ଅଧିକାରୀଙ୍କୁ ପ୍ରାକ୍‌ ନିର୍ବାଚନୀ ପ୍ରସ୍ତୁତି ତାଲିମ୍‌

Advertisment
ଅଧିକାରୀଙ୍କୁ ପ୍ରାକ୍‌ ନିର୍ବାଚନୀ ପ୍ରସ୍ତୁତି ତାଲିମ୍‌

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଆଉ ୧୦ ମାସ ବାକି ଅଛି। ନିର୍ଦ୍ଧାରିତ ସମୟର ଅବ୍ୟବହିତ ପୂର୍ବରୁ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏମିତ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପ୍ରାକ୍‌ ନିର୍ବାଚନୀ ପ୍ରସ୍ତୁତି ତାଲିମ୍‌ ଜୋର୍‌ଦାର୍‌ କରିଛନ୍ତି। ୧୫୦ରୁ ଅଧିକ ଅଧିକାରୀଙ୍କୁ ଆଜି ଭୁବନେଶ୍ୱରରେ ତାଲିମ୍‌ ଦିଆଯିବା ଘଟଣା ନିର୍ବାଚନୀ ଆଲୋଚନାକୁ ଜୋର୍‌ଦାର୍‌ କରିବାକୁ ଖୋରାକ୍‌ ଯୋଗାଇଛି।

ସାଧାରଣ ନିର୍ବାଚନ ପାଇଁ ଭୋଟର୍‌ ତାଲିକା ପ୍ରସ୍ତୁତି ଓ ସଂଶୋଧନ ନିମନ୍ତେ ଆବଶ୍ୟକ ତାଲିମ୍‌ କାର୍ଯ୍ୟକ୍ରମ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। ତାଲିମ୍‌ ଶିବିରରେ ଭାଗ ନେଇ ପାରି ନ ଥିବା କିମ୍ବା ସଫଳତାର ସହ କୃତକାର୍ଯ୍ୟ ହୋଇ ନ ଥିବା ଇଲେକ୍ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସର୍‌ ଓ ଆସିଷ୍ଟାଣ୍ଟ୍‌ ଇଲେକ୍ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସର୍‌ଙ୍କୁ ପୁଣି ଥରେ ଏକ ପରୀକ୍ଷା ଆଜି ଭୁବନେଶ୍ୱରସ୍ଥିତ ସିଇଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬୬ ବିଡିଓଙ୍କ ସମେତ ଉପଜିଲ୍ଲାପାଳ, ତହସିଲ୍‌ଦାର ଏଥିରେ ଯୋଗ ଦେଇଥିଲେ। ରବିବାର ଛୁଟି ସତ୍ତ୍ୱେ ସିଇଓଙ୍କ କାର୍ଯ୍ୟାଳୟ ଏଥି ପାଇଁ ବେଶ୍‌ ଚଳଚଞ୍ଚଳ ରହିଥିଲା।

ଏହି ତାଲିମ୍‌ ଶିବିର ସହ ଉତ୍ତର ପ୍ରଦେଶରୁ ୧ ଲକ୍ଷ ଇଭିଏମ୍‌ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥି ପାଇଁ ୨ ଜଣ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଓଡ଼ିଶାକୁ ୧୨,୨୦୦ ଭିଭିପାଟ୍‌ ମେସିନ୍‌ ଆସିସାରିଛି। ଗଣମାଧ୍ୟମରେ ଏହି ତାଲିମ୍‌ ଶିବିର ସମ୍ପର୍କରେ ପ୍ରଚାର ହେବା ପରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ମହଲ ଓ ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହାକୁ ନିୟମିତ ପ୍ର୍ରକ୍ରିୟା ବୋଲି ଆଡିସ୍‌ନାଲ୍‌ ସିଇଓ କାଶୀନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଗୁଆ ନିର୍ବାଚନ ନେଇ କୌଣସି ନିର୍ଦ୍ଦେଶ ଆସି ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe