କୁଚିଣ୍ଡାରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଆକ୍ରମଣ, ବିଜେଡି ରାଜ୍ୟ ସଂପାଦକଙ୍କ ନାମରେ ଥାନାରେ ମାମଲା

କୁଚିଣ୍ଡାରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଆକ୍ରମଣ, ବିଜେଡି ରାଜ୍ୟ ସଂପାଦକଙ୍କ ନାମରେ ଥାନାରେ ମାମଲା

କୁଚିଣ୍ଡା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହେବା ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଗଲାଣି ନିର୍ବାଚନୀ ହିଂସା। ରବିବାର ଜଣେ ବିଜେପି କର୍ମୀ ଚେରୁ ନାୟକଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଭୁବନେଶ୍ବର କିଷାନ ଆକ୍ରମଣ କରିଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ ହୋଇଛି। ତୁରେଇନିକ୍ତିମାଲ ଗାଁ ନିବାସୀ ବିଜେପି କର୍ମୀ ଚେରୁ ନାୟକଙ୍କ ଏତଲାକୁ ଭିତ୍ତିକରି ମହୁଲପାଲି ଥାନା ପୁଲିସ ଆଇପିସିର ଧାରା ୩୪୧/୨୯୪/୩୨୩/୫୦୬ ଅନୁଯାୟୀ କେସ୍‌ ନମ୍ବର ୯/୨୦୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବିଜେପି କର୍ମୀ ଚେରୁ ଶୁକ୍ରବାର ପୂର୍ବାହ୍ନରେ କୁନ୍ତରା ପଞ୍ଚାୟତର କାଲିଝରନ ଗ୍ରାମରେ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ କମିଟି ଗଠନ ସାରି ବାଇକ୍‌ରେ ଘରକୁ ଫେରୁଥିଲେ। କାଲିଝରନ ଗାଁ ମୁଣ୍ଡରେ ତୁରେଇନିକ୍ତିମାଲ ଗ୍ରାମର ବିଜେଡି ରାଜ୍ୟ ସମ୍ପାଦକ ତଥା ୨୦୧୪ର ବିଧାୟକ ପ୍ରାର୍ଥୀ ଭୁବନେଶ୍ବର କିଷାନ ହଠାତ୍ ବାଇକ୍ ଅଟକାଇ ଚେରୁଙ୍କ ସାର୍ଟ କଲର୍ ଧରିପକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥି ସହିତ ଚେରୁଙ୍କୁ ଆକ୍ରମଣ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ନେତା ଭୁବନେଶ୍ୱର କିଷାନ କୁନ୍ତରା ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ହେବାକୁ ଉଦ୍ୟମ ଚଳାଇଥିବା ବେଳେ ତାଙ୍କ ବିରୋଧରେ ଅପପ୍ରଚାର ନେଇ ଏହି ଗଣ୍ଡଗୋଳ ହୋଇଥିବା କହାଯାଉଛି।

ଏ ସଂକ୍ରାନ୍ତରେ ଭୁବନେଶ୍ୱର କିଷାନଙ୍କୁ ପଚାରିବାରୁ ସେ ମଧ୍ୟ ଚେରୁଙ୍କ ନାମରେ ଥାନାରେ ଏତଲା ଦେଇଥିବା କହିଛନ୍ତି। ଚେରୁ ତାଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା କହିଛନ୍ତି। ତ‌େବେ, ଏ ନେଇ ମହୁଲପାଲି ଥାନା ଅଧିକାରୀ ସୁଶାନ୍ତ ଦାଶଙ୍କୁ ପଚାରିବାରୁ ରବିବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବର କିଷାନଙ୍କଠାରୁ କୌଣସି ଅଭିଯୋଗପତ୍ର ଥାନାକୁ ଆସିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe