ପ୍ରସ୍ତାବିତ ଇକୋ-କଟେଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ କଳିଙ୍ଗା ଗ୍ରାମପଞ୍ଚାୟତବାସୀ

ନିର୍ବାଚନ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଭୋଟ ବର୍ଜନ ନିଷ୍ପତ୍ତି

ପ୍ରସ୍ତାବିତ ଇକୋ-କଟେଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ କଳିଙ୍ଗା ଗ୍ରାମପଞ୍ଚାୟତବାସୀ

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଜଙ୍ଗଲ, ପାହାଡ଼ ପରିବେଷ୍ଟିତ ପ୍ରାକୃତିକ ନୈସର୍ଗିକ ସୌନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଥିବା ଯୋଗୁଁ ଏହା ସବୁବେଳେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ଯେଉଁ ସମୟରେ ଜଙ୍ଗଲ ଓ ପରିବେଶ ବିଭାଗର ବିଭାଗୀୟ ସଚିବ ଥିଲେ ସେ ସେହି ସମୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ କଳିଙ୍ଗା ଠାରେ ଥିବା ସିଲଭିକଲଚର ଗବେଷଣା କେନ୍ଦ୍ର ମଧ୍ୟରେ ଇକୋ-କଟେଜ୍ ନିର୍ମାଣ ପାଇଁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ଥିର କରିଥିଲେ। କିନ୍ତୁ ଉକ୍ତ ଇକୋ-କଟେଜ୍ ନିର୍ମାଣ ପାଇଁ କିଛି ଗଛ କାଟିବାର ଆବଶ୍ୟକତା ଥିଲା।

ଗଛ କାଟିବା ପ୍ରସଙ୍ଗକୁ କେନ୍ଦ୍ର କରି ବିଭାଗ ମଧ୍ୟରେ ବାରମ୍ବାର ସମନ୍ୱୟ ଅଭାବ ଯୋଗୁଁ ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ଵ ହେବ ପ୍ରସ୍ତାବିତ ଇକୋ-କଟେଜ୍ ନିର୍ମାଣ ହୋଇପାରୁନାହିଁ। ଉକ୍ତ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଓ ଆମନ ଚନ୍ଦ୍ର ନାୟକ ଏବଂ କଳିଙ୍ଗା ଗ୍ରାମ ପଞ୍ଚାୟତବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଏବଂ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅନେକ ଥର ଚିଠି ପତ୍ର ଲେଖି ଅବଗତ କରାଇବା ସହ ଟୁଇଟ୍‌ ଏବଂ ଇ-ମେଲ୍‌ ମାଧ୍ୟମରେ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଇକୋ-କଟେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା ନାହିଁ।ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

publive-image

ଯଦିଓ ଇକୋ-କଟେଜ୍ ନିର୍ମାଣ ନିମନ୍ତେ ଗଛ କାଟିବା ପ୍ରସଙ୍ଗକୁ ନେଇ ବିଭାଗ ବିଭାଗ ମଧ୍ୟରେ ବାରମ୍ବାର ସମନ୍ୱୟ ଅଭାବ ରହୁଛି, ତାହାହେଲେ ନିର୍ମାଣ ସ୍ଥାନକୁ ପରିବର୍ତ୍ତନ କରି କଳିଙ୍ଗା ଶିବ ମନ୍ଦିର ର ପଛ ପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନରେ ଇକୋ-କଟେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ର ଆବଶ୍ୟକତା ରହିଛି। ଇକୋ-କଟେଜ୍ ନିର୍ମାଣ ନାମରେ ଗଛ କାଟିବା ପ୍ରସଙ୍ଗକୁ କେନ୍ଦ୍ର କରି ବିଭାଗ ତରଫରୁ କଳିଙ୍ଗା ଗ୍ରାମ ପଞ୍ଚାୟତବାସୀଙ୍କୁ ବାରମ୍ବାର ଉପେକ୍ଷିତ କରିବା ଠିକ୍ ନୁହେଁ। ଇକୋ-କଟେଜ୍ ନିର୍ମାଣ ପାଇଁ ଏହା ହେଉଛି କଳିଙ୍ଗା ଗ୍ରାମପଞ୍ଚାୟତ ବାସିନ୍ଦାଙ୍କ ଶେଷ ଚିଠି। ତେଣୁ ବିଭାଗ ତରଫରୁ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରି ଯଥାଶୀଘ୍ର କଳିଙ୍ଗା ସିଲଭିକଲଚର ଗବେଷଣା କେନ୍ଦ୍ର ମଧ୍ୟରେ କିମ୍ବା କଳିଙ୍ଗା ଶିବ ମନ୍ଦିର ପଛ ପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନରେ ଇକୋ-କଟେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି।

କଳିଙ୍ଗା ଠାରେ ପ୍ରସ୍ତାବିତ ଇକୋ-କଟେଜ୍ ନିର୍ମାଣ କରାଗଲେ ସ୍ଥାନୀୟ ଯୁବପିଢି ଏବଂ ମିସନ ଶକ୍ତି ମା’ମାନେ ରୋଜଗାର କ୍ଷମ ହୋଇପାରିବେ ଏହା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ, ଯାହାଦ୍ଵାରା ବେକାରୀ ସମସ୍ୟାର ଦୂର ହୋଇପାରିବ। ଯଦିଓ ରାଜ୍ୟ ସରକାରଙ୍କ ତରଫରୁ ତଥା ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଳିଙ୍ଗା ଠାରେ ପ୍ରସ୍ତାବିତ ଇକୋ-କଟେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଯାଏ ତାହା ହେଲେ ସମଗ୍ର କଳିଙ୍ଗା ଗ୍ରାମପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ମାନେ ବାଧ୍ୟ ହୋଇ ନିଜର ଦାବି ହାସଲ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ସମ୍ପୁର୍ଣ୍ଣ ଭାବେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe