ବିଧାୟକଙ୍କ ଭାଇଙ୍କୁ ଇଡିର ଜେରା : ଭୁବନେଶ୍ବରର ଜଣେ ବିଧାୟକ, ପୂର୍ବତନ ବିଧାୟକ ଓ ବିଲଡରଙ୍କୁ ହୋଇପାରେ ନୋଟିସ୍

Advertisment
ବିଧାୟକଙ୍କ ଭାଇଙ୍କୁ ଇଡିର ଜେରା : ଭୁବନେଶ୍ବରର ଜଣେ ବିଧାୟକ, ପୂର୍ବତନ ବିଧାୟକ ଓ ବିଲଡରଙ୍କୁ ହୋଇପାରେ ନୋଟିସ୍

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଛନ୍ତି। ଗଙ୍ଗାଧର ହେଉଛନ୍ତି, କଟକ ପ୍ରତାପନଗରୀରେ ଥିବା ଲ୍ୟାଣ୍ଡ ରୋଭର୍ କାର ସୋ’ରୁମ୍ ମାଲିକ। ତାଙ୍କର ଏକ ଜେସିବି ସୋରୁମ୍ ମଧ୍ୟ ରହିଛି। ସେ ଅର୍ଚ୍ଚନାଙ୍କ ସହିତ ୩୫ ଲକ୍ଷ ଟଙ୍କା ବ୍ୟାଙ୍କ କାରବାର କରିଥିଲେ। କେଉଁ ପରିସ୍ଥିତିରେ ଗଙ୍ଗାଧର ଅର୍ଚ୍ଚନାଙ୍କୁ ୩୫ ଲକ୍ଷ ଟଙ୍କା ଦେଇଥିଲେ, ସେ ନେଇ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା କରାଯାଇଥିଲା। ସେହିପରି ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଖଗେଶ୍ବରଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଇଡି ଆଉ ଦୁଇ ପାଦ ଆଗକୁ ଯାଇ ଅର୍ଚ୍ଚନାଙ୍କ ସତ୍ୟବିହାରରେ ଥିବା ପ୍ଲଟ୍ ଉପରେ ନଜର ପକାଇଛି। ଅର୍ଚ୍ଚନା ସେହି ପ୍ଲଟ୍ କେଉଁ ବିଲଡର ଠାରୁ କିଣି ଥିଲେ। କିଏ ତାଙ୍କୁ ଏହି ପ୍ଲଟ ବିକ୍ରି କରିଥିଲା ସେ ନେଇ ତଥ୍ୟ ପାଇଛି ଇଡି।

ଆଜି ସକାଳ ପ୍ରାୟ ୧୦ଟାବେଳେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ଗଙ୍ଗାଧର। ଗଙ୍ଗାଧର ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ସେ ୩୫ ଲକ୍ଷ ଟଙ୍କା ପଠାଇଥିଲେ। କେଉଁ ପରିସ୍ଥିତିରେ ସେ ଏତେ ଟଙ୍କା ଅର୍ଚ୍ଚନାଙ୍କୁ ଦେଇଥିଲେ ସେ ନେଇ ସେ ଜେରାର ସମ୍ମୁଖୀନ ହୋଇଥିଲେ। ସେ ଅର୍ଚ୍ଚନାଙ୍କ ନାଗଫାସ କିମ୍ବା ସେକ୍ସୋଟସର୍ନର ଶିକାର ହୋଇଥିଲେ କି? ଅର୍ଚ୍ଚନାଙ୍କୁ ସେ କେବେଠାରୁ ଚିହ୍ନିଥିଲେ? କିପରି ତାଙ୍କର ଅର୍ଚ୍ଚନାଙ୍କ ସମ୍ପର୍କ ଥିଲା? ତାଙ୍କଠାରୁ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାରେ ଲାଗିଛି। ଇଡି କାର୍ଯ୍ୟାଳୟରୁ ବାହାରି ଗଙ୍ଗାଧର କହିଛନ୍ତି, ଅର୍ଚ୍ଚନା ଏକ କାର କିଣିବା ପାଇଁ ତାଙ୍କୁ ୩୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। କିନ୍ତୁ ଚେକ୍ ବ୍ୟାଙ୍କରେ ଲଗାଇବା ପରେ ଇନକମ୍ ଟ୍ୟାକ୍ସ ଜନିତ ସମସ୍ୟା ଦେଖା ଦେବାର ଆଶଙ୍କା ଥିଲା। ତେଣୁ ମୁଁ ସେହି ସେହି ଚେକକୁ ବ୍ୟାଙ୍କ ମାଧ୍ୟମରେ ଫେରାଇ ଦେଇଥିଲି। ମୁଁ ନଗଦରେ ୩୫ ଲକ୍ଷ ଟଙ୍କା ଦେବା କଥା ସଂପୂର୍ଣ୍ଣ ମିଛ। ଦୟାକରି ଏଭଳି ଖବରରୁ କ୍ଷାନ୍ତ ରୁହନ୍ତୁ ବୋଲି ଗଙ୍ଗାଧର କହିଛନ୍ତି। ଗଙ୍ଗାଧରଙ୍କୁ ଇଡି ଜେରା କରିବା ପରେ ଏବେ ଉଭୟ ଢେଙ୍କାନାଳ ଓ ରାଜ୍ୟ ରାଜନୀତିରେ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଆଜି ଖଗେଶ୍ବରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଇଡି ଅଧିକାରୀମାନେ ତାଙ୍କୁ କୋର୍ଟ ନେବାକୁ ବାହାରିବାବେଳେ ଖଗେଶ୍ବର ଗଣମାଧ୍ୟମକୁ କହିଥିଲେ, ଶ୍ରଦ୍ଧାଞ୍ଜଳି କିଏ ମୁଁ ଚିହ୍ନି ନାହିଁ। ମୁଁ କାହାଠାରୁ ୫ଟଙ୍କା ମଧ୍ୟ ଖାଇନାହିଁ। ସମୟକୁ ଅପେକ୍ଷା କର ସବୁ ସତ ବାହାରି ଆସିବ। ଖୁବ୍ ଶୀଘ୍ର ଅନେକ ବଡ଼ ବଡ଼ିଆ ଗିରଫ ହେବେ। ଅର୍ଚ୍ଚନାଙ୍କ ସତ୍ୟବିହାର ପ୍ଲଟ ବାବଦରେ ଇଡିକୁ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଯେଉଁ ପ୍ଲଟରେ ଅର୍ଚ୍ଚନା ରହୁଥିଲେ, ସେହି ଗୋଟିଏ ପ୍ଲଟରେ ମଧ୍ୟ ଖଗେଶ୍ବର ରୁହନ୍ତି। ଅର୍ଥାତ ଗୋଟିଏ ପ୍ଲଟରେ ଅର୍ଚ୍ଚନା ଓ ଖଗେଶ୍ବରଙ୍କ ବିଲଡିଂ। ଅର୍ଚ୍ଚନାଙ୍କ ଘରୁ ଖଗେଶ୍ବରଙ୍କ ଘରକୁ ରାସ୍ତା ମଧ୍ୟ ରହିଛି। ତେଣୁ ଏଭଳି ଏକ ବିଚିତ୍ର ପ୍ଲଟ ଦେଖି ଖଗେଶ୍ବରଙ୍କୁ ଜେରା କରିଥିଲା ଇଡି। ଜେରାବେଳେ ମଧ୍ୟ ଉକ୍ତ ପ୍ଲଟକୁ ନେଇ ସେକ୍ସୋଟର୍ସନ କଥା ଉଠିଛି। କୁହାଯାଇଛି ଜଣେ ପୂର୍ବତନ ବିଧାୟକ ପ୍ଲଟ କିଣିବାରେ ସ୍ଥାନୀୟ ଜଣେ ବିଲଡରକୁ ଚାପ ପ୍ରୟୋଗ କରିଥିବା ବେଳେ ଜଣେ ବିଧାୟକ ପାଚେରି ଓ ଘର ତିଆରିରେ ମୁଖ୍ୟ ଭୂମିକା ନେଇଥି‌ଲେ। ଦୁହେଁ ଅର୍ଚ୍ଚନାଙ୍କ ମାୟାଜାଲରେ ପଡ଼ିଥିବା ଚର୍ଚା ହେଉଛି। ପ୍ଲଟ କିଣିବା ଓ ଘର ତିଆରି କରାଇବାରେ ବିଧାୟକଙ୍କ ଅତ୍ୟନ୍ତ ଖାସ୍ ଯୁବକ ଜଣକ ଏହାର ସଂପୂର୍ଣ୍ଣ ଦାୟିତ୍ବ ନେଇଥିଲେ। ଇଡି ଏହା ମଧ୍ୟ ଜାଣିବାକୁ ପାଇଛି ଯେ ସେହି ଯୁବକ ଜଣକ ଅର୍ଚ୍ଚନାଙ୍କ ଖାସ୍ ସହଯୋଗୀ ଥିଲେ। ଯେତେବେବେଳେ ଅର୍ଚ୍ଚନାଙ୍କ ପତି ଜଗବନ୍ଧୁଙ୍କୁ ଗୁଳିମାଡ଼ ହୋଇଥି‌ଲା ସେହି ଯୁବକ ଜଣକ ମଞ୍ଚେଶ୍ବର ଥାନାରେ ମାମଲାକୁ ରଫାଦଫା କରିଥିଲେ। ଆଉ ବଡ଼ କଥା ହେଉଛି ଅର୍ଚ୍ଚନାଙ୍କ ଏଣ୍ଡେଭର କାରକୁ ସେହି ଯୁବକ ଜଣକ ମଞ୍ଚେଶ୍ବର ଅଞ୍ଚଳରେ ଲୁଚାଇଥିଲେ। ଇଡ଼ି ତନାଘନା କରିବା ପରେ କାରକୁ ରାତି ଅଧିଆ ଆଣି ନିଛାଟିଆ ସ୍ଥାନରେ ଛାଡ଼ି ଦେଇଥି‌‌ଲେ। ତେଣୁ ଇଡି ଏବେ ସଂପୃକ୍ତ ବିଲଡର, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ନୋଟିସ୍ କରିପାରେ। ସେମାନେ ଖୁବ୍ ଶୀଘ୍ର ଇଡ଼ିରେ ହାଜର ହୋଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଖବର ମିଳିଛି।

ଆସନ୍ତା ୩୦ ତାରିଖରେ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଇବ ଇଡି। କୋର୍ଟରେ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହେବ। ସେହି ଦିନ ଇଡି ପକ୍ଷରୁ ଅର୍ଚ୍ଚନା କିମ୍ବା ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦକ କରିପାରେ। ଅର୍ଚ୍ଚନା ରିମାଣ୍ଡରେ ଆସିଲେ ଅନେକ ରୋଚକପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିପାରେ। ଅନ୍ୟପକ୍ଷରେ ଇଡି ପକ୍ଷରୁ ସିଆରପିଏଫକୁ ଚିଠି କରାଯାଇଛି ଅଧିକ ସଂଖ୍ୟକ ଫୋର୍ସ ଯୋଗାଇ ଦେବାକୁ। ଏହି ଚିଠିରୁ ଅନୁମାନ କରାଯାଉଛି ଆସନ୍ତା ସପ୍ତାହକ ମଧ୍ୟରେ ଇଡି ଜାଲରେ ଅନେକ ବଡ଼ ବଡ଼ିଆ ପଡ଼ି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe