ଆର୍ଥ ଆୱାର: ଭୁବନେଶ୍ବର କମିସନରେଟ ପୁଲିସ କାର୍ଯ୍ୟାଳୟ ଘଣ୍ଟାଏ ଅନ୍ଧାର

ଆର୍ଥ ଆୱାର: ଭୁବନେଶ୍ବର କମିସନରେଟ ପୁଲିସ କାର୍ଯ୍ୟାଳୟ ଘଣ୍ଟାଏ ଅନ୍ଧାର

ଭୁବନେଶ୍ବର: ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଶନିବାର ଆର୍ଥ ଆୱାର ପାଳିତ ହୋଇଛି। ଭାରତ ସମେତ ବିଭିନ୍ନ ଦେଶ ନିଜ ନିଜ ସମୟ ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଘଣ୍ଟାଏ ଅଦରକାରୀ ଲାଇଟ୍‌ ବନ୍ଦ ରଖି ପୃଥିବୀ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଭୁବନେଶ୍ବରରେ ମଧ୍ୟ ଆର୍ଥ ଆୱାର ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନରେ ଭୁବନେଶ୍ୱର କମିସନରେଟ ପୁଲିସ କାର୍ଯ୍ୟାଳୟର ଅଧିକାରୀମାନେ କାର୍ଯ୍ୟାଳୟକୁ ବିଦ୍ୟୁତ ବନ୍ଦ କରି ଘଣ୍ଟାଏ ଅନ୍ଧାର କରି ଦେଇଥିଲେ।

ୱାର୍ଲଡ ୱାଇଡ୍ ଫଣ୍ଡ ଫର ନେଚର (ଡବ୍ଲୁଡବ୍ଲୁଏଫ୍‌) ପକ୍ଷରୁ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆୱାର ଭାବେ ପାଳନ କରାଯାଇ ଆସୁଛି। ୨୦୦୭ରୁ ଅଷ୍ଟ୍ରେଲିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ୧୮୭ଟି ଦେଶରେ ପହଞ୍ଚିଛି। ଚଳିତବର୍ଷ ଆର୍ଥ ଆୱାର ବିଷୟବସ୍ତୁ ରହିଛି ‘କନେକ୍ଟ ଟୁ ଆର୍ଥ’। ଏହାସହ ଡବ୍ଲୁଡବ୍ଲୁଏଫ୍‌ ୱେବସାଇଟ୍‌ରେ ଏହା ‘ବିଫର ଦି ପ୍ଲାନେଟ୍‌’ ଅଭିଯାନ ଚଳାଇଛି। ଭାରତରେ ମଧ୍ୟ ଏହି ଅଭିଯାନ କିଛି ବର୍ଷ ହେବ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ଅଭିଯାନରେ ରାଜ୍ୟର କମିସନରେଟ୍ ପୁଲିସ୍ ବିଲ୍ଡିଂ ସାମିଲ ହୋଇଛି। ସଂଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ବିଲ୍ଡିଂର ଭିତର ଓ ବାହାର ଲାଇଟ୍ ବନ୍ଦ କରାଯାଇଥିଲା। ତେବେ ରାଜଧାନୀର ଅନ୍ୟାନ୍ୟ ସରକାରୀ କିମ୍ବା ବେସରକାରୀ ବିଲ୍ଡିଂ ଏହି ଅଭିଯାନରେ ସାମିଲ ହୋଇନାହାନ୍ତି। ଫଳରେ ରାଜଧାନୀରେ ଆର୍ଥ ଆୱାର ଫିକା ପଡ଼ିଛି। ପ୍ରତିବର୍ଷ ଏନେଇ ସାମାଜିକ ଗଣମାଧ୍ୟମରେ ସଚେତନ କରାଯାଉଥିଲେ ହେଁ ରାଜଧାନୀବାସୀଙ୍କ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ରାଜଧାନୀର ବଡ଼ ବଡ଼ ବିଲ୍ଡିଂରେ ଆଜି ପୂର୍ବ ଦିନମାନଙ୍କ ଭଳି ଲାଇଟ୍ ଜଳୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe