ଆଦିବାସୀ ଅଧ୍ୟୁଷିତ ମାଧପଲ୍ଲୀରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Advertisment
ଆଦିବାସୀ ଅଧ୍ୟୁଷିତ ମାଧପଲ୍ଲୀରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ବୁଗୁଡ଼ା : ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ। ଏହି ସ˚କଳ୍ପ ନେଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଖୋଲିଛି ଅଙ୍ଗନବାଡ଼ି କେନ୍ଦ୍ର। ତିନିରୁ ଛଅ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ଉତ୍ତମ ପ୍ରି-ସ୍କୁଲ୍‌ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ସେହିପରି ୫ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ଲାଗି ସରକାର ମଧ୍ୟାହ୍ନଭୋଜନଠୁ ଆରମ୍ଭ କରି ମାଗଣା ପୁସ୍ତକ, ପୋଷାକ ଓ ଜୋତା ଆଦି ଯୋଗାଇଦେଉଛନ୍ତି। ଗ୍ରାମାଞ୍ଚଳର ପ୍ରତିଟି ପିଲା ଯେମିତି ସ୍କୁଲ୍‌ରେ ପାଠ ପଢ଼ିବେ ଏଦିଗରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ସ୍ବତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି। ପ୍ରତି ଗ୍ରାମରେ ବିଦ୍ୟାଳୟ ବି ଖୋଲୁଛି।

ସ୍କୁଲ୍‌ ନାହିଁ କି, ଅଙ୍ଗନବାଡ଼ି କେନ୍ଦ୍ର
ଅର୍ଦ୍ଧାଧିକ ପିଲା ଜମାରୁ ଖଡ଼ି ଛୁଇଁନାହାନ୍ତି
୫ମ ପରେ ବି ପାଠ ଛାଡ଼ିଛନ୍ତି

ତେବ‌େ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ କରଚୁଲି ପଞ୍ଚାୟତର ଆଦିବାସୀଅଧ୍ୟୁଷିତ ଗ୍ରାମ ମାଧପଲ୍ଲୀର ଚିତ୍ର କିଛି ଭିନ୍ନ। ଆଶ୍ଚର୍ଯ୍ୟଜନକ ଭାବେ ଗ୍ରାମର ମାତ୍ର ୨ଟି ପିଲାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଅଙ୍ଗନବାଡ଼ି କେନ୍ଦ୍ର କେବେ ‌ଦେଖିନାହାନ୍ତି କି, ସ୍କୁଲ୍ ପିଣ୍ଡା କେବେ ମାଡ଼ିନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍ ନାହିଁ। ଫଳରେ ପିଲାମାନଙ୍କୁ ୩ କିଲୋମିଟର କରଚୁଲି କିମ୍ବା ଜେଏକ ଗ୍ରାମକୁ ଯିବାକୁ ପଡ଼ୁଛି। ତେବ‌େ ମାଟିରାସ୍ତା ସାଙ୍ଗକୁ ହାତୀର ଭୟ ଯୋଗୁଁ ଅଭିଭାବକମାନେ ପିଲାଙ୍କୁ ଛାଡ଼ିବା ଲାଗି ସୁରକ୍ଷିତ ମଣୁନାହାନ୍ତି।

ଏହି ଗ୍ରାମରେ ସମୁଦାୟ ୧୮ଟି ଆଦିବାସୀ ପରିବାର ରହୁଥିବା ବେଳେ ସମସ୍ତଙ୍କ ଜୀବିକା ହେଉଛି ଜଙ୍ଗଲରୁ କାଠ ଓ ମହୁଲ ସଂଗ୍ରହ କରିବା। କିଛି ପରିବାରର ସଦସ୍ୟ ମୂଲ ଲାଗିଲେ ପରିବାର ଚଳୁଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ୩ କିଲୋମିଟର ଦୂର ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନେବାଆଣିବା କରିବାକୁ ସେମାନଙ୍କ ପାଖରେ ସମ୍ବଳ କି ସମୟ ନଥିବା କହିଛନ୍ତି।
ଫଳରେ ଗ୍ରାମର ସାଇରାମ ମଳିକ(୮), ପୂଜା ମଳିକ (୬ ), ପ୍ରଦୀପ ମଳିକ (୭), ମନୋଜ ଜାନି (୭) ଓ ସନ୍ତୋଷିନୀ ଜାନି(୬ ) ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍‌କୁ ଯାଇନାହାନ୍ତି। ସେହିପରି ଦେବରାଜ ମଳିକଙ୍କ ପୁଅ ଶିବ (୯), ନାରାୟଣ ମଳିକଙ୍କ ପୁଅ ଗରୁଡ଼ (୧୩), ବସନ୍ତ ନାୟକଙ୍କ ପୁଅ ନରେନ୍ଦ୍ର (୧୪), ନାରାୟଣ ମଳିକଙ୍କ ପୁଅ ସାଗର (୧୪), ଆକାଶ ମଳିକ (୧୪), ରାଜେଶ ନାୟକ (୧୪) ପଞ୍ଚମ ଶ୍ରେଣୀ ପରେ ପାଠ ଛାଡ଼ି ଘରେ ବସିଛନ୍ତି। କରୋନା ମହାମାରୀ ପରେ ଏହି ୧୮ ପରିବାରର ଆର୍ଥିକ ସ୍ଥିତି ଆହୁରି ବିଗିଡ଼ିଯାଇଛି। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଥିବା ବେଳେ ସମସ୍ତେ ଚାଳକୁଡ଼ିଆରେ ଜୀବନ ଅତିବାହିତ କରୁଛନ୍ତି।

ଗାଁ ସଭାପତି ବିପ୍ରଚରଣ ମଳିକ କହିଛନ୍ତି, ଗ୍ରାମର ଅର୍ଦ୍ଧାଧିକ ପିଲା ସ୍କୁଲ୍ ଯାଉ ନଥିବା ସହ ପାଠ ଛାଡ଼ିଦେଇଛନ୍ତି। କିନ୍ତୁ ସେମାନଙ୍କ ଶିକ୍ଷାଦାନ, ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍ ଖୋଲିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନି। ଆଜି ପର୍ଯ୍ୟନ୍ତ ଶିକ୍ଷାବିଭାଗର କୌଣସି ଅଧିକାରୀ କି ଅଙ୍ଗନବାଡ଼ି କର୍ମୀ ଗ୍ରାମକୁ ଆସିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe