royalbulletin.com
ସମ୍ବଲପୁର : ବୁଧବାର ସଂଧ୍ୟାରେ ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାେର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସଂଧ୍ୟା ୫ଟା ୪୭ ମିନିଟ୍ରେ ୨ ସେକେଣ୍ଡ ପାଇଁ ଏହି ଭୂମିକମ୍ପ ହୋଇଥିଲା। ହଠାତ ପାଦତଳେ ମାଟି ଥରିବା ଭଳି ଅନୁଭୂତ ହୋଇଥିଲା। କୋଠାଘରଗୁଡ଼ିକ ସାମାନ୍ୟ ଦୋହଲିବା ସହ ଏକ ଭିନ୍ନ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଅନେକ ଲୋକ ପ୍ରଥମେ କ’ଣ ହେଉଛି ବୁଝି ପାରି ନଥିଲେ। େହଲେ ଭୂମିକମ୍ପ ହୋଇଥିବା ଜାଣିବା ପରେ ଛାନିଆ ହୋଇ ଦଉଡ଼ି ଘର ବାହାରକୁ ଚାଲି ଆସିଥିଲେ। ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ସ୍ଥାନରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସି ନାହିଁ।
ସମ୍ବଲପୁର ସହର ସମେତ ବୁର୍ଲା, କୁଚିଣ୍ଡା, ବାମରା ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି। ସେହିପରି ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ସୁନ୍ଦରଗଡ଼ ଓ ରାଉରକେଲା ଅଞ୍ଚଳରେ ବି ମୃଦୁ ଭୂମିକମ୍ପ ହୋଇଥିବା ଜଣା ପଡ଼ିଛି। ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲେ ବରଗଡ଼ ସହର ଏଥିରୁ ମୁକ୍ତ ରହିଛି।
ଭୂମିକମ୍ପ ଯୋଗୁଁ ସଂପୃକ୍ତ ଅଞ୍ଚଳରେ ବେଶ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପୁଣି ଭୂମିକମ୍ପ ହୋଇପାରେ ବୋଲି ଆଶଂକା କରି ଲୋକେ ବହୁ ସମୟ ଘର ଧରି ବାହାରେ ରହିଥିଲେ। ଲୋକଙ୍କ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା। ଏ ସଂପର୍କରେ ଭୂତତ୍ତ୍ବ ସର୍ବେକ୍ଷଣ ବିଭାଗ ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟର ଭାରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଏସ୍କେ ରଥଙ୍କ କହିବା ହେଲା ଆମ ନିକଟରେ ଭୂକମ୍ପ ମାପିବା ନେଇ କୌଣସି ବ୍ୟବସ୍ଥା ନାହିଁ। ତେଣୁ ବ୍ୟକ୍ତିଗତଭାବେ ଭୂମିକମ୍ପ ଅନୁଭବ କରିଥିଲେ ବି ଏହାର ତୀବ୍ରତା ଜାଣିବା ଆମ ପକ୍ଷରେ ସମ୍ଭବ ନୁହେଁ। ଏ ସଂପର୍କରେ ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ବାସ କହିଛନ୍ତି େଯ ବୋଧହୁଏ ଖୁବ କମ ସମୟ ପାଇଁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ତେଣୁ ଏହାର ତୀବ୍ରତା ମପା ଯାଇ ପାରି ନାହିଁ।
Follow Us