କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ଦିନ କେଇଟା ମଧ୍ୟରେ ୧୧ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। 'ସମ୍ବାଦ'ରେ ଏ ନେଇ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ସହ ପ୍ରଶାସନିକ ଅଧିକାରୀ ଗାଁକୁ ଘନଘନ ଗସ୍ତ କରି ସ୍ଥିତି ପରଖୁଛନ୍ତି। ଏଠାରେ ଦୂଷିତ ପାଣି ମୃତ୍ୟୁର କାରଣ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଜଣାପଡ଼ିଥିଲେ ହେଁ ବିଶୁଦ୍ଧ ପାଣି ଯୋଗାଇବା ଦିଗରେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ସବୁଠାରୁ ବଡ଼ କଥା ହେଲା, ଏହି ଆଦିମ ଜନଜାତିଙ୍କ ଖାଦ୍ୟାଭ୍ୟାସ ଏବେ ଚିନ୍ତାର କାରଣ ପାଲଟିଲାଣି। ଏଠାକାର ଲୋକଙ୍କୁ ରାସନ୍ କାର୍ଡରେ ଚାଉଳ ମିଳୁଛି। ହେଲେ ଭାତ ସହ ଡାଲି ଓ ତରକାରି ଏମାନଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ କହିଲେ ଚଳେ। ଜଙ୍ଗଲି ଶାଗ, ଛତୁ, କନ୍ଦା ମିଳିଗଲେ ଭଲକଥା। ନହେଲେ ପଖାଳ କଂସା ପାଖରେ ଲୁଣ, ଆମ୍ବୁଲରେ ଏମାନଙ୍କ ପେଟ ପୂରୁଛି। ପୁଷ୍ଟିକର ଖାଦ୍ୟ କଣ ଏମାନେ ଏଯାଏ ଜାଣନ୍ତି ନାହିଁ। ଗୋଟିଏ ଉଦାହରଣ ନେଲେ କଥାଟି ସ୍ପଷ୍ଟ ହୋଇଯିବ।
ଜୁଆଙ୍ଗ ସାହିର ସୁନିଆ ଜୁଆଙ୍ଗ, ପତ୍ନୀ ରଶ୍ମି ଜୁଆଙ୍ଗ ଓ ସାନଝିଅ ନିନି ଜୁଆଙ୍ଗ ଇତିମଧ୍ୟରେ ପ୍ରାଣ ହରାଇଛନ୍ତି। ଏବେ ଘରେ ଅଛନ୍ତି ଚାରିଝିଅ ପୁଷ୍ପାଞ୍ଜଳି (୧୨), ସାବିତ୍ରୀ (୧୦), ରଂଜିତା (୭) ଓ ନିର୍ମଳା (୨)। ବାପାମାଙ୍କ ମୃତ୍ୟୁ ପରେ ଏହି ଅନାଥମାନେ ୮୦ ବର୍ଷର ଜେଜେମାଙ୍କ ପାଖରେ ଆଶ୍ରୟ ନେଇଛନ୍ତି। ଆଜି ଗ୍ରାମରେ ସ୍ଥିତି ପରଖିବା ବେଳେ ସେମାନଙ୍କ ଭାତକଂସା ଉପରେ ନଜର ପଡ଼ିଥିଲା। ଚାରି ଭଉଣୀ ଗୋଟିଏ କଂସାରେ ଭାତ ଖାଉଥିଲେ। ପାଖରେ ଏକ ଶାଳପତ୍ରରେ ଥିଲା ଲୁଣ, କଞ୍ଚାଲଙ୍କା ଆଉ ଆମ୍ବୁଲ। ପଚାରି ବୁଝିବାରୁ ଜଣାପଡ଼ିଲା ଏହି ଅଭାବୀ ପରିବାରର ଏହା ହିଁ ସବୁଦିନିଆ ଖାଦ୍ୟ। କେବଳ ସୁନିଆଙ୍କ ପରିବାର ନୁହେଁ ଲକ୍ଷ୍ମୀ ଜୁଆଙ୍ଗ (୨୫)ଙ୍କ ମୃତ୍ୟୁ ପରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ସ୍ବାମୀ ବିଜୁ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ପରମେଶ୍ବରଙ୍କୁ ତାର ଜେଜେମା ପାଖରେ ଛାଡ଼ି ଦେଇଛନ୍ତି। ସେହିପରି ସୁକୁମାରୀ ଜୁଆଙ୍ଗଙ୍କ ମୃତ୍ୟୁ ପରେ ସ୍ବାମୀ କାନ୍ଦରା ନିଜ ଚାରିଝିଅଙ୍କୁ କିଭଳି ଲାଳନ ପାଳନ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହି ଦୁଇ ପରିବାରର ଖାଦ୍ୟାଭ୍ୟାସ ମଧ୍ୟ ସୁନିଆଙ୍କ ପରିବାର ପରି ସମାନ ଥିଲା।
ଟଙ୍କିକିଅା ଚାଉଳକୁ ଲୁଣ, ଆମ୍ବୁଲ ଭରସା
ମାଡ଼ିଗଲାଣି ପୁଷ୍ଟିହୀନତା, ଆବାସ ଅପହଞ୍ଚ
ରକ୍ତ ପରୀକ୍ଷା କଲା ଡାକ୍ତରୀ ଦଳ
ଜୁଆଙ୍ଗ ସାହିବାସୀଙ୍କୁ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇ ଦିଆଯାଉଛି। ହେଲେ ଡାଲି କିମ୍ବା ପନିପରିବା ଏମାନଙ୍କ ପାଇଁ ସ୍ବପ୍ନ। ପୁଷ୍ଟିକର ଖାଦ୍ୟ ଅଭାବରୁ ଜୁଆଙ୍ଗମାନେ ରକ୍ତହୀନତା ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କୁହାଯାଉଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅନେକ ଥିଲାବାଲାଙ୍କୁ ଆବାସ ମିଳୁଛି। ଏପରିକି ଅନେକ ପରିବାର ଏକାଧିକ ଆବାସ ହାତେଇବାର ନଜିର ରହିଛି। କିନ୍ତୁ ଗରିବ ଜୁଆଙ୍ଗମାନେ ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇ ଆଜି ଭଙ୍ଗା ଖପର ଘରେ ରହୁଥିବା ଦେଖିବାକୁ ମିଳିଛି।
ଆହୁରି ଉଦ୍ବେଗର ବିଷୟ ହେଲା, ରାଜ୍ୟ ସରକାର ଡିଏମ୍ଏଫ୍ ପାଣ୍ଠି ଅର୍ଥରେ ପୂରା ଓଡ଼ିଶାର ବିକାଶର ଚିତ୍ର ଆଙ୍କୁଛନ୍ତି। ହେଲେ ଦୀପ ତଳ ଅନ୍ଧାର ଭଳି ଏ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ପାଇଁ ଏ ଅର୍ଥରୁ ଗୋଟିଏ ଭାଗ ଖର୍ଚ୍ଚ ହୋଇପାରିନାହିଁ। କେବଳ ସେତିକି ନୁହେଁ, ଏତେ ସଂଖ୍ୟକ ଜୁଆଙ୍ଗଙ୍କ ସ୍ଥିତି କିଭଳି ରହିଛି, ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଯଦି ଥରୁଟିଏ ନଜର ପକାଇଥାନ୍ତା, ତେବେ ଅର୍ଥନୀତିରେ ଆଗୁଆ କେନ୍ଦୁଝରରେ ଏହି ଅଞ୍ଚଳର ଲୋକମାନେ ପଛୁଆ ନଥାନ୍ତେ। ସେହିଭଳି ଜିଲ୍ଲା ପ୍ରଶାସନ ମଧ୍ୟ ଏମାନଙ୍କ ଅଭ୍ୟାସ ବଦଳାଇବା ପାଇଁ ଯେଉଁ କସରତ କରିବା କଥା, ତାହା ପରିଲକ୍ଷିତ ହେଉନାହିଁ। ଆଜି ଜୁଆଙ୍ଗ ସାହିରେ ବୁଲିବା ବେଳେ ଏସବୁ ବିକଳ ଚିତ୍ର ଆଦୌ ଲୁଚିପାରିନଥିଲା। ସେହିଭଳି ଏମାନଙ୍କ ବିକାଶ ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା ରହିଛି। କିନ୍ତୁ ଏହା ଜୁଆଙ୍ଗଙ୍କ ଉନ୍ନତି ସାଧନରେ ସଫଳ ହୋଇପାରିନାହିଁ। ଜୁଆଙ୍ଗମାନେ ଖାଦ୍ୟ, ବାସଗୃହ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ସେପଟେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ଜୁଆଙ୍ଗ ସାହିରେ ପହଞ୍ଚି ୧୨୬ଜଣଙ୍କ ରକ୍ତ ପରୀକ୍ଷା କରିଥିଲା। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଠାରେ ରକ୍ତହୀନତା ଓ ୧୨ଜଣ ଯକ୍ଷ୍ମା ସନ୍ଦିଗ୍ଧ ବୋଲି ସିଡିଏମ୍ଓ ଡ. କିଶୋର ପୃଷ୍ଟି ସୂଚନା ଦେଇଛନ୍ତି। ସେହିପରି ଆଜି କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନେତୃତ୍ବରେ ଏକ ଟିମ୍ ସାହିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
Follow Us