ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର: ପୁଣ୍ୟାତ୍ମା ମନୋଜଙ୍କ ମୃତ୍ୟୁ ନାହିଁ

Advertisment
ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର: ପୁଣ୍ୟାତ୍ମା ମନୋଜଙ୍କ ମୃତ୍ୟୁ ନାହିଁ

ଶ୍ରୀଅରବିନ୍ଦ ଆଶ୍ରମରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ
ପ୍ରାର୍ଥନାରେ ଅନ୍ତିମ ବିଦାୟ ଦେଲେ ଆଶ୍ରମର ସାଧକ, ସାଧିକା

ଭୁବନେଶ୍ବର : ମୃତ୍ୟୁ ତାଙ୍କ ପାର୍ଥିବ ଶରୀରକୁ ଆଲିଙ୍ଗନ କରିନେଇଛି ସତ, ମାତ୍ର ନିଜ ସାହିତ୍ୟ ସର୍ଜନା ବଳରେ ଅଗଣିତ ହୃଦ‌ୟରେ ବସା ବାନ୍ଧିଥିବା ସବୁରି ପ୍ରିୟ ଲେଖକ ମନୋଜ ଦାସ ସତେ ଯେମିତି ମୃତ୍ୟୁଞ୍ଜୟୀ ପାଲଟି ଯାଇଛନ୍ତି। ତାଙ୍କ ଦେହାବସାନକୁ ୨୪ ଘଣ୍ଟା ବିତି ଯାଇଥିଲେ ବି ସାଧନା ପୀଠ ପଣ୍ଡିଚେରୀଠୁ ନେଇ ଜନ୍ମମାଟି ଶଙ୍ଖାରୀ ଯାଏ ସମସ୍ତେ ତାଙ୍କୁ ଝୁରୁଛନ୍ତି। କିଏ ତାଙ୍କ ପାଇଁ ଆଖିରୁ ଲୁହ ଝରାଉଛି ତ ଆଉ କିଏ ତାଙ୍କ ପାଇଁ ପ୍ରାର୍ଥନା କରୁଛି। ସବୁରି ମୁହଁରେ ଗୋଟିଏ କଥା; ଏଭଳି ପୁଣ୍ୟାତ୍ମାଙ୍କ ମୃତ୍ୟୁ ନାହିଁ, ମହାକାଳ ତାଙ୍କୁ କବଳିତ କରିପାରିବ ନାହିଁ। ସେ କାଳକାଳକୁ ରହିଛନ୍ତି, ରହିଥିବେ।

publive-image

ମହାନ ସାରସ୍ବତ ଓ ଆଧ୍ୟାତ୍ମିକ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତର ଦିନକ ପରେ ବୁଧବାର ଦିନ ପଣ୍ଡିଚେରୀ ସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ପରିସରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ରାତିରେ ଆଶ୍ରମ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିବା ପରେ ତାଙ୍କ ପାର୍ଥିବ ଶରୀରକୁ ଆଶ୍ରମ ପରିସରରେ ସେ ରହୁଥିବା ତାଙ୍କର ପ୍ରିୟ ବାସଭବନକୁ ଅଣାଯାଇଥିଲା।  ଦିନତମାମ ଆଶ୍ରମର ଅନ୍ତେବାସୀ ତଥା ସାଧକମାନେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଘର ଆଗରେ ଭିଡ଼ ଜମାଇଥିଲେ। ପୁଡ଼ୁଚେରିର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ରେଡ୍ଡି ଓ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

publive-image

ଅପରାହ୍ଣରେ ତାଙ୍କ ପାର୍ଥିବ ଶରୀରକୁ ଆଶ୍ରମ ପରିସରରେ ଥିବା ଶ୍ମଶାନ ଗୃହକୁ ନିଆଯାଇଥିଲା। କୋଭିଡ୍ କଟକଣା ଯୋଗୁଁ ସ୍ବର୍ଗତ ଦାସଙ୍କ ଦିବଂଗତ ପତ୍ନୀ ପ୍ରତିଜ୍ଞା ଦେବୀଙ୍କ ସାନ ଭଉଣୀ ବାଣୀ ସାମନ୍ତ, ସମ୍ପର୍କୀୟା ନାତୁଣୀ ସୁସ୍ମୃତି ଦାସ, ଆଶ୍ରମର ସାଧକ ଭାବେ ରହିଥିବା ସଂପର୍କୀୟ ଭାଇ ସନତ ଦାସ, ରେଖା ଅପା, ଅସୁସ୍ଥତା ପରଠୁ ଦୀର୍ଘ ୮ ମାସ କାଳ ତାଙ୍କ ପାଖରେ ଛାଇ ପରି ରହି ଆସୁଥିବା ଘନିଷ୍ଠ ସହଯୋଗୀ ଅନୁପ କିଶୋର ଦାସ, ତାଙ୍କର ପୁରାତନ ଛାତ୍ର ମାତୃପ୍ରସାଦ, ସାମାଜିକ ଗଣମାଧ୍ୟମରେ ସ୍ବର୍ଗତ ଦାସଙ୍କ କୃତୀ ଓ କୀର୍ତ୍ତିକୁ ବହୁ ପ୍ରଶଂସକଙ୍କ ନିକଟରେ ପହଞ୍ଚାଉଥିବା ସମୀର ରଂଜନ ଦାସ ଏବଂ ଆଶ୍ରମର ଅଳ୍ପ କେତେଜଣ ସାଧକ,ସାଧିକା ଉପସ୍ଥିତ ରହି ଏହି ମହାନ ସାଧକଙ୍କ ଚିତା ନିକଟରେ ସମୂହ ପ୍ରାର୍ଥନା କରିବା ସହ ଅନ୍ତିମ ଶ୍ରଦ୍ଧା ନିବେଦନ କରିଥିଲେ। ଏହା ପରେ ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ‌ଶେଷରେ ଆଶ୍ରମର ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସନତ, ଅନୁପ ଓ ମାତୃପ୍ରସାଦ ମୁଖାଗ୍ନି ଦେଇଥିଲେ। ଶ୍ରୀଅରବିନ୍ଦ ଦର୍ଶନ ଅନୁଯାୟୀ ଆତ୍ମାର ବିବର୍ତ୍ତନଗତ ପ୍ରଗତିରେ ବିଶ୍ବାସୀ ଆଶ୍ରମର କୌଣସି ସାଧକ ଲୁହ ନ ଗଡ଼ାଇ କେବଳ ପ୍ରାର୍ଥନା ହିଁ କରିଥିଲେ।

ଅନ୍ୟପକ୍ଷରେ ଭୁବନେଶ୍ବର ସତ୍ୟନଗର ଘରେ ରହୁଥିବା ସ୍ବର୍ଗତ ଦାସଙ୍କ ଭ୍ରାତୃଷ୍ପୁତ୍ର ସିଦ୍ଧାର୍ଥ ଦାସ, ତାଙ୍କ ପତ୍ନୀ ଡ.ରଂଜିତା ଦାସ, ଝିଆରୀ ସଂଘମିତ୍ରା ଦାସ, ଆମେରିକାରେ ରହୁଥିବା ନାତି ସମ୍ରାଟ ଶିଳାଦିତ୍ୟ ଦାସ, ନାତିବୋହୂ ବିଜୟା ଶୁଭଲକ୍ଷ୍ମୀ ଦାସ ଏବଂ ଦୁଇ ବିବାହିତା ନାତୁଣୀ ବିଦିଶା ଦାସ ଓ ଦିବ୍ୟାଶା ଦାସ ପ୍ରମୁଖ ମଧ୍ୟ ଏହି ସମୟରେ ନିଜ ନିଜ ଘରେ ରହି ଦିଂବଗତ ଆତ୍ମା ପା‌ଇଁ ପ୍ରାର୍ଥନା କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ଦାସଙ୍କ ବୋହୂ ଡ.ରଂଜିତା ଦାସ ଓ ଝିଆରୀ ସଂଘମିତ୍ରା ଦାସଙ୍କୁ ଫୋନ କରି ଗଭୀର ସମବେଦନା ଜଣାଇଥି‌େଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe