ନିର୍ବାଚନରେ ଅମାନତ ରାଶି ବ୍ୟବସ୍ଥା ମାମଲା : ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନିର୍ବାଚନରେ ଅମାନତ ରାଶି ବ୍ୟବସ୍ଥା ମାମଲା : ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

new indian express

କଟକ: ଲୋକସଭା ଓ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ କରୁଥିବା ପ୍ରାର୍ଥୀଙ୍କ ପାଇଁ ଅମାନତ ରାଶି ଜମା ବ୍ୟବସ୍ଥା ବାଧ୍ୟତାମୂଳକ ନିୟମ ଗଣତନ୍ତ୍ର ବରୋଧୀ ବୋଲି ଦର୍ଶାଇ ଦାୟର ମାମଲାର ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଏ ସଂପର୍କିତ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ଆବେଦନକାରୀ ଉମାଚରଣ ମିଶ୍ର ଦର୍ଶାଇଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଏଭଳି ଅର୍ଥ ରାଶି ଜମା ସଂପର୍କିତ ଆଇନ ଗଣତନ୍ତ୍ର ବିରୋଧୀ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ। ଏଭଳି ଆଇନ ଯୋଗୁ ବହୁ ‌ଲୋକପ୍ରିୟ ଓ ଭଲ ଲୋକ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହେଉଛନ୍ତି। ଅର୍ଥ ଜମା ନିୟମର ବିକଳ୍ପ ମଧ୍ୟ ରହିବା ଉଚିତ। ଯେଉଁ ପ୍ରାର୍ଥୀ ଅର୍ଥ ଜମା କରିପାରିବେ ନାହିଁ ତାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ରହିବା ଉଚିତ। ଅର୍ଥ ଜମାର ବିକଳ୍ପ ଭାବେ ପ୍ରାର୍ଥୀଙ୍କୁ ଶହେ, ଦୁଇ ଶହ ବା ନିର୍ଦ୍ଦିଷ୍ଟ ସଂଖ୍ୟକ ବ୍ୟକ୍ତିଙ୍କ ସମର୍ଥନ ସଂପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇପାରେ।

ଏଥିସହିତ, ନିର୍ବାଚନରେ ଲଢିବା ପାଇଁ ପ୍ରାର୍ଥୀଙ୍କ ବୟସ ସଂକ୍ରାନ୍ତରେ ସମ୍ବିଧାନରେ କେବଳ ଉଲ୍ଲେଖ କରାଯାଇଛି। ଶିକ୍ଷାଗତ ଯୋଗ୍ୟତା ବା ଆର୍ଥିକ ଅବସ୍ଥା ନେଇ କିଛି ବି ନାହିଁ। ଏଭଳି ସ୍ଥିତିରେ ଜନପ୍ରତିନିଧି ଆଇନରେ ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା ବ୍ୟବସ୍ଥା ବାଧ୍ୟତାମଳୂକ କରାଯିବା ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ଏଥିସହିତ, ଆବେଦନକାରୀଙ୍କ ପକ୍ଷରୁ ଆୟରଲ୍ୟାଣ୍ଡ୍ ହାଇକୋର୍ଟଙ୍କ ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନରେ ଅର୍ଥ ଜମା ରାଶିର ବିକଳ୍ପ ପ୍ରସଙ୍ଗରେ ଆ‌ୟରଲ୍ୟାଣ୍ଡ ହାଇକୋର୍ଟଙ୍କ ରାୟ ରହିଛି। ଆବେଦନକାରୀ ଶ୍ରୀ ମିଶ୍ରଙ୍କ ପକ୍ଷରୁ ଆଇନଜୀବୀ ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe