କୋଭିଡ୍‌-୧୯ ବିପକ୍ଷରେ ପୂର୍ବତଟ ରେଳପଥର ଯୁଦ୍ଧ

ସପ୍ତାହେ ଯାଏ ସଚେତନତା

କୋଭିଡ୍‌-୧୯ ବିପକ୍ଷରେ ପୂର୍ବତଟ ରେଳପଥର ଯୁଦ୍ଧ

ଭୁବନେଶ୍ବର : କୋଭିଡ୍‌-୧୯ ବିପକ୍ଷରେ ଯୁଦ୍ଧ ଘୋଷଣା କରିଛି ପୂର୍ବତଟ ରେଳପଥ। ଏହା ଅଧୀନରେ ଥିବା ସମସ୍ତ ଷ୍ଟେସନ, ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ, ବିଶାଖାପାଟଣା, ଖୋର୍ଦ୍ଧାରୋଡ, ସମ୍ବଲପୁରସ୍ଥିତ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଓ ଲୋକୋ ସେଡ୍‌, ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଭଳି ଅନ୍ୟାନ୍ୟ ରେଳବାଇ ୟୁନିଟ୍‌ଗୁଡ଼ିକରେ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଛନ୍ତି ଯେ ଦେଶର ପ୍ରତି କୋଣ ଓ ଅନୁକୋଣକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବା ସହ ଶ୍ରମିକ ଏକ୍ସପ୍ରେସ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ମାଧ୍ୟମରେ ପ୍ରବାସୀଙ୍କୁ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଛି। ଏହି ମହାମାରୀ ପରିସ୍ଥିତିରେ ଉପଯୁକ୍ତଭାବେ ହାତ ଧୋଇବା, ସାନିଟାଇଜ୍‌ କରିବା, ମାସ୍କ ପାନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ବିଷୟରେ ଜାଣିବା ଉଚିତ୍‌। ଫଳରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିପାରିବା ବୋଲି ରେଳ କର୍ମଚାରୀ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ‌ରେ ନିୟମିତ ହାତ ଧୋଇବା ଓ ମାସ୍କର ବ୍ୟବହାରକୁ ପ୍ରାଥମିକତା ଦିଆଯିବ। ରେଳ ବ୍ୟବହାରକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ। ୧୦ ଟି ସୋପାନ ପ୍ରଣାଳୀକୁ ଅନୁସରଣ କରି ଭଲ ଭାବେ ହାତ ଧୋଇବା ଓ ସାନିଟାଇଜେସନ୍ ପଦ୍ଧତି ବିଷୟ ପ୍ରଦର୍ଶିତ କରାଯାଉଛି। ମାସ୍କ ନଥିବା ବ୍ୟକ୍ତିଙ୍କୁ ମାସ୍କ ଦିଆଯାଉଛି। ରେଳବାଇ ମେଡିକାଲ ନିର୍ଦ୍ଦେଶିକା ଅରୁନ୍ଧତୀ ସେନାପତି ମାସ୍କ ପିନ୍ଧିବାର ଉପଯୁକ୍ତ ପଦ୍ଧତି ଓ ସାନିଟାଇଜ୍‌ର ବ୍ୟବହାର ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ। ପ୍ଲାଟ୍‌ଫର୍ମ ଓ ଅନ୍ୟାନ୍ୟ ରେଲ୍‌ୱେ କାର୍ଯ୍ୟାଳୟର ପ୍ରବେଶ ପଥରେ ତରଳ ସୋପ୍ ଓ ଆଲ୍‌କହଲ୍‌ଭିତ୍ତିକ ସାନିଟାଇଜର ବ୍ୟବସ୍ଥା ହୋଇଛି। ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ବିଷୟରେ ବାରମ୍ବାର ଘୋଷଣା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ ମେଡିକାଲ ନିର୍ଦ୍ଦେଶକ ରଞ୍ଜନ କୁମାର ପାଣି ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe