ଫେବ୍ରୁଆରି ୧୫ ଯାଏ ଚାଲିବ ଇକୋ ରିଟ୍ରିଟ୍‌

Advertisment

୨୩ରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ, ପ୍ରଥମ ବର୍ଷ ଆଶାତୀତ ସଫଳତା ମିଳିଛି : ପର୍ଯ୍ୟଟନ ସଚିବ

୨୩ରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ, ପ୍ରଥମ ବର୍ଷ ଆଶାତୀତ ସଫଳତା ମିଳିଛି : ପର୍ଯ୍ୟଟନ ସଚିବ

ଫେବ୍ରୁଆରି ୧୫ ଯାଏ ଚାଲିବ ଇକୋ ରିଟ୍ରିଟ୍‌

ଭୁବନେଶ୍ବର : ମେରାଇନ୍ ଡ୍ରାଇଭ୍‌ରେ ଚାଲିଥିବା ‘ଇକୋ ରିଟ୍ରିଟ୍‌’ର ଅବଧି ଆଉ ୧୫ ଦିନ ବଢ଼ାଯାଇଛି। ଜାନୁ୍ଆରି ୩୧ ତାରିଖ ପରିବର୍ତ୍ତେ ଏହା ଫେବ୍ରୁଆରି ୧୫ରେ ଶେଷ ହେବ। ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଇକୋ ରିଟ୍ରିଟ୍‌ରେ କଟେଜ୍ ବୁକିଂ ୬୫ରୁ ୭୦ ପ୍ରତିଶତ ରହୁଛି।

ଇକୋ ରିଟ୍ରିଟ୍‌ ଉତ୍ସବକୁ ସାରା ଦେଶରେ ଅଧିକ ପରିଚିତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ ଏଠାରେ ଆୟୋଜନ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ସେଠାରେ ସେମାନେ ରାତ୍ରୀଯାପନ କରିବାର ବ୍ୟବସ୍ଥା ରହିଛି। ଏହି ସମ୍ମିଳନୀରେ ସାରା ଦେଶର ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହେବ। ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଏହା ବେଶ୍‌ ଗୁରୁତ୍ବ ବହନ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀକୁ ଉଦ୍‌ଘାଟନ କରିବେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ବେଳାଭୂମିରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ‌ଓ ସେଠାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀ ହେଉଥିବାରୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଇବାର ସମ୍ଭାବନା ଦେଖାଦେଇଛି।

ଡିସେମ୍ବର ୧୫ ତାରିଖରୁ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍‌ ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ୫୦ଟି ବିଳାସପୂର୍ଣ୍ଣ ଟେଣ୍ଟ୍‌ କଟେଜ୍ ନିର୍ମାଣ କରାଯାଇଛି। ପ୍ରକୃତି କୋଳରେ ଏହି ‌କଟେଜ୍‌ଗୁଡ଼ିକ ତାରକା ହୋଟେଲ୍‌ର ଅନୁଭବ ଦେଉଛନ୍ତି। ଏହା ସହ ଜଳକ୍ରୀଡ଼ାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଅସ୍ଥାୟୀ ଫୁଡ୍‌ କୋର୍ଟ ଓ ବଜାର ମଧ୍ୟ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ନିଆରା ସୁଯୋଗ ସୃଷ୍ଟି କରିଛି। ସାଧାରଣତଃ କୋଣାର୍କ‌ରେ ସନ୍ଧ୍ୟା ସମୟରେ ପର୍ଯ୍ୟଟକ ରହୁ ନ ଥିଲା ବେଳେ ଇକୋ ରିଟ୍ରିଟ୍‌ କୋଣାର୍କ ଓ ମେରାଇନ୍ ଡ୍ରାଇଭ୍‌କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ରଖୁଛି। ସନ୍ଧ୍ୟା ସମୟରେ ସେଠାରେ ସବୁଦିନେ ଗହଳି ହେଉଥିବା ଦେଖିବାକୁ ମିଳୁଛି।

ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ ବାଦ୍ ବିଭିନ୍ନ ସରକାରୀ ନିଗମ ଓ କର୍ପୋରେଟର୍‌ ହାଉସ୍‌ମାନଙ୍କର ବୋର୍ଡ ବୈଠକ ମଧ୍ୟ ଇକୋ ରିଟ୍ରିଟ୍‌ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଉଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଗମର ବୈଠକ ସେଠାରେ ହୋଇସାରିଲାଣି। ଆସନ୍ତା ୧୭ ତାରିଖରେ ଭୁବନେଶ୍ବରରେ ଜିଲ୍ଲାପାଳ ସମ୍ମିଳନୀ ଡକାଯାଇଛି। ଏହି ସମ୍ମିଳନୀ ପରେ ଜିଲ୍ଲାପାଳମାନଙ୍କ ପାଇଁ ଇକୋ ରିଟ୍ରିଟ୍‌ରେ ରହିବାର ବନ୍ଦୋବସ୍ତ କରାଯାଇଥିବା ଜଣାପଡ଼ିଛି।

ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି, ପ୍ରଥମ ବର୍ଷ ଇକୋ ରିଟ୍ରିଟ୍‌ ଉତ୍ସବ ଆୟୋଜନ କରାଯିବା ଏକ ରିସ୍କ ଥିଲା। କିନ୍ତୁ ଏହା ଆଶାତୀତ ସଫଳତା ପାଇଛି। ବର୍ତ୍ତମାନ ସୁଦ୍ଧା ଇକୋ ରିଟ୍ରିଟ୍‌ରେ ୬୫ରୁ ୭୦ ପ୍ରତିଶତ କଟେଜ୍‌ ବୁକିଂ ହେଉଛି। ଏଠାରେ ରହୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୨୫ ପ୍ରତିଶତ ରାଜ୍ୟ ବାହାରର। ‌ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫେବ୍ରୁ୍ଆରି ୧୫ ଯାଏ ଇକୋ ରିଟ୍ରିଟ୍‌ର ଅବଧି ବୃଦ୍ଧି କରାଯାଇଛି। ଆମର ଦୀର୍ଘ ବେଳାଭୂମିକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବ୍ୟବହାର କରିବା ପାଇଁ ଇକୋ ରିଟ୍ରିଟ୍‌ ଏକ ସୁଯୋଗ ଆଣି ଦେଇଛି। ବାହାରୁ ଆସୁଥିବା ଲୋକମାନେ ଏଠାରେ ଏକ ଭିନ୍ନ ଅନୁଭବ ପାଉଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍‌ର ବ୍ୟାପକ ପ୍ରଚାର, ପ୍ରସାର କରାଯାଉଛି।

ଶ୍ରୀ ଦେବ ଆହୁରି କହିଛନ୍ତି, ଦେଶ ଭିତରେ ବିଭିନ୍ନ ରାଜ୍ୟରେ ପର୍ଯ୍ୟଟର ପ୍ରଚାର, ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଯଦିଓ ବିଦେଶରେ ବିଭିନ୍ନ ଇଭେଣ୍ଟ୍‌ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଂଶଗ୍ରହଣ କରୁଛି, ତେବେ ଦେଶ ଭିତରର ବହୁ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଅଧିକ ଉଦ୍ୟମ କରାଯାଉଛି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୌହାଟୀ, ଚେନ୍ନାଇ ଓ କୋଚିନ୍‌ରେ ପର୍ଯ୍ୟଟନ ବିଭାଗର ରୋଡ୍‌ ସୋ’ ଆୟୋଜନ କରାଯାଇଛି। ଚଳିତ ମାସରେ ରାୟପୁର, ବାରଣାସୀ, ଫେବ୍ରୁଆରିରେ ଅହମଦାବାଦ, ସୁରଟ ଓ ଜୟପୁରରେ ରୋଡ୍‌ ସୋ’ ଅନୁଷ୍ଠିତ ହେବ। ମାର୍ଚ୍ଚ ମାସରେ କ୍ବାଲାଲାମ୍ପୁର, ବ୍ୟାଙ୍କକକ୍ ଓ ବାଲିରେ ରୋଡ୍‌ ‌େସା’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe