ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଖାଲି ପଦ ପୂରଣ ହେବ: ମନ୍ତ୍ରୀ

ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ବର : ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରେ ଖାଲିଥିବା ପଦଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୃଷି ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ ଏବଂ ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ ସିଲେକ୍ସନ୍‌ ଦ୍ୱାରା ଲିଖିତ ଓ ମୌଖିକ ପରୀକ୍ଷା କରାଯାଇ ପଦବି ପୂରଣ ପାଇଁ ପରାମର୍ଶ ଦେଇଥିଲେ।

ବୈଠକର ସୂଚନା ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ୧୭୭ଟି ସହକାରୀ ମତ୍ସ୍ୟ ଅଧିକାରୀ ପଦ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୬୭ଟି କନିଷ୍ଠ ମତ୍ସ୍ୟ ବୈଷୟିକ ସହଯୋଗୀ ପଦ ପୂରଣ ପାଇଁ ଷ୍ଟାଫ ସିଲେକ୍‌ସନ୍‌ କମିସନ ଦ୍ୱାରା ଲିଖିତ ପରୀକ୍ଷା କରାଯାଇଛି। ମତ୍ସ୍ୟ ନିର୍ଦ୍ଦେଶାଳୟ ଅଧୀନରେ ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଖାଲି ହେଉଥିବା ସହକାରୀ ମତ୍ସ୍ୟ ଅଧିକାରୀ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହଯୋଗୀ ପଦ ତାଲିକା ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ ହେବ। ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ ସିଲେକ୍‌ସନ୍‌ କମିସନ ଦ୍ୱାରା ମତ୍ସ୍ୟ ନିର୍ଦ୍ଦେଶାଳୟର ୧୯ଟି କନିଷ୍ଠ କିରାଣି ପଦରେ ନିଯୁକ୍ତ ପାଇଁ ପ୍ରମାଣପତ୍ର ଯାଞ୍ଚ ପରେ ତାଲିକା ଚୂଡ଼ାନ୍ତ କରାଯିବ। ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ଅଧୀନରେ ୩୫୧ଟି ପଶୁରୋଗ ବିଭାଗ ସହକାରୀ ସର୍ଜନ ବା ଅତିରିକ୍ତ ପଶୁପାଳନ ସହକାରୀ ସର୍ଜନ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ମୌଖିକ ପରୀକ୍ଷା କରାଯାଇ ପ୍ରାର୍ଥୀ ତାଲିକା ସୁପାରିସ କରାଯିବ। ଏତଦ୍‌ବ୍ୟତୀତ ୪୫୪ଟି ପଶୁ ରୋଗ ବିଭାଗର ସହକାରୀ ସର୍ଜନ ପଦବି ପୂରଣ ନିମନ୍ତେ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୬୫ଟି ପ୍ରାଣୀସଂପଦ ନିରୀକ୍ଷକ (ଏଲ୍‌ଆଇ) ପଦବିରେ ନିଯୁକ୍ତି ନିମନ୍ତେ ଲିଖିତ ଓ ଶାରୀରିକ ପରୀକ୍ଷା ଶେଷ ହୋଇଛି ଓ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ୭୧୯ଟି ଏଲ୍‌ଆଇ ପଦବି ପୂରଣ ନିମନ୍ତେ ସବଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନକୁ ଅନୁରୋଧ କରାଯାଇଛି।

ବୈଠକରେ ୭୧୯ଟି ଏଲ୍‌ଆଇ ପଦବି ନିମନ୍ତେ ବିଜ୍ଞାପନ ପ୍ରକାଶନ ପାଇଁ ଆୟୋଗର ସଚିବଙ୍କୁ ଅନୁରୋଧ କରାଯାଇଥିଲା। ବିଭିନ୍ନ ଅଦାଲତରେ ମକଦ୍ଦମା ଯୋଗୁଁ ପଦ ପୂରଣ ଦିଗରେ ବାଧା ସୃଷ୍ଟି ହେଉଛି। ଏଥିପାଇଁ ଆଇନ ପରାମର୍ଶଦାତା ନିଯୁକ୍ତ ସହିତ ମାମଲାର ତ୍ବରିତ ଫଇସଲା ପାଇଁ ଆଡଭୋକେଟ ଜେନରାଲଙ୍କୁ ଅନୁରୋଧ କରିବା ପାଇଁ ମନ୍ତ୍ରୀଙ୍କୁ କହିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ସଚିବ ଆର. ରଘୁ ପ୍ରସାଦ, ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱମୋହନ ରାୟ, ସୁମନ ବେହେରା ଓ ଗଙ୍ଗାଧର ନାୟକ, ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ ଆୟୋଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe