ଜଳବାୟୁ ପରିବର୍ତ୍ତନର ପ୍ରଭାବ...ହଜିଗଲାଣି ପର୍ବପର୍ବାଣି

Advertisment
ଜଳବାୟୁ ପରିବର୍ତ୍ତନର ପ୍ରଭାବ...ହଜିଗଲାଣି ପର୍ବପର୍ବାଣି

ଭୁବନେଶ୍ବର: ଓଡ଼ିଆ ପରମ୍ପରା ଅନୁଯାୟୀ ୧୨ ମାସରେ ୧୩ ପର୍ବ ପାଳନ କରାଯାଉଛି। ଏହାବାଦ୍ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ଚାଷ ଓ ଜୀବନ ଶୈଳୀକୁ ନେଇ ଅନେକ ପର୍ବ ପାଳନ ହେଉଛି। ସେ ମଧ୍ୟରୁ ଚୈତ୍ର ପର୍ବ, ପୁଷ ପର୍ବ(ପୌଷ ପର୍ବ) ଓ ଦିଆଲି ପର୍ବ ମୁଖ୍ୟ। କିନ୍ତୁ ଜଳବାୟୁ ପରିବର୍ତ୍ତନ ପାଇଁ ଏହି ପର୍ବ ସବୁ ହଜି ଯିବାକୁ ବସିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ସାରା ବିଶ୍ବ ସନ୍ତୁଳି ହେଉଥିବା ବେଳେ ଆଦିବାସୀ ସଂପ୍ରଦାୟ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। କୋରାପୁଟର ଆଦିବାସୀମାନେ ଚୈତ୍ରପର୍ବକୁ ପ୍ରାୟ ଏକ ମାସ ଧରି ପାଳନ କରୁଥିଲେ। ବର୍ତ୍ତମାନ ଏହା କେବଳ ଏକ ସପ୍ତାହରେ ସୀମିତ। ପରମ୍ପରା ଅନୁଯାୟୀ ଚୈତ୍ର ପର୍ବର ଏକ ସପ୍ତାହ ପୂର୍ବରୁ ମାସକ ପାଇଁ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରାଯିବ। ଚୈତ୍ରପର୍ବ ବେଳେ ମାସକ ମଧ୍ୟରେ କେହି ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କଲେ ଜରିମାନା ଦେବାକୁ ପଡ଼ିବ। ବର୍ତ୍ତମାନ ସ୍ଥିତିରେ ଏତେ ପରିମାଣର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହଜ ହେଉନଥିବାରୁ ଚୈତ୍ରପର୍ବକୁ ଏକ ମାସ ବଦଳରେ ୭ ଦିନରେ ସାରିବାକୁ ପଡୁଛି ବୋଲି କୋରାପୁଟ ଜିଲ୍ଲାର ପରଜା ସଂପ୍ରଦାୟର ସୁନିତା ମୁଦୁଲି କହିଛନ୍ତି।

ସେହିପରି ପୁଷପର୍ବ ପୂର୍ବରୁ ଏକ ସପ୍ତାହ ଧରି ପାଳନ ହେଉଥିଲା ବେଳେ ଏବେ କେବଳ ଗୋଟିଏ ଦିନ ପାଳନ ହେଉଛି। ଧାନ ଅମଳ ହେବା ପରେ ପ୍ରଥମ ଚାଉଳ ଗାଈଗୋରୁଙ୍କୁ ଦିଆଯାଇଥାଏ। ଏହାକୁ ଦିଆଲି ପର୍ବ କହନ୍ତି। କନ୍ଦା, କରଡ଼ି ରୋଷେଇ କରି ମଧ୍ୟ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଏ। କିନ୍ତୁ ପ୍ରାୟ ୧୦ ବର୍ଷ ହେବ ପିଟ୍ କନ୍ଦା ମିଳୁନି। ବର୍ଷ ତମାମ ସେବା ଯୋଗାଉଥିବା ଗୋରୁଙ୍କୁ ଭଲ ଖାଦ୍ୟ ଦେଇପାରୁନୁ ବୋଲି କହନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ପ୍ରତିମା ଗାଡ଼ବା। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆଦିବାସୀ ସଂପ୍ରଦାୟ ନିଜ ସ୍ତରରେ ଅନେକ ପଦକ୍ଷେପ ନେଲେ ବି ଏହାକୁ ରୋକା ଯାଇପାରୁନାହିଁ। ଚୈତ୍ରପର୍ବ, ପୁଷପର୍ବ ଓ ଦିଆଲି ଆଜି ଅସ୍ତିତ୍ବ ହରାଇଲେଣି। ଏଭଳି ଅନେକ ପର୍ବ ରହିଛି, ଯାହାର ତଥ୍ୟ ବି ସଂଗ୍ରହ ହୋଇପାରିନାହିଁ। ଏ ଦିଗରେ ସରକାରୀ ସ୍ତରରେ କାର୍ଯ୍ୟ କଲେ ଅନେକ ପର୍ବ ପର୍ବାଣୀକୁ ବଞ୍ଚାଇ ହେବ ବୋଲି କହିଛନ୍ତି ସ୍ୱେଛାସେବୀ ଅନୁଷ୍ଠାନ ‘ସ୍ପ୍ରେଡ୍‌’ର ସଂପାଦକ ବିଦ୍ୟୁତ୍‌ ମହାନ୍ତି। ସହରୀକରଣ ପାଇଁ ବଦଳୁଛି ଜୀବନ ଶୈଳୀ। ଜନସଂଖ୍ୟା ସହ ତାଳଦେଇ ବଢୁଛି ଘର ଓ ଗାଡ଼ି ସଂଖ୍ୟା। ଗରମରୁ ରକ୍ଷା ପାଇବା ପାଇଁ ଏସିର ବହୁଳ ବ୍ୟବହାର ହେଉଛି। ସହରୀ ମଣିଷ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ଥିବାବେଳେ ଜଳବାୟୁକୁ ସୁରକ୍ଷିତ ରଖିବା ପାଇଁ ଆଦିବାସୀମାନେ କାମ କରୁଛନ୍ତି। ବେଳ ଥାଉଣୁ ସଜାଗ ନହେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe