ବନ କର୍ମଚାରୀଙ୍କୁ ବିଦ୍ୟୁତ୍ ଫାଶ ଡର: ଜଙ୍ଗଲରେ ଶିକାରୀ ବିଛାଉଛନ୍ତି ତାର

ପାଟ୍ରୋଲିଂ ଅଞ୍ଚଳର ବିଦ୍ୟୁତ୍ ବିଚ୍ଛିନ୍ନ ଯୋଜନା

ବନ କର୍ମଚାରୀଙ୍କୁ ବିଦ୍ୟୁତ୍ ଫାଶ ଡର: ଜଙ୍ଗଲରେ ଶିକାରୀ ବିଛାଉଛନ୍ତି ତାର

Times of India

ନୟାଗଡ଼: ଘଞ୍ଚ ଜଙ୍ଗଲରେ ଏବେ ସାଂଘାତିକ ପରିସ୍ଥିତି। ଶିକାରୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯିବାକୁ ଡରୁଛନ୍ତି। ଗଛରୁ ଗଛ ସାଧାରଣ ଆଖିକୁ ନ ଦେଖାଯିବା ଭଳି ତାର ଗୁଡ଼ାଇ ଶିକାରୀ ବିଦ୍ୟୁତ୍ ଫାଶ ବସାଇ ଛୋଟଛୋଟ ଜନ୍ତୁଙ୍କୁ ଟାର୍ଗେଟ୍ କରୁଛନ୍ତି। ମାତ୍ର ଏହି ତାର ସଂସ୍ପର୍ଶରେ ବଡ଼ବଡ଼ ପଶୁ ଓ ମଣିଷ ଆସିଯିବାରୁ ସେମାନଙ୍କ ଜୀବନ ଯାଉଛି। ଯାହାକି ଏବେ ଉଭୟ ବିଦ୍ୟୁତ୍ ଓ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଦଶପଲ୍ଲା ବ୍ଲକ୍‌ର ଟାକରା ଓ ବାଣିଗୋଛା ପଞ୍ଚାୟତ, ଗଣିଆ ବ୍ଲକ୍‌ର ଛାମୁଣ୍ଡିଆ ଓ ବଡ଼ସିଲଙ୍ଗା ଏବଂ ଖଣ୍ଡପଡ଼ା ବ୍ଲକ୍‌ର କୋସକା ଓ ଗଡ଼ିଆସାହି ପଞ୍ଚାୟତରେ ଏପରି ସ୍ଥିତି ସାଂଘାତିକ ଅବସ୍ଥାରେ ପହଞ୍ଚିଛି। ଶିକାରୀଙ୍କ ଉପରେ ଆଇନର ପ୍ରଭାବ କିଛି ପଡ଼ୁନଥିବାରୁ ସେମାନେ ଭୟ କରୁନାହାନ୍ତି। ସଚେତନତା ମଧ୍ୟ କିଛି କାମ ଦେଉନାହିଁ। ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ସେମାନେ ବେପରୁଆ ଭାବେ ଆଇନ୍‌କାନୁନ୍‌କୁ ଫାଙ୍କି ଚାଲିଛନ୍ତି।

ଦୁଇ ମାସ ତଳେ ଛାମୁଣ୍ଡିଆ ଅଞ୍ଚଳର ଜଙ୍ଗଲରେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବାରୁ ବନ ବିଭାଗରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଯଦିଓ ସେହି ଅଞ୍ଚଳକୁ କାହିଁକି ସେ ଯାଇଥିଲେ, ତାହାର ତଦନ୍ତ ଜାରି ରହିଛି। ତଥାପି ଜଙ୍ଗଲରେ ଚାଲିଥିବା ଏହି ସାଂଘାତିକ ଘଟଣା ଯୋଗୁ ବନବିଭାଗ କର୍ମଚାରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଲା ଶିକାରୀ ବ୍ୟବହାର କରୁଥିବା ତାର ଖୁବ୍ ପତଳା। ଏହାକୁ ହଠାତ୍ ଖାଲି ଆଖିରେ ଦେଖିବା ମୁସ୍କିଲ। ଏଣୁ ରାତି କଥା ଛାଡ଼ ଦିନରେ ବି ଜଙ୍ଗଲ ମଧ୍ୟକୁ ଯିବାକୁ ବନ କର୍ମଚାରୀ ଭୟ କରୁଛନ୍ତି। ଗୋଟିଏ ପଟେ ତନଖି ଫାଟକ ଉଠାଇ ଦିଆଯାଇଛି। ଆରପଟେ ବିଦ୍ୟୁତ୍ ତାର ଭୟ ବଢ଼ିଛି। ଏହା ଶିକାରୀମାନଙ୍କ ପା‌ଇଁ ସୁଯୋଗ ସୃଷ୍ଟି କରିଛି।
ଏଣୁ ସେମାନେ ଆଖିବୁଜା ବନ୍ୟଜନ୍ତୁ ଶିକାର କରି ଚୋରାଚାଲାଣ କରୁଛନ୍ତି। ବିଦ୍ୟୁତ୍ ବିଭାଗ ଓ ବନ ବିଭାଗକୁ ନେଇ ଯେତେବେଳେ ବୈଠକ ହେଉଛି, ଏହି ସମସ୍ୟାର ସମାଧାନ ନେଇ ଆଲୋଚନା ହେଉଛି। ମାତ୍ର ସମାଧାନର ବାଟ ବାହାରି ପାରୁ ନାହିଁ।

ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମହାପାତ୍ରଙ୍କ ସୂଚନା ମୁତାବକ, ଏ ସମ୍ପର୍କରେ ପ୍ରତ୍ୟେକ ବୈଠକରେ ଆଲୋଚନା ହେଉଛି। ପାଟ୍ରୋଲିଂକୁ ଯିବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ ସମ୍ପର୍କରେ ଅବଗତ କରିବାକୁ ବନବିଭାଗ ଅଧିକାରୀଙ୍କୁ କୁହାଯାଇଛି। ଫଳରେ ସେଠାରେ ବିଜୁଳି ସଂଯୋଗକୁ ବିଚ୍ଛିନ୍ନ କରିବାକୁ ଯୋଜନା କରାଯାଉଛି। ଏହାଦ୍ବାରା ବିଜୁଳି ସଂସ୍ପର୍ଶରେ ଆସି କାହାରି ଆଉ କିଛି କ୍ଷତି ହେବ ନାହିଁ। ଏ ଦିଗରେ ଆହୁରି ଅଧିକ ଦୃଢ଼ ପଦକ୍ଷେପ ନେବା ପାଇଁ ମଧ୍ୟ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe