ପୂର୍ବରୁ କାଟି ଦେଉଥିଲେ: ଏବେ ଲଗାଉଛନ୍ତି ତାଳ ଗୋଟମା

Advertisment

ବଜ୍ରପାତ ରୋକିବ, ହାତୀ ଉପଦ୍ରବ କମିବ

ବଜ୍ରପାତ ରୋକିବ, ହାତୀ ଉପଦ୍ରବ କମିବ

ପୂର୍ବରୁ କାଟି ଦେଉଥିଲେ: ଏବେ ଲଗାଉଛନ୍ତି ତାଳ ଗୋଟମା

ଅନୁଗୁଳ/କାମାକ୍ଷାନଗର: ପ୍ରତିବର୍ଷ ବଜ୍ରପାତରେ ବହୁ ଲୋକଙ୍କ ଜୀବନ ଯାଉଛି। ସେହିପରି ହାତୀ-ମଣିଷ ଲଢ଼େଇ ଥମିବାର ନାଁ ନେଉନି। ଏହାର ମୁକାବିଲା ପାଇଁ ସାରା ରାଜ୍ୟରେ ୧୯ଲକ୍ଷ ତାଳଗଛ ଲାଗିବାକୁ ଯୋଜନା ହୋଇଛି। ସେହି କ୍ରମରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ତାଳ ଗୋଟମା ଲଗାଇବା ଆରମ୍ଭ ହୋଇଛି। ଅନୁଗୁଳ ବନାଞ୍ଚଳରେ ୧୫ ହଜାର ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ୨୦ ହଜାର ତାଳଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ହଜାର ହଜାର ତାଳଗଛ କାଟି ପଦା କରିଦିଆଯାଇଛି। ପରିବେଶର ସୁରକ୍ଷା ଓ ଜୀବଜଗତ ପାଇଁ ତାଳଗଛ କେତେ ଦରକାରୀ, ଏବେ ତାହା ସମସ୍ତେ ବୁଝି‌ଲେଣି। ପାଚିଲା ତାଳ ହାତୀମାନଙ୍କ ପ୍ରିୟ ଖାଦ୍ୟ ହୋଇଥିବାବେଳେ ବଜ୍ରପାତଜନିତ ବିପତ୍ତିରୁ ଏହା ମଣିଷକୁ ସୁରକ୍ଷା ଯୋଗାଇଥାଏ। ତେଣୁ ଅନୁଗୁଳ ବନାଞ୍ଚଳରେ ପୁଣି ତାଳବଣ ସୃ୍ଷ୍ଟି କରିବାକୁ ବିଭିନ୍ନ ସ୍ଥାନରେ ଏବେ ତାଳ ଗୋଟମା ରୋପଣ କରାଯାଉଛି।

ଅନୁଗୁଳରେ ଗତ ୫ ବର୍ଷ ହେଲା ଫସଲ କିଆରି ହାତୀମାନଙ୍କ ଚରାଭୂଇଁ ପାଲଟିଛି। ଜଙ୍ଗଲ କ୍ଷୟ ସହ ଖାଦ୍ୟ ଅଭାବ ଦେଖାଦେବାରୁ ହାତୀପଲ ଗ୍ରାମାଞ୍ଚଳକୁ ଆସୁଥିବା କୁହାଯାଉଛି। ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ଶହ ଶହ ତାଳଗଛ ଥିଲା। ହାତୀମାନଙ୍କର ପ୍ରିୟ ଖାଦ୍ୟ କୁହାଯାଉଥିବା ତାଳ ଆଉ ସେମାନଙ୍କୁ ମିଳୁନାହିଁ। କେବଳ ସେତିକି ନୁହେଁ, ବଜ୍ରପାତ ସମୟରେ ତାଳଗଛ ନିଜ ଆଡ଼କୁ ବିଦ୍ୟୁତ୍‌ ଶକ୍ତି ଟାଣି ନେଇଥାଏ। ଫଳରେ ବିଦ୍ୟୁତ୍‌ ଆଘାତରୁ ଅନ୍ୟ ଗଛ ଓ ପ୍ରାଣୀ ରକ୍ଷା ପାଇଥାଆନ୍ତି। ତାଳଗଛରେ ବାଈ ଚଢ଼େଇ, କପୋତ, ଗୁଣ୍ଡୁଚିମୂଷା ବାସ କରନ୍ତି। ଏହି ପକ୍ଷୀ ଓ ଜୀବଜନ୍ତୁମାନେ ପରିବେଶ ସନ୍ତୁଳନ ରକ୍ଷାରେ ସହାୟକ ହୋଇଥାନ୍ତି। ତାଳଗଛର ବିଭିନ୍ନ ଅଂଶକୁ ବ୍ୟବହାର କରି ଆଦିବାସୀ ଓ ଗରିବ ଲୋକମାନେ ଜୀବିକା ନିର୍ବାହ କରନ୍ତି। ତେବେ ଗତ ପ୍ରାୟ ତିନିବର୍ଷ ହେଲା ଏହି ଅଞ୍ଚଳରୁ ତାଳଗଛ ଲୋପ ପାଇବାରେ ଲାଗିଛି। ତାଳଗଛ ସଂଖ୍ୟା କମିବା ହାତୀ ଉପଦ୍ରବ ବଢ଼ିବାର ଅନ୍ୟ ଏକ କାରଣ ହୋଇଛି। ତେଣୁ ଚଳିତ ବର୍ଷ ଜଙ୍ଗଲ ସୀମାଗୁଡ଼ିକରେ ବନ ବିଭାଗ ବହୁ ସଂଖ୍ୟାରେ ତାଳ ଗୋଟମା ରୋପଣ କରିବା ପାଇଁ ଅଣ୍ଟା ଭିଡ଼ିଛି। ଜଙ୍ଗଲ ସୀମାରେ ତାଳଗଛ ରହିଲେ ହାତୀମାନେ ତାଳ ଖାଇ ପୁଣି ଜଙ୍ଗଲକୁ ଫେରିଯିବେ ବୋଲି ବନ ବିଭାଗ ଆଶା ବାନ୍ଧିଛି। ଅନୁଗୁଳ ବନାଞ୍ଚଳର କରତପଟା ସେକ୍ସନ୍‌, ପୁରୁଣାଗଡ଼ ସେକ୍ସନ୍‌, ପୋକୁଣ୍ଡା ସେକ୍ସନ୍‌, ସଦର ସେକ୍ସନ୍‌ରେ ଜଙ୍ଗଲ ସୀମାରେ ଏହି ତାଳ ଗୋଟମା ରୋପଣ କାର୍ଯକ୍ରମ ଚାଲୁ ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଦଳୀପାଳ ଜଙ୍ଗଲ ସହିତ ବିଭିନ୍ନ ଜଙ୍ଗଲରେ ତାଳ ଗୋଟମା ଲଗାଯାଉଛି। ଜଙ୍ଗଲ ସୀମାନ୍ତ ରାସ୍ତା କଡ଼ରେ ନୂଆ ତାଳବଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ ଏହି ରେଞ୍ଜରେ ୨୦ ହଜାର ତାଳ ଗଛ ଲଗାଯିବ ବୋଲି ରେଞ୍ଜର କୈଳାସ ଚନ୍ଦ୍ର ସାହୁ କହିଛନ୍ତି। ପର୍ଯ୍ୟାୟକ୍ରମେ ବିଭିନ୍ନ ରେଞ୍ଜରେ ଏହିପରି ତାଳ ଗୋଟମା ଲାଗିବ। ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ରୋକିବାରେ ଏହା ଫଳପ୍ରଦ ହେବ ବୋଲି ବିଭାଗ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe