ନିର୍ବାଚନରେ ଅମାନତ ରାଶି ସମ୍ପର୍କିତ ମାମଲା: ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଲୋକସଭା ଓ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ କରୁଥିବା ପ୍ରାର୍ଥୀଙ୍କ ପାଇଁ ଅମାନତ ରାଶି ଜମା ବ୍ୟବସ୍ଥା ସଂପର୍କିତ ଆଇନକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ବାସ୍ତବିକ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନରେ ନାମାଙ୍କନ ଦାଖଲ କରୁଥିବା ପ୍ରାର୍ଥୀଙ୍କ ପାଇଁ ଜମାରାଶି ବୃଦ୍ଧି ପାଇବାପରେ ପ୍ରାର୍ଥୀ ସଂଖ୍ୟା କମିଛି ନା ବଢିଛି, ସେ ନେଇ ତଥ୍ୟ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗରେ କ’ଣ ବାସ୍ତବିକ ସ୍ଥିତି ରହିଛି, ସେ ନେଇ ଆବେଦନକାରୀ ଅବଗତ କରିବେ। ଏଥିସହିତ ଜମାରାଶି ସଂପର୍କିତ ବାଧ୍ୟତାମୂଳକ ବ୍ୟବସ୍ଥା ଯୋଗୁଁ ସମସ୍ୟାରେ ପଡ଼ିଥିବା ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଉପସ୍ଥା‌ପନ କରିବାକୁ  ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି। ଏପ୍ରିଲ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉମାଚରଣ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଏଭଳି ଅର୍ଥ ରାଶି ଜମା ସଂପର୍କିତ ଆଇନ ଗଣତନ୍ତ୍ର ବିରୋଧୀ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ। ଏଭଳି ଆଇନ ଯୋଗୁଁ ବହୁ ‌ଲୋକପ୍ରିୟ ଓ ଭଲ ଲୋକ ନିର୍ବାଚନ ଲଢିବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଆଇନକୁ ଅସାମ୍ବିଧାନିକ ଘୋଷଣା କରାଯାଉ ଓ ଅର୍ଥ ଜମାର ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe