Advertisment

ଘର, ଭତ୍ତା ପାଇଁ ଗୁହାରି କରି ବୃଦ୍ଧ ଦମ୍ପତି ନିରାଶ, ଜିଲ୍ଲାପାଳଙ୍କୁ ଫେରାଦ୍ ହେଲେ

Advertisment
ଘର, ଭତ୍ତା ପାଇଁ ଗୁହାରି କରି ବୃଦ୍ଧ ଦମ୍ପତି ନିରାଶ, ଜିଲ୍ଲାପାଳଙ୍କୁ ଫେରାଦ୍ ହେଲେ

ଛତ୍ରପୁର : ଘର ଓ ଭତ୍ତା ପାଇଁ ସରକାରୀ ବାବୁ ମାନଙ୍କୁ ଗୁହାରି କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧ ଦମ୍ପତି ଭାସ୍କର ନାୟକ ଓ ଶାନ୍ତି ନାୟକ। ସାନଖେମୁଣ୍ଡି ବ୍ଲକ୍ ଗଙ୍ଗାପୁର ପଞ୍ଚାୟତ ରାଧାନଗର ସାହିର ବାସିନ୍ଦା ଏହି ଦମ୍ପତି ଆଜି ଦିନତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅପେକ୍ଷା କରିବା ପରେ ସନ୍ଧ୍ୟା‌ରେ ଭେଟି ଦୁଃଖ ଜଣାଇଥିଲେ। ଘର, ଭତ୍ତା ଏବଂ ଚିକିତ୍ସା ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାନଖେମୁଣ୍ଡି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯାତାୟାତ ଖର୍ଚ୍ଚ ପାଇଁ ୨ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।

ଭାସ୍କରଙ୍କ କାନକୁ ଭଲ ଭାବେ ଶୁଭାଯାଉ ନଥିବା ବେଳେ ପତ୍ନୀ ଶାନ୍ତିଙ୍କ ଆଖିକୁ ଦେଖାଯାଉନି। ଉଭୟ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ନିଜ କାମ କରିବାକୁ ମଧ୍ୟ ଅସମର୍ଥ। ଉଭୟ ଗ୍ରାମର ଶେଷମୁଣ୍ଡ ତଥା ପାହାଡ଼ ତଳେ ଏକ କୁଡ଼ିଆରେ ଝିଅ ସହ ରହୁଛନ୍ତି। ହେଲେ ସରକାରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ୍ ଅଫିସ୍ ସବୁଠାରେ ଗୁହାରି କରି ଥକିସାରିଥିବା ଦମ୍ପତି କହିଛନ୍ତି। ଅର୍ଥାଭାବ ଯୋଗୁଁ ଝିଅକୁ ବାହା ଦେଇପାରୁନାହାନ୍ତି।

publive-image

ଦମ୍ପତି ଏଭଳି କୋହଭରା ଆବେଗ ନେଇ ଆଜି ଭୋରରୁ ଏକ ଅଟୋରେ ଗ୍ରାମର ଦୁଇଜଣଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ପାତ୍ରପୁର ଯାଇଥିବା ବେଳେ ଦମ୍ପତି ସାରା ଦିନ ଅପେକ୍ଷା କରିଥିଲେ। ସନ୍ଧ୍ୟା ୬ଟାରେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ଜିଲ୍ଲାପାଳ ସେମାନଙ୍କୁ ତ୍ବରିତ ୨ ହଜାର ଟଙ୍କା ସହାୟତା ଦେଇଥିଲେ। ବିଜୁ ପକ୍କା ଘର ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଫୋନ୍ ଯୋଗେ ସାନଖେମୁଣ୍ଡି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଶାନ୍ତିଙ୍କ ଚକ୍ଷୁ ଚିକିତ୍ସା ଲାଗି ଡାକ୍ତରଖାନା ନେବାକୁ କହିଥିଲେ। ତେବେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପୂରଣ ହେବ ବୋଲି ଆଶା କରୁଛୁ ବୋଲି ଦମ୍ପତି କହିଛନ୍ତି। ନ ହେଲେ ଭାଗ୍ୟକୁ ଆଦରି ରହିଯିବୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe