ଆରମ୍ଭ‌ ହେଲା ଇକୋ ରିଟ୍ରିଟ୍‌: ପର୍ଯ୍ୟଟନରେ ସମ୍ଭାବନାର ତାଲା ଖୋଲିବ

Advertisment

ଓଡ଼ିଶାର ପର୍ଯ୍ୟଟନ ବିଭବ ସୁଦୂରପ୍ରସାରୀ ହେବ

ଓଡ଼ିଶାର ପର୍ଯ୍ୟଟନ ବିଭବ ସୁଦୂରପ୍ରସାରୀ ହେବ

ଆରମ୍ଭ‌ ହେଲା ଇକୋ ରିଟ୍ରିଟ୍‌: ପର୍ଯ୍ୟଟନରେ ସମ୍ଭାବନାର ତାଲା ଖୋଲିବ

ଭୁବନେଶ୍ବର: ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ପଞ୍ଚତାରକା ଟେଣ୍ଟ୍‌ରେ ବିତିବ ରାତି। ଜଳକ୍ରୀଡ଼ା ସାଙ୍ଗକୁ ନୃତ୍ୟ ଗୀତରେ ମଜିବେ ପର୍ଯ୍ୟଟକ। କରୋନା ୮ ମାସ ଦାଉ ସାଧିବା ପରେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ଆଣିଛି ଇକୋ-ରିଟ୍ରିଟ୍। କୋଣାର୍କ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ସାତକୋଶିଆରେ ଆଜି ଉଦଘାଟିତ ହୋଇଛି ପର୍ଯ୍ୟଟନର ଏହି ମହାପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦଘାଟନ କରି କହିଲେ, ଇକୋ ରିଟ୍ରିଟ୍‌ ପାଇଁ ପର୍ଯ୍ୟଟକଙ୍କ ଉତ୍ସୁକତା ହିଁ ଏହାର ସଫଳତା। ସମଗ୍ର ଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଏହା ଆଭ୍ୟନ୍ତରୀରଣ ରାଜ୍ୟରେ ପର୍ଯ୍ୟଟନସ୍ଥଳୀର ବିଭବକୁ ସୁଦୂରପ୍ରସାରୀ କରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ ତାଙ୍କ ବାର୍ତାରେ କହିଛନ୍ତି ଯେ କୋଣାର୍କରେ ଇକୋ ରିଟ୍ରିଟ୍‌ ଓ କୁଚ୍‌ର ରନ ଦେଶ ଓ ଦେଶ ବାହାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭାରତର ସବୁଠୁ ସୁନ୍ଦର କାର୍ଯ୍ୟକ୍ରମ। ମହାମାରୀ ସମୟରେ ରାଜ୍ୟ ସରକାର ଇ କୋ-ରିଟ୍ରିଟ୍‌ ଆୟୋଜନ କରିବା ପ୍ରଶଂସନୀୟ। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ପର୍ଯ୍ୟଟନରେ ଥିବା ବିପୁଳ ସୁଯୋଗ ସମ୍ବନ୍ଧରେ ଆଲୋକପାତ କରିବା ସହ କରୋନା ମହାମାରୀ କାଳରେ ଇକୋ-ରିଟ୍ରିଟ୍‌ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନାର ତାଲା ଖୋଲିବ ବୋଲି କହିଛନ୍ତି।

୫ଟି ଇକୋ-ରିଟ୍ରିଟ୍‌ରେ ବିଭନ୍ନ ପ୍ରକାରର ୧୪୫ଟି ବିଳାସପୂର୍ଣ୍ଣ କଟେଜ୍‌ ରହିଛି। ଏହି ଅବସରରେ ରାମଚଣ୍ଡୀରେ ନୂତନ ଭାବେ ସର୍ଫିଂ, ପାରାସେଲିଂ, ଇ-ସ୍କୁଟର, ମୁକ୍ତାକାଶ ରେସ୍ତୋରାଁ, ବିଚ୍‌ ସାକ୍‌ ଉପଲବ୍ଧ ହେଉଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ବ‌େ‌ଳେ ବୁକିଂ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ମହାପାତ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ, ପୁରୀ ଏଡିଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଭିତରକନିକାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ପ୍ରତାପ ଦେବ, ଶଶୀଭୂଷଣ ବେହେରା ଓ ଧ୍ରୁବ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଦାରିଙ୍ଗବାଡ଼ିରେ ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ସାଲୁଜା ପ୍ରଧାନ, ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ହୀରାକୁଦ ଇକୋ-ରିଟ୍ରିଟ୍‌ରେ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ନାଉରୀ ନାଏକ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆର୍‌ଡିସି ନିରଂଜନ ସାହୁ ଏବଂ ସାତକୋଶିଆ ଇକୋ-ରିଟ୍ରିଟ୍‌ ଉଦଘାଟନ ଉତ୍ସବରେ ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe