କଙ୍ଗାରୁ କୋର୍ଟରେ ମୃତ୍ୟୁଦଣ୍ଡ! ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

Advertisment

ପରିବାର ଲୋକଙ୍କ ସମ୍ମୁଖରେ ମିଳିମିଶି ମାରିଦେଲେ

ପରିବାର ଲୋକଙ୍କ ସମ୍ମୁଖରେ ମିଳିମିଶି ମାରିଦେଲେ

କଙ୍ଗାରୁ କୋର୍ଟରେ ମୃତ୍ୟୁଦଣ୍ଡ! ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

କାଲିମେଳା/ମାଲକାନଗିରି : ଅନ୍ଧବିଶ୍ବାସର ଘାତକ ପରିଣତି। ଗୁଣିଆ ସନ୍ଦେହରେ କଙ୍ଗାରୁ କୋର୍ଟରେ ଦିଆଗଲା ମୃତ୍ୟୁଦଣ୍ଡ! ଏହାପରେ ଜଣେ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଗାଁରେ ଏଭଳି ବର୍ବର ଘଟଣା ଘଟିଛି। ମୃତକଙ୍କ ପୁଅ ଦେଇଥିବା ଏତଲା ଭିତ୍ତିରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କାଙ୍ଗୁରକୋଣ୍ତା ଗାଁରେ କିଛିଦିନ‌ ହେଲା କେତେଜଣ ଲୋକଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ରହୁଥିବା ବେଳେ କେହି ଗୁଣିଗାରେଡ଼ି କରି ମଣିଷ ମାରୁଥିବା ସନ୍ଦେହ କରୁଥିଲେ। ଏପରିକି ୧୦ଦିନ ତଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ଗାଁରେ ଗତକାଲି କଙ୍ଗାରୁକୋର୍ଟ ବୈଠକ ହୋଇଥିଲା। ଗାଁ ଦେବତାଙ୍କୁ ପୂଜା କରୁଥିବା ପଦିଆ ମାଡ଼କାମୀ (୬୦ବର୍ଷ) ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ଉପରେ ସମସ୍ତଙ୍କ ସନ୍ଦେହ ହୋଇଥିଲା।

publive-image

ତେଣୁ ବୈଠକକୁ ଡକାଇ ପଚରାଉଚୁରା କରାଯାଇଥିବା ବେଳେ ସମାଧାନ ହୋଇପାରି ନଥିଲା। ତେଣୁ ଆଜି ସକାଳେ ପୁଣି କଙ୍ଗାରୁ କୋର୍ଟ କରି ପଦିଆଙ୍କୁ ଡକାଯାଇଥିଲା। ଆଲୋଚନା ସମୟରେ ହଠାତ୍ ମୁକୁନ୍ଦ ପଡିଆମି, ଫିଦା ମାଡକାମୀ, କାନା ମାଡକାମୀ, ଉର୍ମା ମାଡକାମୀ, ଗଙ୍ଗା ମାଡକାମୀ ମିଳିତ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରିବାର ସମ୍ମୁଖରେ ହିଁ ପିଟିପିଟି ପଦିଆଙ୍କୁ ହତ୍ୟା କରାଯାଇଥିଲା।

ପୁଅ ବିରା ମାଡକାମୀ ବାପାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତାଙ୍କୁ ବି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ବିରା କାଲିମେଳା ଥାନାରେ ବାପାଙ୍କୁ ହତ୍ୟା ନେଇ ଏତଲା ଦେଇଥିଲେ। କାଲିମେଳା ଥାନା ଆଇଆଇସି ରଘୁନାଥ ମାଝି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବ ଜବତ କରି କାଲିମେଳା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେହିପରି ପୁଲିସ ୫ଜଣଙ୍କୁ ଅଟକ ରଖି ଜେରାକରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ତଥା ଛୋଟ ଚିନ୍ତାଧାରା ଯୋଗୁ ଅକାଳରେ ଗୋଟିଏ ଜୀବନ ଚାଲିଗଲା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe