କିଞ୍ଜିରକେଲା ଗ୍ରିଡ଼ ମରାମତି ଆଳରେ ବିଦ୍ୟୁତ କାଟ୍

Advertisment

୯ଟି ପଞ୍ଚାୟତର ୫୦ ଗାଁ ୨ ଦିନ କଲବଲ 

୯ଟି ପଞ୍ଚାୟତର ୫୦ ଗାଁ ୨ ଦିନ କଲବଲ 

କିଞ୍ଜିରକେଲା ଗ୍ରିଡ଼ ମରାମତି ଆଳରେ ବିଦ୍ୟୁତ କାଟ୍

ସୁନ୍ଦରଗଡ଼: ଏବେ ପ୍ରଚଣ୍ଡ ତାତିର ସମୟ। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଡହଡହ ଖରା। ଲୋକେ ପଦାକୁ ବାହାରିବା ମୁସ୍କିଲ। ଘରେ ରହିଲେ ପଙ୍ଖା, କୁଲର ନହେଲେ  ନଚଳେ। ଏସ୍ଥିତିରେ ଯଦି ଦିନ ଦିନ ଧରି ବିଦ୍ୟୁତ ଚାଲିଯାଏ, ତେବେ ଲୋକେ କେତେ କଲବଲ ହେଉ ନଥିବେ। ଟାଣ ଖରା ସମୟରେ ଉପାନ୍ତ ବାଲିଶଙ୍କରା ବ୍ଲକ୍ କିଞ୍ଜିରକେଲା ପାୱାର ଗ୍ରିଡ୍ର ୯ଟି ପଞ୍ଚାୟତର ପ୍ରାୟ ୫୦ଟି ଗାଁ ୨ ଦିନ ଧରି ଏ ଦୁଃଖ ଭୋଗିଛନ୍ତି। ୨୧ ତାରିଖ ଅପରାହ୍ନରେ ଝଡ଼ବର୍ଷା ହେବା ପରଠାରୁ ଗ୍ରିଡ଼ରୁ କିଞ୍ଜିରକେଲା,  ଦେଓଭୂବନପୁର, ତିଲେଇକାନି, ତିଲଡେଗା, ବନ୍ଧବାହାଲ, କରୁଆବାହାଲ କୁସୁମମୁରା, ବିରକାଲଡିହି, ଧୁବେନଦାଣ୍ଡ ପଞ୍ଚାୟତର ୫୦ଟି ଗାଁକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁଇ ଦିନ ତାତି ଓ ଅନ୍ଧାରରେ ଲୋକେ ଛଟପଟ ହେଲେ।

ଏପରିକି ଲୋକଙ୍କୁ ୨୪ ଘଣ୍ଟା ସେବା ଯୋଗାଉଥିବା  ଜରୁରୀ ସ୍ଥାନ ହସ୍ପିଟାଲ, ଥାନା, ବ୍ୟାଙ୍କ ବି ବିଦ୍ୟୁତ ନଥିବାରୁ ଅଚଳ ହୋଇଗଲା କହିଲେ ଭୁଲ୍ ହେବ ନାହିଁ। କୁହାଗଲା ଗ୍ରିଡ୍ ମରାମତି ଚାଲିଛି। ଦୁଇ ରାତି ୫୦ ଟି ଗାଁର ଲୋକେ ଅନ୍ଧାରରେ ଓ ଦିନର ତାତିରେ ସିଝିଥିଲେ। ଏହା ମଧ୍ୟରେ  ୨୨ ତାରିଖ ଅପରାହ୍ନରେ ମାତ୍ର ଦେଢ଼ ଘଣ୍ଟା ପାଇଁ ବିଦ୍ୟୁତ ଫେରିଥିଲା। ତା’ ପରେ ପୁଣି ବିଚ୍ଛିନ୍ନ ହୋଇଯାଇଥିଲା। ଦୁଇ ଦିନର କଲବଲ ପରେ  ୨୩ ତାରିଖ ଅପରାହ୍ନ ୨ଟାରେ ଗାଁ ଲୋକେ ବିଦ୍ୟୁତ ସେବା ଫେରି ପାଇଥିଲେ। କିଞ୍ଜିରକେଲା ପାୱାର ଗ୍ରିଡ୍ର ଦୁଇଟି ଫିଡର୍ କିଞ୍ଜିରକେଲା ଓ ବନ୍ଧବାହାଲରୁ ୯ଟି ପଞ୍ଚାୟତର ୫୦ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଛି।

କିନ୍ତୁ ବିଦ୍ୟୁତ ସଂଯୋଗଜନିତ ତ୍ରୁଟିବିଚ୍ୟୁତି ବା  ସମସ୍ୟା ଦେଖିବାକୁ ଏଠାରେ କେହି ନାହିଁ। ପୂର୍ବରୁ ଏଠାରେ ଥିବା କାର୍ଯ୍ୟାଳୟ  ଉଜ୍ବଳପୁର ସହ ମିଶ୍ରଣ ହୋଇଥିବା ବେଳେ  ବିଦ୍ୟୁତ ଯନ୍ତ୍ରୀ ସେଠାରେ ରହୁଛନ୍ତି। ତେଣୁ କୌଣସି ସମସ୍ୟା ଦେଖାଦେଲେ ହଠାତ ସେ କିଞ୍ଜିରକେଲା ଗ୍ରିଡ୍କୁ ପହଞ୍ଚିବା କଷ୍ଟସାଧ୍ୟ। ଏହାର ଫଳ ସ୍ବରୂପ ପ୍ରାୟ ଅନେକ ସମୟରେ ଏପରି ଘଣ୍ଟା ଘଣ୍ଟା ଧରି  ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଏ ଓ  ସମସ୍ତ ପ୍ରକାର ବିଦ୍ୟୁତ ସମ୍ବନ୍ଧୀୟ କାମ ଠପ୍ ହୋଇଯିବା ସହ  ଅଞ୍ଚଳ ପୂରା ଅନ୍ଧାରରେ ଡୁବିଯାଏ।  ତେଣୁ କିଞ୍ଜିରକେଲା ଗ୍ରିଡ୍ ଅଫିସ ଖୋଲିବା ସହ ଏଠାରେ ଏକ ସ୍ଥାୟୀ ଯନ୍ତ୍ରୀ ନିଯୁକ୍ତି ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe