ବଜାରରେ ଖାଇବା ତେଲ ମହଙ୍ଗା: ଥରେ ଚଢ଼ଉ କରି ଚୁପ୍‌ ବସିଛି ବିଭାଗ

Advertisment
ବଜାରରେ ଖାଇବା ତେଲ ମହଙ୍ଗା: ଥରେ ଚଢ଼ଉ କରି ଚୁପ୍‌ ବସିଛି ବିଭାଗ

ବାଲେଶ୍ବର: ବାଲେଶ୍ବର ବଜାରରେ ଖାଇବା ତେଲ ମହଙ୍ଗା। ଲିଟର ପିଛା ୩୦ରୁ ୪୦ ଟଙ୍କା ଅଧିକରେ ବିକ୍ରି ହେଉଛି। ଶୋରିଷ ତେଲ ଛାଡ଼ିଦେଲେ ପ୍ରାୟ ସବୁ କମ୍ପାନିର ଖାଇବା ଦେଲ(ରିଫାଇନ୍‌) ଚଢ଼ା ଦରରେ ବିକ୍ରି ହେଉଛି। କିଛି ବିକଳ୍ପ ନଥିବାରୁ ଖାଉଟି ଅଧିକ ମୂଲ୍ୟରେ ବାଧ୍ୟହୋଇ କିଣୁଛନ୍ତି। ତେଲ ମୂଲ୍ୟ ବୃଦ୍ଧି ହେବାର କାରଣ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବୋଲି କୁହାଯାଉଛି। ଏହି ଦୁଇ ଦେଶ‌ରୁ ଖାଇବା ତେଲ ଆମଦାନୀ ହେଉଥିବା ବେଳେ ଯୁଦ୍ଧ ଯୋଗୁଁ ଆମ୍‌ଦାନୀ ବାଧାପ୍ରାପ୍ତ ହୋଇଛି। ଯାହାର ପୂରା ଫାଇଦା ଉଠାଉଛନ୍ତି ମୁନାଫାଖୋର ବ୍ୟବସାୟୀ।

ଯାହା ଜଣାଯାଇଛି, ବହୁ ମୁନଫାଖୋର ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ତେଲର କଳାବଜାର ଆରମ୍ଭ କରିଦେଇଛନ୍ତି। ଖାଉଟିଙ୍କ ଅଭିଯୋଗ ପାଇ ଜିଲ୍ଲାପାଳ ଯୋଗାଣ ବିଭାଗକୁ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯୋଗାଣ ବିଭାଗ କିଛିଦିନ ତଳେ ଥରେ ମାତ୍ର ମୋତିଗଞ୍ଜ ବଜାରରେ ଚଢ଼ଉ କରି ଫେରିଆସିଥିଲା। ଏହା ପରଠୁ ଆଉ ଚଢ଼ଉ ନାହିଁ। ଯାହାର ପୂରା ଫାଇଦା ନେଇ ଖାଉଟିଙ୍କଠାରୁ ଲୁଟୁଛନ୍ତି ବ୍ୟବସାୟୀ।

ପୂର୍ବରୁ ରିଫାଇନ୍ ତେଲ ଲିଟର ପିଛା ୧୪୦/୧୪୫ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହେ ହେଲା ଏହାକୁ ୧୮୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଯୁଦ୍ଧ ଘୋଷଣା ହେବା ପରେ ବ୍ୟବସାୟୀ ତେଲକୁ ଷ୍ଟକ୍‌ କରି ରଖିଦେଇଥିଲେ। ଏବେ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରି ପକେଟ୍‌ ଗରମ କରୁଛନ୍ତି। ଆଜି ନୂଆବଜାରର ଜଣେ ଦୋକାନୀ ରିଫାଇନ୍‌କୁ ୧୮୫ ଟଙ୍କାରେ କାହିଁକି ବିକ୍ରି କରୁଛନ୍ତି ପଚାରିବାରୁ ସେ କହିଥିଲେ, ଆମ ପାଖରେ ତେଲ ଷ୍ଟକ୍‌ ନାହିଁ। କମ୍ପାନି ଡିଲର ପାଖରୁ ଆମେ ୧୮୦ ଟଙ୍କାରେ ତେଲ କିଣୁଛୁ। ଆସନ୍ତାକାଲି ଏହି ରିଫାଇନ୍‌ ୨୧୫ ଟଙ୍କା ହୋଇଯିବ ବୋଲି ଡିଲର କହିଛନ୍ତି। ତେଣୁ ଆମେ କଣ କରିବୁ? ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ଦାବି ହୋଇଛି।

ଅନ୍ୟପକ୍ଷରେ ଆଗକୁ ଆହୁରି ମୂଲ୍ୟ ବଢ଼ିବା ଜାଣି ଖାଉଟି ଆବଶ୍ୟତାଠାରୁ ଅଧିକ ତେଲ କିଣି ଘରେ ଗଚ୍ଛିତ ରଖୁଥିବା ଜଣାପଡ଼ିଛି। ଏହାକୁ ନଜରରେ ରଖି ସହରର ବିଭିନ୍ନ ମଲ୍‌ ଗୁଡ଼ିକରେ ତେଲ କିଣିବାକୁ ନେଇ ଖାଉଟିଙ୍କ ଉପରେ ରୋକ୍‌ ଲଗାଇଛନ୍ତି। ଯେପରି ୫ ଓ ୩ ଲିଟର ବିଶିଷ୍ଟ ତେଲ ବୋତଲ ଗୋଟିଏ କିଣିବାର ଅନୁମତି ଥିବାବେଳେ ୧ ଲିଟର ତେଲ ବୋତଲ ୪ଟି କିଣିବାର ଅନୁମତି ଦିଆଯାଇଛି। ଏନେଇ ମଲ୍‌ ଗୁଡ଼ିକରେ ବଡ଼ ବଡ଼ ଅକ୍ଷରରେ ପୋଷ୍ଟର ସବୁ ଲଗାଯାଇଛି। ଚଢ଼ଉ ସଂର୍ପକରେ ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି, ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି। ଆବଶ୍ୟକତା ଅନୁସାରେ ତେଲ ଆସୁନଥିବାରୁ ବ୍ୟବସାୟୀମାନେ ଏପରି ଚଢ଼ା ଦରରେ ବିକ୍ରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe