ମେଗା ପ୍ରକଳ୍ପ ବିଦ୍ୟୁତ୍‌ କାଟିଦେଲେ; ଜଳ ବିଶୋଧନାଗାର ଅଚଳ, ସବୁ ଗାଁକୁ ପାନୀୟଜଳ ଯୋଗାଣ ବନ୍ଦ

କଂପାନି ଖାତାକୁ ଟଙ୍କା ନେଣଦେଣରେ ବୈଷୟିକ ସମସ୍ୟା!

ମେଗା ପ୍ରକଳ୍ପ ବିଦ୍ୟୁତ୍‌ କାଟିଦେଲେ; ଜଳ ବିଶୋଧନାଗାର ଅଚଳ, ସବୁ ଗାଁକୁ ପାନୀୟଜଳ ଯୋଗାଣ ବନ୍ଦ

କାଳିଆପାଣି: ବିଲ୍‌ ପୈଠରେ ଦି’ଦିନ ବିଳମ୍ବ ହେବାରୁ ବିଦ୍ୟୁତ୍‌ ବିତରଣ କମ୍ପାନି ଟାଟା ପାୱାର ଆଜି ସନ୍ଧ୍ୟାରେ ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର କାଙ୍କଡ଼ପାଳସ୍ଥିତ ଜଳ ବିଶୋଧନ କାରଖାନା (ଡବ୍ଲ୍ୟୁଟିପି)ର ଲାଇନ୍‌ କାଟି ଦେଇଛି। ସନ୍ଧ୍ୟା ୬ଟାରୁ ଡବ୍ଲ୍ୟୁଟିପି ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ଫଳରେ ଏଠାରୁ ‌ଖଣି ପ୍ରଭାବିତ ୯ଟି ପଞ୍ଚାୟତର ୫୦ ରୁ ଅଧିକ ଗାଁକୁ ‌ପାନୀୟଜଳ ଯୋଗାଣ ବ୍ୟାହତ ହୋଇଛି। ଗ୍ରୀଷ୍ମପ୍ରବାହ ସମୟରେ ଆସନ୍ତାକାଲି ସକାଳୁ ଏହି ଅଞ୍ଚଳରେ ଜଳ ସଂକଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି।

ଓମ୍ବାଡ୍ସି ଅନୁଦାନରେ ପାଖାପାଖି ଶହେ କୋଟି ଟଙ୍କା ବ୍ୟୟରେ ସୁକିନ୍ଦା ବ୍ଲକରେ ପ୍ରତିଷ୍ଠା କରାଯାଇଥିବା ମେଗା ପାନୀୟଜଳ ପ୍ରକଳ୍ପର ସବୁଠୁ ଗୁରୁତ୍ବପୂର୍ଣ୍ଣ ୟୁନିଟ୍‌ ବୋଲି କୁହାଯାଉଥିବା କାଙ୍କଡ଼ପାଳ ଡବ୍ଲ୍ୟୁଟିପିରେ ୪୧୫ କିଲୋଭୋଲ୍ଟ କ୍ଷମତାର ଟ୍ରାନ୍ସଫର୍ମର ଲାଗିଛି। ଏଠାରୁ ବିଭିନ୍ନ ମେସିନକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ମାସକୁ ହାରାହାରି ୮ ରୁ ୯ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପୈଠ କରାଯାଇଥାଏ। ଏଠାରେ କେବଳ ଗତମାସର ବିଲ୍‌ ବାବଦକୁ ୨ଟି ପୃଥକ ୟୁନିଟ୍‌ ପାଇଁ ପାଖାପାଖି ସାଢ଼େ ୧୦ ଲକ୍ଷ ଟଙ୍କା ବିଲ୍ ପୈଠ କରିବାକୁ ଥିଲା। ଏ ସଂକ୍ରାନ୍ତରେ ଟାଟା ପାୱାର ପକ୍ଷରୁ ଗତ ୪ ତାରିଖରେ ଡବ୍ଲ୍ୟୁଟିପି ପରିଚାଳନା ଦାୟିତ୍ବରେ ଥିବା ଏନ୍‌ସିସି କମ୍ପାନିକୁ ବିଲ୍‌ ପୈଠ ପାଇଁ କୁହାଯାଇଥିଲା। ଗତକାଲି ସୁଦ୍ଧା ବିଲ୍ ପୈଠ ହୋଇପାରି ନଥିଲା ବୋଲି ଏନ୍‌ସିସି କର୍ତ୍ତୃପକ୍ଷ କହନ୍ତି। ଆଜି ମୂଳ ଉପଭୋକ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଗୋଟିଏ ପର୍ଯ୍ୟାୟରେ ଟାଟା ପାୱାର ଯାଜପୁରରୋଡ୍‌ ଡିଭିଜନକୁ ୮ ଲକ୍ଷ ୧୦ ହଜାର ୪୪୫ ଟଙ୍କା ଓ ଅନ୍ୟ ଏକ ପର୍ଯ୍ୟାୟରେ ଟାଟା ପାୱାର କେନ୍ଦ୍ରୀୟ କମ୍ପାନିକୁ ୨ ଲକ୍ଷ ୬୦ ହଜାର ୯୫ ଟଙ୍କ‌ା ପୈଠ କରାଯାଇଥିବା ଦର୍ଶାଯାଇଛି। କିନ୍ତୁ ବୈଷୟିକ କିମ୍ବା ଯାନ୍ତ୍ରିକ ତ୍ରୁଟି ପାଇଁ ଟଙ୍କା ଟ୍ରାନ୍ସଫର ଦର୍ଶାଉନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ଟାଟା ପାୱାର କର୍ତ୍ତୃପକ୍ଷ ଏହି ଦସ୍ତାବିଜକୁ ଗ୍ରହଣ କରିନଥିବା କୁହାଯାଉଛି।

ଏ ସଂକ୍ରାନ୍ତରେ ଟାଟା ପାୱାର ଡୁବୁରି ସବ୍‌ଡିଭିଜନ ଏସ୍‌ଡିଓ ଇଂ ବିଭୁଦତ୍ତ ସାହୁଙ୍କୁ ଯୋଗାଯୋଗ କରିବାରେ ବିଲ୍‌ ପୈଠ ହୋଇନଥିବା କାରଣରୁ ସେ ଯାଜପୁରରୋଡ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକଙ୍କ ନିର୍ଦେଶ ଅନୁସାରେ ଲାଇନ୍‌ କାଟିଥିବା କହିଥିଲେ। ଅନ୍ୟପକ୍ଷରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଚଣ୍ଡିଖୋଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଘଡ଼େଇଙ୍କୁ ପଚାରିବାରେ ଆଜି ୨ଟି ପର୍ଯ୍ୟାୟରେ ବିଦ୍ୟୁତ୍‌ ବିତରଣ କମ୍ପାନିକୁ ବିଲ୍‌ ପୈଠ ହୋଇଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe