭିଯୋଗ ବ୍ୟବସ୍ଥାର ବ୍ୟାପକ ପ୍ରଚଳନ କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଅଭିଯୋଗ ମନିଟରିଂ ସେଲ୍‌ କାର୍ଯ୍ୟ କରିବ। ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର କୋଭିଡ୍‌ ସେଲ୍‌ କରାଯାଇ ମିଳିଥିବା ଅଭିଯୋଗଗୁଡ଼ିକର ଦୈନିକ ସମୀକ୍ଷା କରାଯାଇ ସମାଧାନ ଦିଆଯିବ।

ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ, ଇ-ଅଭିଯୋଗ ମାଧ୍ୟମରେ ଆସୁଥିବା ଦରଖାସ୍ତଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ। ଅନ୍‌ଲାଇନ୍‌ ବ୍ୟବସ୍ଥା ଜରିଆରେ ସମସ୍ତ ବିଭାଗଗୁଡ଼ିକୁ ସଂଯୋଗ କରାଯାଇଛି। ଜଣେ ଅଭିଯୋଗକାରୀ ଏହି ଇ-ଅଭିଯୋଗ ପ୍ଲାଟଫର୍ମରେ ସିଧାସଳଖ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ, ରାଜସ୍ବ ଡିଭିଜନ୍‌ କମିସନରଙ୍କୁ ଅଭିଯୋଗ ଦାଖଲ କରିପାରିବେ। କୋଭିଡ୍‌ ପାଇଁ ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ କଟକଣା ଥିବାରୁ ଅଫିସ ସାମ୍ନାରେ ଅଭିଯୋଗ ବାକ୍‌ସ ରଖିବା ସହିତ ଅଧିକାରୀଙ୍କ ଫୋନ୍‌ ନମ୍ବର ଫାଟକ ପାଖରେ ଉପଲବ୍ଧ କରାଯିବ। ପ୍ରତି ୧୫ ଦିନରେ ରାଜ୍ୟ ସ୍ତରୀୟ ମନିଟରିଂ ସେଲ୍‌ର ସମୀକ୍ଷା ହେବ।

ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସମ୍ପର୍କିତ ଅଭିଯୋଗ ସେଲ୍‌ ଗଠନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟୂନ ଉପଜିଲ୍ଲାପାଳ ପଦବିର ଅଧିକାରୀ, ଜିଲ୍ଲା ଏନ.ଆଇ.ସି ଅଧିକାରୀଙ୍କ ସମେତ ବୈଷୟିକ ସହାୟତା ପାଇଁ ସିଏମ୍‌ଜିଆଇ କର୍ମଚାରୀମାନେ ଏହି ସେଲ୍‌ ଦାୟିତ୍ବରେ ରହିବେ। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ମିଳିଥିବା ଅଭିଯୋଗଗୁଡ଼ିକର ଆଶୁ ସମାଧାନ କରିବା ପାଇଁ ଏହି ସେଲ୍‌ଗୁଡ଼ିକ କାର୍ଯ୍ୟ କରିବେ। ଜିଲ୍ଲାପାଳମାନଙ୍କ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟରେ ଅନୁରୂପ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନେ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବେ। ପ୍ରତି ସୋମବାର ଦିନ ଜିଲ୍ଲାପାଳମାନେ ଭିଡିଓ କନଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ସମୀକ୍ଷା କରିବେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଇନ୍ଦ୍ରମଣି ତ୍ରିପାଠୀ, ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ପାଢ଼ି, ଏନ୍‌ଆଇସିର ବୈଷୟିକ ନିର୍ଦ୍ଦେଶକ ଭାନୁପ୍ରିୟ ପ୍ରସାଦ ଶତପଥୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe