ଅସୁସ୍ଥ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ବ! ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Advertisment
ଅସୁସ୍ଥ ଶିକ୍ଷକଙ୍କୁ  ନିର୍ବାଚନ ଦାୟିତ୍ବ! ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସୁନ୍ଦରଗଡ଼: ଜଣେ ଅସୁସ୍ଥ ଶିକ୍ଷକଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯିବା ପରେ ସେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥା‌ରେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଲୋଡ଼ନ ସୃଷ୍ଟିହୋଇଛି। ମୃତ ଶିକ୍ଷକ ହେଲେ ମଙ୍ଗଳୁ ଟପ୍ପୋ (୫୮)। ଘର ସବ୍‌ଡେଗା ବ୍ଲକ୍‌ ବାଉରୀମୁଣ୍ଡା। ସେ କୁଆରମୁଣ୍ଡା ବ୍ଲକ୍‌ ଲାଞ୍ଜିବେର୍ଣ୍ଣା ସେବାଶ୍ରମର ପ୍ରଧାନଶିକ୍ଷକ ଥିଲେ। ତାଙ୍କୁ ବଣାଇ ଧରଣୀଧର ଉଚ୍ଚବିଦ୍ୟାଳୟ ମତଦାନ କେନ୍ଦ୍ର ପୋଲିଂ ପାର୍ଟିରେ ସାମିଲ କରାଯାଇଥିଲା। ସେ ଅସୁସ୍ଥ ଥିବାରୁ ନିର୍ବାଚନ ଦାୟିତ୍ବରୁ ମୁକ୍ତିଦେବାକୁ ନିବେଦନ କରିଥିଲେ। ହେ‌ଲେ, ତାଙ୍କ ଆବେଦନକୁ ଗ୍ରହଣ କରାଯାଇ ନଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି। ଅସୁସ୍ଥତା ସତ୍ତ୍ବେ ସେ ୧୯ ତାରିଖରେ ବଣାଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ସେଠାରେ ସେ ଗୁରୁତର ‌ହୋଇ ପଡ଼ିଥିଲେ। ସାଥୀରେ ଥିବା ଅନ୍ୟ କର୍ମଚାରୀ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତିକରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାରଲୋକେ ବଣାଇରୁ ଅସୁସ୍ଥ ଶିକ୍ଷକଙ୍କୁ ଆଣି ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ, ସୁନ୍ଦରଗଡ଼ରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ବୁର୍ଲାରେ ଭଲ ଚିକିତ୍ସା ହେଉ ନଥିବା ଅଭିଯୋଗ କରି ପରିବାର ଲୋକେ ତାଙ୍କୁ ପୁଣି ସୁନ୍ଦରଗଡ଼ ହସ୍ପିଟାଲକୁ ଫେରାଇ ଆଣିଥିଲେ। ଏଠାରେ ଚିକିତ୍ସା ଚାଲିଥିବା ବେଳେ ବୁଧବାର ଅପରାହ୍ନ ୧ଟାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଶିକ୍ଷକଙ୍କ ପତ୍ନୀ ମାଳତୀ ଟପ୍ପୋ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ମୃତ୍ୟୁ ସମ୍ପର୍କରେ ଅବଗତ କରିବା ସହ ନ୍ୟାୟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe