ଝାରସୁଗୁଡ଼ା: ଆସନ୍ତା ୨୦ ତାରିଖରେ ମତଦାନ ହେବାକୁ ଯାଉଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଆଜି ସନ୍ଧ୍ୟା ୬ଟାରୁ ପ୍ରଚାର ଥମିଛି। ସମସ୍ତ ରାଜନୈତିକ ଦଳ ଆଜିଠାରୁ ପ୍ରଚାର ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଦିଗରେ କଟକଣା କଡ଼ାକଡ଼ି କରାଯାଇଛି। କିଭଳି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ନହୁଏ, ରାଜନୈତିକ ଦଳଗୁଡ଼ିକ ଯେଭଳି ଭାବେ ପ୍ରତ୍ୟକ୍ଷ ପ୍ରଚାରରେ ସାମିଲ୍ ନହୁଅନ୍ତି ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏକଜିଟ୍ ପୋଲ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଚଳିତ ଥର ୮ ଜଣ ପ୍ରାର୍ଥୀ ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ଯାଉଛନ୍ତି। ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହେବ ଏଦିଗରେ ପ୍ରଶାସନ ପକ୍ଷରୁ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।
ବିଧିବଦ୍ଧ ନିର୍ବାଚନ ପ୍ରଚାର ଥମି ଯାଇଥିବା ବେଳେ ଆଜି ରାତିଠାରୁ ଅନ୍ଧାରୀ ବିଜେ ଆରମ୍ଭ ହୋଇଯାଇଛି। ଗାଁ ଗହଳିରେ ରାଜନୈତିକ ଦଳଙ୍କ କର୍ମୀ ସକ୍ରିୟ ହୋଇଯାଇଥିବା ବେଳେ ଅନ୍ଧାରୁଆ ଟଙ୍କା ଓ ଶାଢ଼ୀ ବଣ୍ଟା ଜୋର୍ସୋରରେ ଚାଲିଛି। ଘର ପିଛା ମୁଣ୍ଡ ଗଣତି ହୋଇ ପ୍ରତିଯୋଗିତାମୂଳକ ଭାବେ ଟଙ୍କା ବଣ୍ଟନ ଜାରି ରହିଥିବା ସୂଚନା ମିଳିଛି। ଆସନ୍ତାକାଲି ସକାଳ ସୁଦ୍ଧା ଗ୍ରାମାଞ୍ଚଳରେ ଟଙ୍କା ବଣ୍ଟନ ଓ ସନ୍ଧ୍ୟାସୁଦ୍ଧା ସହରାଞ୍ଚଳରେ ବଣ୍ଟନ କାର୍ଯ୍ୟଶେଷ କରିବା ପାଇଁ ପ୍ରାର୍ଥୀମାନେ ଡେଡ୍ଲାଇନ୍ ମଧ୍ୟ ଜାରି କରିଦେଇଥିବା ସୂଚନା ମିଳିଛି।
Follow Us