ରାଜ୍ୟର ଦୁର୍ଗମ ଅଞ୍ଚଳର ଗାଁରେ ଅସୁରକ୍ଷିତ ସ୍କୁଲ ଗୃହ, ନାହିଁ ପାନୀୟ ଜଳ ସୁବିଧା

Advertisment

ରାଜ୍ୟପାଳଙ୍କ ନିକଟରେ ମାଳମାଳ ସମସ୍ୟା ଓଗାଳିଥିଲେ ଗ୍ରାମବାସୀ

ରାଜ୍ୟପାଳଙ୍କ ନିକଟରେ ମାଳମାଳ ସମସ୍ୟା ଓଗାଳିଥିଲେ ଗ୍ରାମବାସୀ

ରାଜ୍ୟର ଦୁର୍ଗମ ଅଞ୍ଚଳର ଗାଁରେ ଅସୁରକ୍ଷିତ ସ୍କୁଲ ଗୃହ, ନାହିଁ ପାନୀୟ ଜଳ ସୁବିଧା
ରାୟଗଡ଼ା: ସଦର ବ୍ଲକରେ ଏଭଳି ଗ୍ରାମ ରହିଛି ଯେଉଁଠି ଆଜି ବି ସରକାରୀ ଯୋଜନା ସାତସପନ। ଏଠାରେ ଦେଖିବାକୁ ମିଳେ ଶିକ୍ଷାର ବିକଳ ଚିତ୍ର। ଶିକ୍ଷକ ଥିଲେ ଶ୍ରେଣୀ ଗୃହ ନାହିଁ। ସେହିପରି ପିଲା ଥିଲେ ଶିକ୍ଷକଙ୍କର ଅଭାବ ଦେଖିବାକୁ ମିଳେ। ଏଭଳି ଏକ ଗ୍ରାମ ହେଉଛି ଗୁମ୍ମା ପଞ୍ଚାୟତର ଲେଳିବାଡି ଗ୍ରାମ। ଶୁକ୍ରବାର ରାଜ୍ୟପାଳ ରଘୁବର ଦାସ ଏହି ପଞ୍ଚାୟତର ପରିଦର୍ଶନକୁ ଯାଇଥିଲେ।ଏଠାରେ ମାଳମାଳ ସମସ୍ୟା ଦେଖି ତୁରନ୍ତ ପୂରଣ ନେଇ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ସେହି ସମସ୍ୟା ମଧ୍ୟରୁ ଶିକ୍ଷା ବଡ ସମସ୍ୟା ହୋଇ ଉଠିଛି। ଏହି ଗ୍ରାମରେ ରହିଛି ପ୍ରାଥମିକ ସ୍କୁଲ। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ୩୦ ଜଣ ପିଲାଙ୍କୁ ପାଠ ପଢାଇବା ପାଇଁ ୩ ଜଣ ଶିକ୍ଷକ ରହିଛନ୍ତି। କିନ୍ତୁ ସ୍କୁଲ ଗୃହ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଗୃହର ଛାତ ଫାଟି ଆଁ ଦିଶୁଛି। ଲୁହା ରଡଗୁଡିକ ଦିଶୁଥିବା ବେଳେ ବର୍ଷା ଦିନେ ପାଣି ଗଳୁଛି। କୌଣସି ମୁହୂର୍ତ୍ତରେ ଛାତ ଗଢ଼ିପଡିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ। ମାତ୍ର ଗୋଟିଏ କଠୋରୀରେ ୫ଟି ଶ୍ରେଣୀ ଚାଲିଛି। ସ୍କୁଲ ଗୃହଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଅଭିଭାବକମାନେ ସ୍କୁଲକୁ ପିଲାଙ୍କୁ ଛାଡିବାକୁ ଅମଙ୍ଗ ହେଉଥିବା ଲକ୍ଷ୍ୟ କରାଯାଇଛି। ବାରମ୍ବାର ଏନେଇ ବିଇଓ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମରେ ଶିକ୍ଷା ଠାରୁ ବଳି ଯାଇଛି ପାନୀୟ ଜଳ ସଂକଟ। ଗ୍ରାମରେ ପ୍ରାୟ ୭୦ ପରିବାର ବସବାସ କରୁଥିବା ବେଳେ ୩୦୦ରୁ ଊର୍ଦ୍ଧ୍ବ ଲୋକ ରହୁଛନ୍ତି। ତେବେ ଏମାନଙ୍କ ପାଇଁ ପିଇବା ପାଣିର କୌଣସି ଉତ୍ସ ନାହିଁ। ଝରଣା ପାଣି ଉପରେ ଦୀର୍ଘ ବର୍ଷ ହେଲା ଏମାନେ ଭରସା କରି ରହିଛନ୍ତି। ଫଳରେ ବହୁ ସମୟରେ ସଂକ୍ରାମକ ରୋଗର ଶିକାର ମଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। ପ୍ରତିଦିନ ସକାଳୁ ଗ୍ରାମର ମହିଳାମାନେ ପାଖରେ ଥିବା ଏକ ଝରଣାକୁକ ଯାଇ ପାଣି ସଂଗ୍ରହ କରି ଘରକୁ ଆଣନ୍ତି। ଏହି ପାଣିରେ ରୋଷେଇ ହୋଇଥାଏ। ଏହି ପାଣିକୁ ଲୋକେ ପିଅନ୍ତି। ଏନେଇ ରାୟଗଡା ବିଡିଓଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ଦେଇ ଓହରିଯାଇଛନ୍ତି ବୋଲି ଗ୍ରାମବାସୀ କହନ୍ତି। ପୁଣି ଗ୍ରାମକୁ ଯିବାକୁ ହେଲେ ପକ୍କା ରାସ୍ତାଟିଏ ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଲେଳିବାଡି ଗ୍ରାମଟି ପ୍ରାୟ ୬ କିଲୋମିଟର ହେବ। ଜଂଗଲିଆ ରାସ୍ତା ଦେଇ ଗ୍ରାମରେ ପହଞ୍ଚିବାକୁ ପଡ଼େ।
publive-image
ସରକାରଙ୍କର ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେପରି ସ୍ବପ୍ନ ପାଲଟିଯାଇଛି। ପ୍ରଶାସନ ତରଫରୁ ଗାଁକୁ ରାସ୍ତା ଏବଂ ପାନୀୟ ଜଳର ସୁବିଧା କରାଯାଉଥିବା ଡେଙ୍ଗୁରା ପିଟାଯାଉଛି। ଗ୍ରାମବାସୀ ସରକାର ଏବଂ ପ୍ରଶାସନ ନିକଟରେ ଗୁହାରି କରିଥକିପଡିବା ପରେ ଶୁକ୍ରବାର ରାଜ୍ୟପାଳ ପଞ୍ଚାୟତକୁ ଆସିଥିବା ସମୟରେ ସବୁ ସମସ୍ୟା ତାଂକ ନିକଟରେ ଓଜାଡି ଦେଇଥିଲେ।ରାଜ୍ୟପାଳ ମଧ୍ୟ ରାୟଗଡ଼ା ଏକ ପଛୁଆ ଜିଲ୍ଲା ଭାବେ ଏଥିପାଇଁ ରହିଥିବା ସ୍ବୀକାର କରିଥିଲେ। ଗାଁ ବିକାଶ ହେଲେ ରାଜ୍ୟ ଓ ଦେଶ ବିକାଶ ହେବ ବୋଲି କହିଥିଲେ ରାଜ୍ୟପାଳ ଶ୍ରୀ ଦାସ। ଲୋକେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଥିବା ସେ ପୁଣି ଦୋହରାଇଥିଲେ। ଦୁର୍ଗମ ଗ୍ରାମଗୁଡ଼ିକରେ ପିଇବା ପାଣଇର ଅଭାବ ହେଉଥିବା ବେଳେ ଚାଷ ପାଇଁ ପାଣି କେଉଁଠୁ ଆସିବ ବୋଲି ଗ୍ରାମବାସୀ କହିଥିଲେ। ସେହିପରି ଗାଁକୁ ରାସ୍ତା ହେଲେ ହିଁ ବିକାଶ ସମ୍ଭବ ବୋଲି କୁହାଯାଇଛି। ତେବେ ଏହି ଗ୍ରାମର ଉନ୍ନତି କେବେ ହେବ ତାହା ଦେଖିବାକୁ ବାକି ରହିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe