ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନିଆ ସିଙ୍ଗାପୁର ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ମେଲବର୍ଣ୍ଣରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଏହି ଅବସରରେ ସେଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଆମ ପ୍ରବାସୀମାନେ ହେଉଛନ୍ତି ଭାରତୀୟ ସଭ୍ୟତାର ସବୁଠାରୁ ବଡ଼ ଆମ୍ବାସଡର। ଆମର ସଭ୍ୟତାର ମୂଲ୍ୟବୋଧ, ଜ୍ଞାନ; ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବେ।
ଶିକ୍ଷା ସମନ୍ୱୟ ଓ ସହଯୋଗ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବ। ଜ୍ଞାନ ସହଯୋଗ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବାରେ ମୂଳଦୁଆ ହେବ। ଶିକ୍ଷାର ଅନ୍ତର୍ଜାତୀୟକରଣ, ବିଶ୍ୱବିଦ୍ୟାଳୟ ସହ ସଂଯୋଗ, ଗବେଷଣା, ସ୍କିଲିଂ ଏବଂ ପାରସ୍ପିରକ ଛାତ୍ର ବିନିମୟ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚା କରିଥିଲେ। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଜେସନ୍ କ୍ଲେୟାରଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି।
Follow Us