ଭୁବନେଶ୍ବର : ବାତ୍ୟା ଗୁଲାବ୍ ଯୋଗୁଁ ରାଜ୍ୟର କୌଣସି ସ୍ଥାନରେ ଜୋର୍ରେ ପବନ ବହିନି କି ବଡ଼ ବର୍ଷା ହୋଇନି। ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନି ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ଏସ୍ଆର୍ସି କହିଛନ୍ତି ଯେ, ବାତ୍ୟା ଯୋଗୁଁ ରାଜ୍ୟର ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ୨୧ଟି ବ୍ଲକରେ ୫୦ ମିଲିମିଟର ଓ ଏହାଠୁ ଅଧିକ ବର୍ଷା ରେକର୍ଡ ହୋଇଛି। ମାଲକାନଗିରି ଜିଲ୍ଲାରେ ୫୦ରୁ ୬୦ଟି ଗଛ ଉପୁଡ଼ି ପଡ଼ିଥିବା ବେଳେ ଏହାକୁ ତୁରନ୍ତ କଟାଯାଇ ରାସ୍ତା ସଫା କରାଯାଇଛି। କୋରାପୁଟରେ ଭୂସ୍ଖଳନ ହୋଇଥିଲେ ହେଁ ସେଠାରେ ବି କାର୍ଯ୍ୟ ଜାରି ରହିଛି। ବାତ୍ୟା ଯୋଗୁଁ ରବିବାର ଠାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଆଜି ସଂଧ୍ୟାରେ ବର୍ଷା କମିଛି। ବାତ୍ୟା ଗୁଲାବ୍କୁ ନଜରରେ ରଖି ବିଭିନ୍ନ ଜିଲ୍ଲାରେ ମୋଟ୍ ୪୬,୦୭୫ଜଣଙ୍କୁ ୧୧୮୯ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ ୧୫୩୩ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଗଞ୍ଜାମର ଏକ ଆଶ୍ରୟସ୍ଥଳୀରେ ଜଣେ ଶିଶୁ ଜନ୍ମ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଥିବାବେଳେ ଡାଳ ଭାଙ୍ଗିଛି। କିନ୍ତୁ କୌଣସି ସ୍ଥାନରେ ବିଦ୍ୟୁତ ଜନିତ କ୍ଷୟକ୍ଷତି ହୋଇନାହିଁ। ତଥାପି ବି ଆମେ ସ୍ଥିତି ଉପରେ ନଜର ରଖିଛୁ ବୋଲି ଏସ୍ଆର୍ସି କହିଛନ୍ତି।
Follow Us