ଚନ୍ଦନଭାଟିରେ ନିର୍ବାଚନୀ ହିଂସା : ପୁଲିସ୍‌ର ଫ୍ଲାଗ୍‌ମାର୍ଚ୍ଚ, ଉଭୟ ପଟୁ ଏତଲା

ଅପରାଧମୁକ୍ତ ସହର ଦାବିରେ ବିଜେଡିର ଶୋଭାଯାତ୍ରା, ଏସ୍‌ପି ଅଫିସ ଘେରିଲା ବିଜେପି

ଚନ୍ଦନଭାଟିରେ ନିର୍ବାଚନୀ ହିଂସା : ପୁଲିସ୍‌ର ଫ୍ଲାଗ୍‌ମାର୍ଚ୍ଚ, ଉଭୟ ପଟୁ ଏତଲା

ବଲାଙ୍ଗୀର : ବଲାଙ୍ଗୀର ଚନ୍ଦନଭାଟିରେ ନିର୍ବାଚନୀ ହିଂସା ଘଟଣା ପରେ ପୁଲିସ ରବିବାର ଫ୍ଲାଗମାର୍ଚ୍ଚ କରିଛି। ଗାଁରେ ଶାନ୍ତିଶୃଙ୍ଖଳା କିଭଳି ରକ୍ଷା ହେବ ସେ ନେଇ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି। ଏପଟେ ବିଜେଡି ଓ କଂଗ୍ରେସ ଉଭୟ ପଟୁ ସଦର ଥାନାରେ ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଆହତ ବିଜେଡି କର୍ମୀ ପ୍ରଫୁଲ୍ଲ ମେହେର ଏତଲା ଦେଇଥିଲେ। ସେହି ଅନୁସାରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ପ୍ରଫୁଲ୍ଲ ଦେଇଥିବା ଏତଲାରେ ରାହୁଲ ମିଶ୍ର, ତପନ ପାଣିଗ୍ରାହୀ, ସରପଞ୍ଚଙ୍କ ସ୍ୱାମୀ ମହେନ୍ଦ୍ର ମଲ୍ଲିକ ଓ ଅନ୍ୟ ୫୦ଜଣଙ୍କ ନାଁ ଉଲ୍ଲେଖ ରହିଛି। ଅନ୍ୟପଟେ ରବିବାର କଂଗ୍ରେସର ମହେନ୍ଦ୍ର ମଲ୍ଲିକ ସଦର ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି। ସେଥିରେ ବିଜେଡିର ଟିମା ମହାନ୍ତି, ଟିମନ କୁମ୍ଭାର, ତ୍ରିନାଥ ସାଗର ଅନ୍ୟ ଲୋକେ ଗାଁରେ ଯାଇ ଗଣ୍ଡଗୋଳ କରିଥିବା ଅଭିଯୋଗ କରିଛନ୍ତି। ଉଭୟ ପଟୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ସଦର ଥାନା ଆଇଆଇସି ଯୋଗେଶ୍ୱର ପଣ୍ଡା କହିଛନ୍ତି।

publive-image

ଅନ୍ୟପକ୍ଷରେ, ମାମଲାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ପକ୍ଷରୁ ଶତାଧିକ ମହିଳା ରବିବାର ସଂଧ୍ୟାରେ ଶୋଭାଯାତ୍ରା କରିଛନ୍ତି। କଂଗ୍ରେସ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ କରି ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ସମସ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅପରାଧମୁକ୍ତ ବଲାଙ୍ଗୀର ନାରା ଦେଇ ସହର ପରିକ୍ରମା କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ସେହିପରି ଦିନବେଳା ବିଜେପି ପକ୍ଷରୁ ଘଟଣାର ପ୍ରତିବାଦରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବିଧାୟକ ପ୍ରାର୍ଥୀ ଅନନ୍ତ ଦାସଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତା ଉଭୟ ବିଜେଡି ଓ କଂଗ୍ରେସ କର୍ମୀ ଯେଉଁମାନେ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚନ୍ଦନଭାଟିରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe