ଲଗାଣ ବର୍ଷାରେ ମାଟିଘର ଭୁଶୁଡ଼ିଲା; ମା’-ଶିଶୁକନ୍ୟା ମୃତ, ବାପା-ପୁଅ ଗୁରୁତର 

ଲଗାଣ ବର୍ଷାରେ ମାଟିଘର ଭୁଶୁଡ଼ିଲା; ମା’-ଶିଶୁକନ୍ୟା ମୃତ, ବାପା-ପୁଅ ଗୁରୁତର 

ଫୁଲବାଣୀ: ଲଗାଣ ବର୍ଷାରେ ଫୁଲବାଣୀ ସହରର ଏକ ମାଟିରେ ନିର୍ମିତ ଘର କାନ୍ଥ ଭୁଶୁଡ଼ିଛି। ଏଥିରେ ଗୋଟିଏ ପରିବାରର ମା’ ଓ ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ବାପା ଓ ପୁଅ ଗୁରୁତର ହୋଇ ପଡିଛନ୍ତି। ଫୁଲବାଣୀ ସହରର କାର୍ମେଲ ସ୍କୁଲ ପଛପାଖ ତ୍ରିଦେବନଗରରେ ଆଜି ଅପରାହ୍ନ ୩ଟାବେଳେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ ତ୍ରିଦେବନଗରର ବ୍ରଜବନ୍ଧୁ ମାଝି (୪୫)ଙ୍କ ପରିବାର ଲୋକେ ଘରେ ବସି ଖାଉଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ବାପା, ମା’, ପୁଅ ଓ ଝିଅ ସମସ୍ତେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ମା’ ସମେତ ୫ ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ଜଣକ ବ୍ରଜବନ୍ଧୁ ମାଝିଙ୍କ ପତ୍ନୀ ସୁରତୀ ମାଝି (୪୨) ଓ ଝିଅ ସ୍ମୃତି ମାଝି (୫) ବୋଲି ଜଣାପଡ଼ିଛି। ବାପା ବ୍ରଜବନ୍ଧୁ ମାଝି ଓ ପୁଅ ରୋହନ ମାଝି (୩) ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏମାନେ କାନ୍ଥ ମଧ୍ୟରେ ଚାପି ହୋଇ ଦୀର୍ଘ ସମୟ ରହିଥିଲେ।

publive-image

ତେବେ ସ୍ଥାନୀୟ ଲୋକେ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳ‌ରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ମାତ୍ର, ମା’ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜିର ଏହି ଘଟଣା ଫୁଲବାଣୀ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ଧରି ଫୁଲବାଣୀରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଫଳରେ ବ୍ରଜବନ୍ଧୁଙ୍କ ମାଟି କାନ୍ଥର ଘରଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe