ଗରିବ କଲ୍ୟାଣ ରୋଜଗାର ଯୋଜନାରେ ପୂର୍ବତଟ ରେଳପଥ, ୧୩୨୨ ପ୍ରବାସୀଙ୍କୁ କର୍ମ ନିଯୁକ୍ତି

Advertisment
ଗରିବ କଲ୍ୟାଣ ରୋଜଗାର ଯୋଜନାରେ ପୂର୍ବତଟ ରେଳପଥ, ୧୩୨୨ ପ୍ରବାସୀଙ୍କୁ କର୍ମ ନିଯୁକ୍ତି

Wall Street Journal

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ କଲ୍ୟାଣ ରୋଜଗାର ଯୋଜନା କାର୍ଯ୍ୟକାରୀ ହେଉଛି। ଗତ ଜୁନ୍‌ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ କରାଯିବା ସହ ଏଥିରେ ଓଡ଼ିଶାର ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରବାସୀମାନେ କିଭଳି କାମ ପାଇବେ ଓ ଅର୍ଥ ରୋଜଗାର କରିପାରିବେ, ତାହାକୁ ପ୍ରାଥମିକତା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏ ଦିଗରେ କାର୍ଯ୍ୟ ଜାରି ରଖିଥିବା ପୂର୍ବତଟ ରେଳପଥ ପକ୍ଷରୁ ଇତିମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଯୋଜନା ଅଧୀନରେ ପୂର୍ବତଟ ରେଳପଥ ପକ୍ଷରୁ ଏ ପର୍ଯ୍ୟନ୍ତ ୩ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଇଛି। ଜୁନ୍ ୨୪ରୁ ଜୁଲାଇ ୧୬ ତାରିଖ ମଧ୍ୟରେ ଭଦ୍ରକ, ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାର ୧୩୨୨ଜଣ ଶ୍ରମିକଙ୍କୁ ପୂର୍ବତଟ ରେଳପଥର ବିଭିନ୍ନ ପ୍ରକଳ୍ପରେ ସାମିଲ କରାଯାଇଛି।

ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲେନ୍ କାମରେ ସର୍ବାଧିକ ୪୧୩ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳ ଲାଇନ୍‌ ନିର୍ମାଣ କାମରେ ୩୪୪ଜଣ ସାମିଲ ହୋଇଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାରେ ରେଳ ଟ୍ରାକ୍‌ ମରାମତିରେ ୧୬୦ଜଣ ଲାଗିଥିବା ବେଳେ କୋଠା ନିର୍ମାଣ କାର୍ଯ୍ୟରେ ୪୦, ଗ୍ୟାଙ୍ଗ୍‌ ହଟ୍‌ରେ ୭୯ ଜଣ ନିୟୋଜିତ ହୋଇଛନ୍ତି। ଭଦ୍ରକ ଓ ଟିଟିଲାଗଡ଼ରେ ରେଳ ଧାରଣା ଉପରେ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟରେ ଯଥାକ୍ରମେ ୪୫ ଓ ୧୨ଜଣ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଗଞ୍ଜାମ ଓ ଭଦ୍ରକ ଜିଲ୍ଲାଠାରେ ପ୍ଲାଟ୍‌ଫର୍ମ ଉଚ୍ଚତା ବୃଦ୍ଧି କାର୍ଯ୍ୟରେ ଯଥାକ୍ରମେ ୯୩ ଓ ୧୦୮ ଜଣ ପ୍ରବାସୀ ଓଡ଼ିଆ ସାମିଲ ହୋଇଛନ୍ତି। ଭଦ୍ରକଠାରେ ରେଲୱେ କ୍ବାର୍ଟର୍‌ କାମରେ ୨୮ଜଣଙ୍କୁ ନିୟୋଜିତ କରାଯାଇଛି।

ଏମାନେ ୪ ମାସ ଧରି ରୋଜଗାର ହରାଇ ଘରେ ବସି ରହିଥିଲେ। ଭବିଷ୍ୟତ ନେଇ ଅନିଶ୍ଚିତତାରେ ଥିବା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା କର୍ମ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିବା ସହ ‌ଧନ୍ୟବାଦ ଜଣାଇଛନ୍ତି। ସୁରତ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ପରି ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଶ୍ରମିକ ଏହା ଦ୍ୱାରା ଉପକୃତ ହୋଇଛନ୍ତି। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନର ପ୍ରବାସୀ ଶ୍ରମିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ପ୍ରବାସୀ ଶ୍ରମିକଙ୍କୁ ୨୫ପ୍ରକାର କାମ ଯୋଗାଇ ଦିଆଯିବ। ଓଡ଼ିଶାର ଭଦ୍ରକ, ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe