ପୁଅବୋହୂଙ୍କ ନିର୍ଯାତନା ଅସହ୍ୟ : ଜୀବନ ହାରିଲେ ବୃଦ୍ଧ ଦମ୍ପତି

Advertisment

ପୁଅବୋହୂ ଅଟକ, ଥାନାରେ ପଚରାଉଚରା

ପୁଅବୋହୂ ଅଟକ, ଥାନାରେ ପଚରାଉଚରା

୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ଭୋଗରାଇ : ରାତି ପାହିଲେ ଗାଳି, ତିରସ୍କାର, ହତାଦର। ସେବା ଶୁଶ୍ରୂଷା ବଦଳରେ ପିତାମାତାଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା। ଶେଷରେ ପୁଅବୋହୂଙ୍କ କଷଣ ସହି ନପାରି ବିଷ ପିଇ ଜୀବନ ହାରିଛନ୍ତି ବୃଦ୍ଧ ପିତାମାତା। ଘରଠାରୁ ମାତ୍ର ୫ ଶହ ମିଟର ଦୂର ଏକ ପୋଖରୀ ହୁଡ଼ାରୁ ମିଳିଛି ଉଭୟଙ୍କ ମୃତଦେହ। ଗୁରୁବାର ସକାଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଫୁଲବଣି ପଞ୍ଚାୟତ ଚକ ଫୁଲବଣି ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଗାଁ ଲୋକେ ଚକିତ ହୋଇଯାଇଛନ୍ତି। ତେବେ ଏହା ଆତ୍ମହତ୍ୟା ନୁହେଁ, ବୁଢ଼ା ବାପାମାଙ୍କୁ ଯୋଜନାବଦ୍ଧ ଭାବେ ପୁଅବୋହୂ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ। ମୃତ ଦମ୍ପତିଙ୍କ ଜଣେ ସମ୍ପର୍କୀୟ ଭୋଗରାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦାବି ଫଳରେ ପୁଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି।

ମୃତ ବୃଦ୍ଧ ଦମ୍ପତି ହେଲେ ଚକ ଫୁଲବଣି ଗାଁର କାହ୍ନୁ ମଣ୍ଡଳ (୭୮) ଓ ତାଙ୍କ ଦ୍ବିତୀୟ ପତ୍ନୀ ବାସନ୍ତୀ ମଣ୍ଡଳ (୭୦)। ବୁଧବାର ରାତିରେ କାହ୍ନୁଙ୍କ ପ୍ରଥମ ପତ୍ନୀ ସ୍ବର୍ଗୀୟା ଶଙ୍କରୀ ମଣ୍ଡଳଙ୍କ ପୁଅ ଶଶିକାନ୍ତ, ବୋହୂ ଟୁନାଙ୍କ ସହିତ କୌଣସି କାରଣକୁ ନେଇ ବୃଦ୍ଧ ପିତାମାତାଙ୍କ କଳହ ହୋଇଥିଲା। ଆଜି ସକାଳେ ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ କାହ୍ନୁ ଓ ଶାନ୍ତିଲତାଙ୍କ ମୃତଦେହ ପଡ଼ିଥିବାବେଳେ ନିକଟରେ ଏକ ବିଷ ବୋତଲ ଥୁଆ ହୋଇଥିବା ଲୋକେ ଦେଖିବାକୁ ପାଇଥିଲେ। ତେବେ ପ୍ରଥମରୁ ଗ୍ରାମବାସୀ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲେ। ଖବର ପାଇ ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ, ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର କମଳାକାନ୍ତ ପଣ୍ଡା, ଲଷ୍ମୀପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ନାୟକ ସେଠାରେ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପାଇଁ ଶବ ଆଣିବାବେଳେ ଗାଁ ଲୋକେ ସାଇଣ୍ଟିଫିକ ଟିମ୍‌ ଦ୍ୱାରା ତଦନ୍ତ କରିବାକୁ ଅଡ଼ି ବସିବା ଫଳରେ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଆସିଥିଲା।

ଅନ୍ୟପକ୍ଷରେ କାହ୍ନୁଙ୍କ ସମ୍ପର୍କୀୟ ପୁତୁରା ନନୀଗୋପାଳ ମଣ୍ଡଳ ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ଭାବେ ପୁଅବୋହୂ ମିଶି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଭୟ ପୁଅବୋହୂଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ପ୍ରଥମ ପତ୍ନୀ ଥିଲେ ବି ବାସନ୍ତୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ କାହ୍ନୁ। ପ୍ରଥମ ପତ୍ନୀ ଶଙ୍କରୀ ମଣ୍ଡଳ ୩ ବର୍ଷ ତଳେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଶଙ୍କରୀ ବଞ୍ଚିଥିବାବେଳେ ତାଙ୍କର ଏକମାତ୍ର ପୁଅ ଶଶିକାନ୍ତ ଓ ପତ୍ନୀ ଟୁନା ପ୍ରାୟ ସମୟରେ ବାପା କାହ୍ନୁ, ମା ଶଙ୍କରୀ ଓ ସାବତ ମା ବାସନ୍ତୀଙ୍କୁ ଭଲ ଦୃଷ୍ଟିରେ ଦେଖୁନଥିଲେ। ସ୍ବାମୀଙ୍କୁ ଶିଖାମତା କରି ବୋହୂ ଟୁନା ବିଭିନ୍ନ ସମୟରେ ଶାଶୂ ଶ୍ବଶୁରଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଶଙ୍କରୀ ଆରପାରିକୁ ଚାଲିଯିବା ପରେ ବାପା ଓ ସାବତ ମାଙ୍କ ଉପରେ ନିର୍ଯାତନା ଆହୁରି ବଢ଼ିଥିଲା। ଖାଇବାକୁ ନ ଦେବା ସହ ବିଭିନ୍ନ ସମୟରେ ମାରଧର କରୁଥିଲେ। ଏ ନେଇ ଗାଁରେ ଭଦ୍ର ଲୋକଙ୍କ ଦ୍ୱାରା ବହୁଥର ସମାଧାନୀ ବୈଠକ ବସିଥିଲେ ମଧ୍ୟ ଶଶିକାନ୍ତ କାହା କଥା ମାନି ନ ଥିଲେ। ଏଥିପାଇଁ ବାପା କାହ୍ନୁ ବାଧ୍ୟ ହୋଇ ତାଙ୍କ ନାମରେ ଥିବା ଏକ ଜମି ବିକ୍ରି କରିଥିଲେ। ସେହି ରାଗ ରଖି ଶଶିକାନ୍ତ ଓ ତାଙ୍କ ପତ୍ନୀ ବାପାମାଆଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଘରେ ବାପାମା’ଙ୍କ ପ୍ରତି ଅବହେଳା ସହିତ ନିଷ୍ଠୁର ଆଚରଣ ପ୍ରଦର୍ଶନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସ୍ଥା ଥିଲେ ମଧ୍ୟ ଲୋକମାନେ ସଚେତନ ନ ହେବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe