ବ୍ରାଉନସୁଗାର ବେପାରୀଙ୍କ କଳା ସାମ୍ରାଜ୍ୟର ତନାଘନା କରିବ ଇଡି

ଓଡ଼ିଶାରେ ପ୍ରଥମ, ଦୁର୍ନୀତିଗ୍ରସ୍ତଙ୍କୁ ବି ମିଳିବନି ନିସ୍ତାର, କାର୍ଯ୍ୟାନୁଷ୍ଠାନ ଦେଖି ପଶିଲା ଛନକା

ବ୍ରାଉନସୁଗାର ବେପାରୀଙ୍କ କଳା ସାମ୍ରାଜ୍ୟର ତନାଘନା କରିବ ଇଡି

Outlook India

ଭୁବନେଶ୍ୱର : ବିଶେଷ କରି ଚିଟ୍‌ଫଣ୍ଡ ମାମଲାର ଖୋଳତାଡ଼ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶା​ଳୟ) ଏବେ ରାଜ୍ୟରେ ନିଶା କାରବାର ଉପରେ ଫୋକସ୍ କରିଛି। ରାଜ୍ୟରେ ବ୍ରାଉନସୁଗାର କାରବାର ମାଡ଼ି ଚାଲିଥିବା ବେଳେ ବେପାରୀଙ୍କ କଳା ସାମ୍ରାଜ୍ୟର ଛାନଭିନ୍ କରିବ ଇଡି। ଗତ ମାର୍ଚ୍ଚ ମାସରେ ବାଲେଶ୍ବର ନୀଳଗିରି ଅଞ୍ଚଳରୁ ଧରା ପଡ଼ିଥିବା ବ୍ରାଉନସୁଗାର ବେପାରୀ ଲୋକନାଥ ବେହେରା ଓରଫ୍ ମିଟୁର ଉପାର୍ଜିତ କଳାଧନର ଖୋଳତାଡ଼ କରିବ ତଦନ୍ତକାରୀ ସଂସ୍ଥା। ଇଡି ଏ ସଂକ୍ରାନ୍ତରେ ବେଆଇନ ଆର୍ଥିକ କାରବାର ମାମଲା ରୁଜୁ କରିଥିବା ବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଠାରୁ ଲୋକନାଥ ଗିରଫଦାରି ନେଇ ନଥିପତ୍ର ସଂଗ୍ରହ କରିଛି। ଖୁବଶୀଘ୍ର ଲୋକନାଥକୁ ଜେରା କରିବ। କୌଣସି ନିଶା କାରବାର ମାମଲାରେ ସମ୍ପୃକ୍ତ ଥିବା ବେପାରୀଙ୍କ ବିରୋଧରେ ଇଡି ତଦନ୍ତ କରିବା ଓଡ଼ିଶାରେ ପ୍ରଥମ ବୋଲି ଜଣାପଡ଼ିଛି।

କୁଖ୍ୟାତ ବ୍ରାଉନସୁଗାର ବେପାରୀ ଲୋକନାଥ କେଉଁଠୁ ବ୍ରାଉନସୁଗାର ଆଣୁଥିଲା? ଏହି ବେପାର ଅର୍ଥ କେଉଁଠି ବିନିଯୋଗ କରୁଥିଲା? ଲୋକନାଥର କି କି ବ୍ୟବସାୟ ରହିଛି? ବ୍ରାଉନସୁଗାର ବିକ୍ରି ଅର୍ଥରେ ସେ କେତେ ପରିମାଣର ସମ୍ପତ୍ତି, ସୁନା ଅଳଙ୍କାର, ବ୍ୟାଙ୍କ ଜମା ରଖିଛି ସେ ନେଇ ଇଡି ଅନୁସନ୍ଧାନ କରିବ। ଯିଏ ବ୍ରାଉନସୁଗାର ଯୋଗାଉଥିଲା ତାହାର ସମ୍ପତ୍ତି କେତେ ରହିଛି? ପ୍ରମାଣ ମିଳିବା ପରେ ଇଡି ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି କରିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଇଡି କେବଳ ଚିଟଫଣ୍ଡରେ କିମ୍ବା ବଡ଼ ବଡ଼ବଡ଼ କମ୍ପାନି ଠକେଇ ମାମଲାରେ ତଦନ୍ତ କରିବ ସେ କଥା ନୁହେଁ ଏବେ ସ୍କାନରରେ ରହିଛନ୍ତି କୋଟିପତି ବାବୁ। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚା​ଳନା ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ଅଜୟ ଦାସଙ୍କ ସମ୍ପତ୍ତି ଛାନଭିନ୍ କରିବା ପାଇଁ ଗତକାଲି ମାମଲା ରୁଜୁ କରି ସାରିଛି। ଭିଜିଲାନ୍ସ ଚଢ଼ଉ ବେଳେ ଅଜୟଙ୍କର ଏକାଧିକ କୋଠା, ଜମି ସହ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଏବେ ଇଡି ଅଜୟଙ୍କ ସମ୍ପତ୍ତିର ଅଧିକ ତନାଘନା କରିବ। କେମିତି କଳାଧନକୁ ଧଳା କରିଥିଲେ? କେଉଁ ସୂତ୍ରରୁ କୋଟି କୋଟି ଟଙ୍କା ଆୟ କରୁଥିଲେ? କଳାଧନ ବିନିଯୋଗ କରି କିଛି ବ୍ୟବସାୟ ଖୋଲିଛନ୍ତି କି? ସମ୍ପତ୍ତି ଆୟ ପଛରେ ଆଉ କାହାର ଭାଗିଦାରି ରହିଛି କି? ଏ ସବୁ ଦିଗକୁ ନେଇ ଖୋଳତାଡ଼ କରିବ। ଇଡି କ​ଳାଧନ ସମ୍ପର୍କିତ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ହୋଇଥିବାରୁ ବାବୁଙ୍କ ପାଇଁ ଅଧିକ ଅଡୁଆ ରହିଛି। ଅଜୟ ଇଡି ସ୍କାନରକୁ ଆସିବା ପରେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଭିତରେ ଛନକା ପଶିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ସରକାରୀ ବାବୁଙ୍କର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି ସେଥିରେ ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିପାରିବ। ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଅନେକ ଅଧିକାରୀଙ୍କର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହେଉଛି। କିନ୍ତୁ ଅଜୟଙ୍କ ଭଳି ଯେଉଁ ବାବୁଙ୍କର ବିପୁଳ ପରିମାଣର ସମ୍ପତ୍ତି ଠାବ ହେଉଛି କିମ୍ବା ବେଆଇନ ଆୟର ସୂତ୍ର ଅଧିକ ରହିଛି, କଳାଧନକୁ ବିଭିନ୍ନ ବାଟରେ ବିନିଯୋଗ କରି ଧଳା କରି ଦେଉଛନ୍ତି ସେମାନଙ୍କ ବିରୋଧରେ ଇଡି ମାମଲା ରୁଜୁ କରି ଛାନଭିନ୍ କରିବ। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ କେତେକ କୋଟିପତି ଦୁର୍ନୀତିଗ୍ରସ୍ତ ବାବୁ ଇଡି ସ୍କାନରକୁ ଆସି ସାରିଛନ୍ତି। ଆଗକୁ ଆହୁରି ଜୋରଦାର ହେବ ବୋଲି ଜଣାପଡ଼ିଛି।

ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି, ବ୍ରାଉନସୁଗାର ବେପାରୀ ହୁଅନ୍ତୁ କି ସରକାରୀ ବାବୁ ସମସ୍ତେ ଏବେ ଅଠାକାଠିରେ ପଡ଼ିବେ। ପୂର୍ବରୁ ଗୋଟିଏ ମାମଲାରେ ଛନ୍ଦି ହୋଇଥିବା ବେଳେ ଏବେ ଆଉ ଗୋଟିଏ ମାମଲା ଯୋଡ଼ି ହୋଇଯାଇଛି। ଇଡି ରୁଜୁ କରିଥିବା ବେଆଇନ ଆର୍ଥିକ କାରବାର, କଳାଧନ ମାମଲାରେ ଜେଲ୍ ଦଣ୍ଡ ସହ ଜରିମାନା ବ୍ୟବସ୍ଥା ରହିଛି। ଇଡି ମାମଲା ହାତକୁ ନେବା ପରେ ଅଡ଼ୁଆ ନିଶ୍ଚିତ ବଢ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୧୮ ତାରିଖରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୨.୭ କେଜି ବ୍ରାଉନସୁଗାର ଜବତ କରିଥିଲା। ଏହାର ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରା ଯାଇଥିଲା। ଏହି ମାମଲାରେ ଏସଟିଏଫ୍ ଲୋକନାଥ ବେହେରା ଓରଫ୍ ଲକି ଏବଂ ତା'ର ସହଯୋଗୀ ପ୍ରଦୀପ କୁମାର ଦାସକୁ ଗିରଫ କରିଥିଲା। ସେମାନେ ବି.ଟେକ୍ ଛାତ୍ର ବୋଲି ଏସଟିଏଫ୍ ଜାଣିବାକୁ ପାଇଥିଲା। ଗତ ଅଗଷ୍ଟ ୧୩ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚା​ଳନା ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ତଥା ବିତ୍ତ ଉପଦେଷ୍ଟା ଅଜୟ ଦାସ। ତାଙ୍କର ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe