photo by : Kokan Now
ବଲାଙ୍ଗୀର/ମୁରିବାହାଲ : ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଛି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀକୁ ଭୁବନେଶ୍ବରରୁ ଆସିଥିବା ୨ ଜଣ ବିଜେଡି କର୍ମକର୍ତ୍ତାଙ୍କ ସମେତ ୪ ଜଣଙ୍କୁ ଜଙ୍ଗଲକୁ ନେଇ ମାଡ଼ ମରାଯିବା ସହିତ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା (କୁକୁ ସିଂ)ଙ୍କ ପୁଅ ସେଜି ସିଂ ସାଲୁଜା ଓ ଅନ୍ୟ ୧୫-୨୦ ଜଣଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ମୁରିବାହାଲ ବ୍ଲକକୁ ଗତ ବୁଧବାର ନିର୍ବାଚନ ପ୍ରଚାର ପାଇଁ ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଆସିଥିଲେ। ଏହି ଅବସରରେ ମୁରିବାହାଲ ଆମ୍ବବଗିଚାରେ ଖାଇବା ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରରୁ ଆସିଥିବା ବିଜେଡି କର୍ମକର୍ତ୍ତା ଜ୍ୟୋତି ପ୍ରକାଶ ମହାନ୍ତି(୩୫), ସୁବ୍ରତ ଛାଟୋଇ(୨୭), ସ୍ଥାନୀୟ ଧାତୁକଜୁରିର ବିଜେଡି କର୍ମୀ ବିଦେଶୀ ମହାନନ୍ଦ ଓ ଡ୍ରାଇଭର କାର୍ (ଓଡି ୦୨ ଏଫ ୬୦୭୩)ରେ ଫେରୁଥିଲେ। ମୁରିବାହାଲ କଲେଜ ପାଖରୁ ୪ଟି ଚାରିଚକିଆ ଗାଡ଼ିରେ କିଛି ଲୋକ ପିଛା କରି ସମ୍ପୃକ୍ତ ଗାଡ଼ିକୁ ଘେରି ଯାଇଥିଲେ। ପରେ ସମସ୍ତଙ୍କୁ ଗାଡ଼ିରେ ବସାଇ ଗୁଲମୀ ଜଙ୍ଗଲ ରାସ୍ତାରେ ନେଇ ଯାଇଥିଲେ। ଜଙ୍ଗଲ ମଧ୍ୟରେ ସମ୍ପୃକ୍ତ ୪ଜଣଙ୍କୁ ସେମାନେ ଅଶ୍ଳୀଳ ଭାଷାରେ ଗାଳି ଦେଇ ସମସ୍ତଙ୍କ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ବିଦେଶୀଙ୍କୁ ମାରପିଟ କରିଥିଲେ। ଶ୍ରୀ ମହାନ୍ତି ଓ ଶ୍ରୀ ଛାଟୋଇ ଆମକୁ ନବୀନ ନିବାସରୁ କଣ୍ଟାବାଞ୍ଜିକୁ ପଠାଯାଇଛି ବୋଲି କହିବାରୁ ତୁରନ୍ତ କଣ୍ଟାବାଞ୍ଜି ଛାଡ଼ି ପଳାଇବାକୁ କହିବା ସହ ବିଜେଡି ପାଇଁ ପ୍ରଚାର କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।
ସେମାନେ ବ୍ୟବହାର କରିଥିବା ୪ଟି ଗାଡ଼ିରେ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ସହ ଅନ୍ୟ ୧୫-୨୦ଜଣ ଥିବା ସେମାନେ ଅଭିଯୋଗ କରିବା ପରେ ବିଧାୟକ ପ୍ରାର୍ଥୀ ଅଜୟ ଦାସ ଓ ଅନ୍ୟ ଦଳୀୟ କର୍ମୀଙ୍କ ସହ ଆସି ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ଲୋକନାଥ ଭୋଇ ସୂଚନା ଦେଇଛନ୍ତି।
Follow Us