ଓଡ଼ିଶାରେ ଛତିଶଗଡ଼ ନିର୍ବାଚନର ପ୍ରଭାବ: ନିର୍ବାଚନ ପ୍ରସଙ୍ଗରେ ପ୍ରଥମ କରି ‘ଏମ୍‌ଏସ୍‌ପି’

ଓଡ଼ିଶାରେ ଛତିଶଗଡ଼ ନିର୍ବାଚନର ପ୍ରଭାବ: ନିର୍ବାଚନ ପ୍ରସଙ୍ଗରେ ପ୍ରଥମ କରି ‘ଏମ୍‌ଏସ୍‌ପି’

ସମ୍ବଲପୁର: ଧାନ ବିକ୍ରି ଏବଂ ଏମ୍ଏସ୍‌ପିର ଲଢ଼େଇ ଓଡ଼ିଶାରେ ୮୦ ଦଶକରୁ ଆରମ୍ଭ ହୋଇ ୨୦୦୨ରୁ ଅତି ଜୋର୍‌ଦାର୍‌ ହୋଇଛି। କିନ୍ତୁ, ଓଡ଼ିଶା ନିର୍ବାଚନ ଇତିହାସରେ ଚଳିତବର୍ଷ ପ୍ରଥମଥର ପାଇଁ ଏହା ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରସଙ୍ଗ ପାଲଟିଥିଲା। ବିଜେପି ପକ୍ଷରୁ ଧାନ କ୍ବିଣ୍ଟାଲ ପ୍ରତି ୩,୧୦୦ ଟଙ୍କା ଅର୍ଥାତ୍‌ ବୋନସ ପ୍ରଦାନ ପ୍ରତିଶ୍ରୁତି ଚାଷୀଙ୍କ ହୃଦୟ ଜିତିଥିଲା। ଗତବର୍ଷ ଛତିଶଗଡ଼ ନିର୍ବାଚନ ପ୍ରଭାବ ଏଠାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ସମବାୟ ବିଭାଗର ସୂଚନା ଅନୁସାରେ, ପ୍ରତିବର୍ଷ ରାଜ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଖରିଫ ଏବଂ ପ୍ରାୟ ୩ ଲକ୍ଷ ଚାଷୀ ରବିରେ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୁଅନ୍ତି। ଯେଉଁମାନେ ସିଧାସଳଖ ଏମ୍‌ଏସ୍‌ପି ବୃଦ୍ଧିର ଲାଭ ପାଇବେ। ଏହାବାଦ୍‌ ରାଜ୍ୟର ସମୁଦାୟ ଜନସଂଖ୍ୟାର ୬୦% କୃଷି ଗତିବିଧିରେ ଥାଆନ୍ତି। ତେଣୁ ମଣ୍ଡିରେ ବିକ୍ରି କରୁନଥିବା ଚାଷୀ ଏବଂ ଭାଗଚାଷୀ ମଧ୍ୟ ପରୋକ୍ଷ ଭାବରେ ଏମ୍‌ଏସ୍‌ପି ବୃଦ୍ଧିର ସୁବିଧା ନେଇ ପାରିବେ। ଛତିଶଗଡ଼ରେ ଧାନ ଏମ୍‌ଏସ୍‌ପି ବୃଦ୍ଧି ପରେ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳର ଓଡ଼ିଶା ଚାଷୀ ମଧ୍ୟ ଛତିଶଗଡ଼ମୁହାଁ ହୋଇଛନ୍ତି। ଫଳରେ, ଚଳିତ ଖରିଫରେ ଓଡ଼ିଶାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଧାନ ସଂଗ୍ରହ ହୋଇନଥିଲା।

ଏ ସମ୍ପର୍କରେ ଚାଷୀ ନେତା ଲିଙ୍ଗରାଜ କହନ୍ତି, ଛତିଶଗଡ଼ ନିର୍ବାଚନକୁ ଏମ୍‌ଏସ୍‌ପି ପ୍ରଭାବିତ କରିଥାଏ। ୨୦୧୪ ମସିହା ପୂର୍ବରୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବରେ ଚାଷୀଙ୍କୁ ୩୦୦ ଟଙ୍କା ବୋନସ୍‌ ଦିଆଯାଉଥିଲା। ନରେନ୍ଦ୍ର ମୋଦୀ ସରକାର କେନ୍ଦ୍ରକୁ ଆସିବା ପରେ ବୋନସ୍‌କୁ ବନ୍ଦ କରିଦେଲେ। ଏହାକୁ ନେଇ ଛତିଶଗଡ଼ ଲୋକଙ୍କ ମଧ୍ୟରେ ବିଜେପି ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହା ଜାଣିପାରି ଛତିଶଗଡ଼ ନିର୍ବାଚନର ଠିକ୍‌ପୂର୍ବରୁ ବୋନସ୍‌ ଆରମ୍ଭ ହୋଇଥିଲା। କିନ୍ତୁ, ଏକର ପ୍ରତି ଧାନ ସଂଗ୍ରହକୁ ୨୫ କ୍ବିଣ୍ଟାଲରୁ ୧୫ କ୍ବିଣ୍ଟାଲକୁ ହ୍ରାସ କରିଦେଲେ। ରବି ଧାନ ସଂଗ୍ରହକୁ ବନ୍ଦ କରିଦେଲେ। ତେଣୁ ଚାଷୀ ୨୦୧୮ ମସିହାରେ ବିଜେପିକୁ ହରାଇ କଂଗ୍ରେସକୁ ଭୋଟ ଦେଇଥିଲେ। ୨୦୨୩ ମସିହାରେ ଛତିଶଗଡ଼ ନିର୍ବାଚନରେ ବିଜେପି ନିଜ ଭୁଲ ବୁଝିପାରି କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇଁ ପ୍ରତିଶ୍ରୁତି ଦେଲା। ଫଳରେ, ସେଠାରେ ପୁନର୍ବାର ସେମାନେ ସରକାର ଗଠନ କରିବାରେ ସଫଳ ହୋଇଥିଲେ। କମ୍‌ଦିନରେ ଲୋକସଭା ନିର୍ବାଚନ ଥିବାରୁ ୩୧୦୦ ଟଙ୍କାର ପ୍ରତିଶ୍ରୁତିକୁ ଛତିଶଗଡ଼ର ନୂତନ ବିଜେପି ସରକାର ତତ୍‌କ୍ଷଣାତ କାର୍ଯ୍ୟକାରୀ କରିଥିଲା।

ଓଡ଼ିଶାର ଚାଷୀମାନେ ଏହି ବିଷୟ ଜାଣିଛନ୍ତି। ତେଣୁ ସେମାନେ ବିଜେପିର ଏହି ପ୍ରତିଶ୍ରୁତିକୁ ବିଶ୍ବାସ କରି ଭୋଟ ଦେଇଛନ୍ତି। ଛତିଶଗଡ଼ରେ ମଧ୍ୟ ପ୍ରତିବର୍ଷ ଚାଷୀ ବୋନସ୍‌ ପାଆନ୍ତି ନାହିଁ। ଠିକ୍‌ ନିର୍ବାଚନର ବର୍ଷେ କିମ୍ବା ଦୁଇ ବର୍ଷ ମିଳେ। କେରଳ ମଧ୍ୟ ବିଭିନ୍ନ ସମୟରେ ଧାନ ଚାଷୀଙ୍କୁ ମୋଟା ଅଙ୍କର ବୋନସ୍‌ ଦେଉଥିବା ନଜିର ରହିଛି। ଏହା ନିର୍ବାଚନକୁ କେତେ ପ୍ରଭାବିତ କରେ ଏହା ସ୍ପଷ୍ଟ ନୁହେଁ। ବିଜେପିର ଏହି ବୋନସ୍‌ ପ୍ରସଙ୍ଗକୁ ପ୍ରତିହତ କରିବା ପାଇଁ ବିଜେଡି ପକ୍ଷରୁ ସ୍ବତନ୍ତ୍ର ବୋନସ୍‌ ଘୋଷଣା କରାଯାଇନଥିଲା ସତ, କିନ୍ତୁ ୨୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି ଏବଂ ୨୦୧୮ ମସିହା ପୂର୍ବରୁ ରହିଥିବା କାଳିଆ ଯୋଜନାକୁ ଭରସା କରିଥିଲା। କାଳିଆ ଯୋଜନାର ଲାଭ କେବଳ ଗରିବ ଶ୍ରେଣୀର ଚାଷୀମାନେ ପାଆନ୍ତି। ହେଲେ, ବୋନସ୍‌ ଅର୍ଥାତ୍‌ ୩୧୦୦ ଏମ୍‌ଏସ୍‌ପିର ଲାଭ ସବୁ ବର୍ଗକୁ ମିଳୁଥିବାରୁ ମଧ୍ୟବିତ୍ତ ଚାଷୀ ଏହାକୁ ନେଇ ବେଶି ଉତ୍ସାହିତ ହୋଇ ପଡ଼ିଥିଲେ। ପ୍ରକୃତ ପକ୍ଷରେ ଶାସନକୁ ଆସିବା ପରେ ୩୧୦୦ ଟଙ୍କା ଏମ୍‌ଏସ୍‌ପିକୁ ରାଜ୍ୟ ସରକାର କେତେ କାର୍ଯ୍ୟକାରୀ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି। ତେବେ, ନୂତନ ସରକାରଙ୍କ ପକ୍ଷରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାନଗଲେ ସରକାର ଚାଷୀ ଅସନ୍ତୋଷର ଶିକାର ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe