ବିଦ୍ୟୁତ୍‌ ବିତରଣ: ‘ସମ୍ବାଦ’ ଆଶଙ୍କା ସତ ହେଲା, ଉପଭୋକ୍ତାଙ୍କ ମୁଣ୍ଡରେ ଲଦିଲେ ୧୬୩ କୋଟି

Advertisment
ବିଦ୍ୟୁତ୍‌ ଦର ବୃଦ୍ଧିର ଗୁମର ଖୋଲୁଛି: ଚାପରେ ବଦଳୁଛି ସ୍ୱର

extremetech.com

ବିଦ୍ୟୁତ୍‌ ପାଇଁ ଆବେଦନରେ ଦିନଟିଏ ବିଳମ୍ବ କରିଦେଲା ଗ୍ରିଡ୍‌କୋ
ଆୟୋଗଙ୍କ ନିର୍ଦେଶକୁ ଆଳ କରି ଫାଙ୍କିଦେଲା ବେଦାନ୍ତ
ବର୍ଷର ପ୍ରଥମ ତିନି ମାସ ଶସ୍ତା ବିଦ୍ୟୁତ୍‌ ପାଇବନି ସାରା ଓଡ଼ିଶା
ଦ୍ୱାରସ୍ଥ ହୋଇଥିଲା ଗ୍ରିଡକୋ; ଆୟୋଗ ବେଦାନ୍ତ ସପକ୍ଷରେ କହିଲେ

ଭୁବନେଶ୍ୱର  : ବିଦ୍ୟୁତ ଆବଶ୍ୟକତା ସଂକ୍ରାନ୍ତ ଆବେଦନରେ ମାତ୍ର ଦିନଟିଏ ବିଳମ୍ବ କରିଦେଲା ଗ୍ରିଡକୋ। ଆଉ ଏହାକୁ ଆଳ କରି ବହୁ ରାଷ୍ଟ୍ରୀୟ କଂପାନି ବେଦାନ୍ତ ୨୦୨୨ ବର୍ଷର ପ୍ରଥମ ତିନିମାସ (ଜାନୁଆରିରୁ ମାର୍ଚ୍ଚ) ଲାଗି ରାଜ୍ୟକୁ ଶସ୍ତା ବିଦ୍ୟୁତ ଦେବାକୁ ମନା କରିଦେଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଏହି ମାମଲାର ତୁରନ୍ତ ଶୁଣାଣି କରିଥିଲେ ହେଁ ଯେଉଁ ରାୟ ଶୁଣାଇଛନ୍ତି, ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବେଦାନ୍ତ ସପକ୍ଷରେ ଯାଇଛି।

ଅତି ସରଳ ଭାବେ କହିଲେ ବେଦାନ୍ତର ସ୍ବାର୍ଥ ସୁରକ୍ଷା ପାଇଁ ଯେଉଁ ପେଞ୍ଚ ହୋଇଥିଲା, ରାଜ୍ୟର ଲକ୍ଷ ଲକ୍ଷ ଗ୍ରାହଙ୍କୁ ତାର ପ୍ରଥମ ଝଟ୍‌କା ଲାଗିଛି। ଓଡ଼ିଶାର ବିଦ୍ୟୁତ ଗ୍ରାହକ ଏବେ ପାଖାପାଖି ୧୬୩ କୋଟିର ଆର୍ଥିକ ବୋଝ ମୁଣ୍ଡାଇବେ।

ତେବେ ଗ୍ରିଡକୋ ଓଇଆରସିର ନିର୍ଦେଶନାମା ସଂପର୍କରେ ଅବଗତ ଥିବା ସତ୍ତ୍ବେ କାହିଁକି ଓ କାହା ସ୍ବାର୍ଥରେ ଅଧିକାରୀମାନେ ସମୟ ସୀମା ଭିତରେ ଆବେଦନ କଲେ ନାହିଁ? ଏ ଦାୟିତ୍ବଟି କାହା ଉପରେ ନ୍ୟସ୍ତ ରହିଥିଲା? ସଂପୃକ୍ତ ଅଧିକାରୀଙ୍କ ଉପରେ ରାଜ୍ୟ ସରକାର ଉତ୍ତରଦାୟିତ୍ବ ନ୍ୟସ୍ତ କଲେଣି କି? କେଉଁ କେଉଁ ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଏଭଳି ମାଳ ମାଳ ପ୍ରଶ୍ନ ଏବେ ବିଭିନ୍ନି ମହଲରେ ଉଠିଲାଣି।

publive-image Ommcom News

ଏଠାରେ ସ୍ମରଣଯୋଗ୍ୟ, ବେଦାନ୍ତ ସଂକ୍ରାନ୍ତରେ ଓଇଆରସିଙ୍କ ନିର୍ଦେଶନାମା ସାମ୍ନାକୁ ଆସିବା ପରେ ଗତ ଅକ୍ଟୋବର ୩୦ ତାରିଖରେ ‘ସମ୍ବାଦ’ ଏନେଇ ଆଶଙ୍କା ବ୍ୟକ୍ତ କରିଥିଲା।ଏବେ ତାହା ଶହେ ପ୍ରତିଶତ ସତ ହୋଇଛି। ଯୋଜନାବଦ୍ଧ ଭାବେ ତିଆରି କରାଯାଇଥିବା ଗଳାବାଟରେ ବେଦାନ୍ତ ଗଳିଯାଇଛି ଓ ଗ୍ରିଡକୋ ଏବେ ଜଳକା। ଅତ୍ୟନ୍ତ ବେଫିକର ଭାବେ ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସମସ୍ତେ ମିଳିମିଶି ଦଳିଚକଟି ଦେଇଛନ୍ତି।

୨୦୧୮ ମସିହାରେ ନିୟାମକ ଆୟୋଗ ନିକଟରେ ବେଦାନ୍ତ ଗୋଟିଏ ଆବେଦନ କରିଥିଲା। ଏଥିରେ କଂପାନି ଜଣାଇଥିଲା ଯେ ଆଇପିିପିରୁ ଉତ୍ପାଦିତ ସମସ୍ତ ବିଦ୍ୟୁତ କେବଳ ସେମାନଙ୍କୁ ବ୍ୟବହାର ଲାଗି ଅନୁମତି ଦିଆଯାଉ। ଏହି ମାମଲାରେ ସରକାର ପକ୍ଷଭୁକ୍ତ ଥିଲେ ଓ ଗ୍ରିଡକୋ ବି। ମାମଲାର ରାୟ ଶୁଣାଇ ଗତ ଅକ୍ଟୋବର ୫ ତାରିଖରେ ଆୟୋଗ ଉପଭୋକ୍ତାଙ୍କ ସ୍ବାର୍ଥର ଦ୍ବାହି ଦେଇ କହିଥିଲେ; ଲକ୍ଷ୍ୟ କରାଯାଉଛି ଯେ ଗତ ଦୁଇବର୍ଷ ଧରି ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରହିଛି। ଆସନ୍ତା ପା଼ଞ୍ଚବର୍ଷ ପର୍ଯ୍ୟନ୍ତ ମଧ୍ୟ ବଳକା ରହିପାରେ। ଏଣୁ ଚୁକ୍ତି ଅନୁସାରେ, ବେଦାନ୍ତ କଂପାନିରୁ ଯେଉଁ ବିଦ୍ୟୁତ ଓଡ଼ିଶାର ପ୍ରାପ୍ୟ (ବେଦାନ୍ତ ପ୍ରତିବର୍ଷ ରାଜ୍ୟକୁ ଉତ୍ପାଦିତ ବିଦ୍ୟୁତର ୩୦ ଭାଗ ଯୋଗାଇବା କଥା) ତାହା ଗ୍ରିଡକୋ ଖାତାରେ ହିସାବକୁ ଗଲେ, ଏହାର ପ୍ରଭାବ ବିଦ୍ୟୁତ ଦର ଧାର୍ଯ୍ୟ ବେଳେ ପଡୁଛି ଓ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ମହଙ୍ଗା ହେଉଛି। ଉପଯୋଗ ବିନା ବଳକା ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବୋଝ ପାଲଟିବ। ଏଣୁ ବେଦାନ୍ତର ଦୁଇ ନମ୍ବର ୟୁନିଟରୁ ଉତ୍ପାଦିତ ବିଦ୍ୟୁତ ବି ଏଣିକି କଂପାନି ନିଜେ ବ୍ୟବହାର କରିପାରିବ। ଅର୍ଥାତ୍ ବେଦାନ୍ତ ସହିତ ହୋଇଥିବା ବିଦ୍ୟୁତ ଚୁକ୍ତିକୁ ଆୟୋଗ ଏକରକମ୍ ବାତିଲ୍ କରିଦେଇଥିଲେ।

ସେବେ ଓଡ଼ିଶାକୁ ଆଶ୍ବାସନା ଦେବା ପାଇଁ ରାୟରେ ଆୟୋଗ କହିଥିଲେ ଯେ ଯଦି ରାଜ୍ୟରେ କେବେ ନିଅଣ୍ଟିଆ ଅବସ୍ଥା ସୃଷ୍ଟି ହୁଏ, ତେବେ ସରକାର ତିନିମାସ ପୂର୍ବରୁ କଂପାନିକୁ ଅନୁରୋଧ କରିବେ। ହେଲେ ଜାନୁଆରିରୁ-ମାର୍ଚ୍ଚ ଭିତରେ ପ୍ରଥମ ତିନିମାସ ପାଇଁ ଆୟୋଗଙ୍କ ନିର୍ଦେଶ ପ୍ରକାଶ ପାଇବାର ଏକମାସ ମଧ୍ୟରେ ଆବେଦନ କରିବାକୁ ହେବ।

publive-image New Indian Express

ସେତେବେଳେ ବିଦ୍ୟୁତ ବିଶେଷଜ୍ଞମାନେ ଏଭଳି ନିର୍ଦେଶକୁ ଦେଖି ତାଜୁବ୍ ହୋଇଥିଲେ। ଗ୍ରିଡକୋ ନିରବ ରହିଥିଲା। ରାଜ୍ୟ ସରକାର ଜାଣି ନ ଜାଣିବା ଭଳି ବ୍ୟବହାର କରିଥିଲେ। ଲୋକଙ୍କ ସ୍ବାର୍ଥ ବିରୋଧରେ ଏତେ ବଡ଼ ଷଡ୍‌ଯନ୍ତ୍ର ଆରମ୍ଭ ହୋଇଛି, ଏକଥା ଜାଣି ବି ରାଜନୈତିକ ଦଳପତିମାନେ ମୁହଁ ଖୋଲିନଥିଲେ।

ଏବେ ମିଳିଥିବା ଖବର ଅନୁସାରେ, ୨୦୨୨ ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ତିନିମାସର ବିଦ୍ୟୁତ ଲାଗି ଆୟୋଗଙ୍କ ନିର୍ଦେଶ ଅନୁସାରେ ଗ୍ରିଡକୋ ଗତ ନଭେମ୍ବର ୪ ତାରିଖ (ନିର୍ଦେଶନାମା ଅକ୍ଟୋବର ୫ ତାରିଖରେ ପ୍ରକାଶ ପାଇଥିଲା) କିମ୍ବା ଏହା ପୂର୍ବରୁ ବେଦାନ୍ତ କଂପାନିକୁ ଜଣାଇବା କଥା। ମାତ୍ର ଗ୍ରିଡକୋ ଦିନଟିଏ ବିଳମ୍ବରେ ଅର୍ଥାତ୍ ନଭେମ୍ବର ୫ ତାରିଖରେ ବିଦ୍ୟୁତ ଚାହିଦା ସଂକ୍ରାନ୍ତରେ ବେଦାନ୍ତକୁ କହିଥିଲା। ସମୟ ଅବଧି ଭିତରେ ଆବେଦନ ହୋଇନଥିବା ପରିପ୍ରେକ୍ଷୀରେ ବେଦାନ୍ତ ଗ୍ରିଡକୋର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଲା। ପରିଣାମ ହେଲା ଓଡ଼ିଶା ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହି କଂପାନିରୁ ପାଇବାକୁ ଥିବା ୭୫୧ନିୟୁତ ୟୁନିଟ୍ ଆଉ ପାଇବ ନାହିଁ। ଏହା ବିରୋଧରେ ଗ୍ରିଡକୋ ଆୟୋଗଙ୍କ ନିକଟକୁ ଯାଇଥିଲା ଓ ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଥିଲା। ଏଥିରେ ଆୟୋଗ ଆଗକୁ ଆସି କହିଛନ୍ତି ଯେ ଗ୍ରିଡକୋ ତାଙ୍କ ନିର୍ଦେଶକୁ ଖିଲାପ କରିଛି। ଏଣୁ ବେଦାନ୍ତକୁ ଦୋଷ ଦେଇ ହେବ ନାହିଁ।

ଉଲ୍ଲେଖଥାଉକି, ଗ୍ରିଡକୋ ବେଦାନ୍ତ ଠାରୁ ଶସ୍ତାରେ ଅର୍ଥାତ୍ ୟୁନିଟ୍ ପିଛା ୨ ଟଙ୍କା ୫୨ ପଇସାରେ ବିଦ୍ୟୁତ ପାଇଥାନ୍ତା। ଏବେ କଂପାନି ମନା କରିଦେବା ପରେ ଏହି ଅଭାବକୁ ପରିଶୋଧ କରିବା ଲାଗି ଏନଟିପିସିର ଫର୍‌କା ଏବଂ କାଲଗାଁଓ ବିଦ୍ୟୁତ ଷ୍ଟେସନରୁ ଅଧିକ ମୂଲ୍ୟରେ ସମାନ ପରିମାଣର ବିଦ୍ୟୁତ କିଣିବ। ଅର୍ଥାତ୍ ୟୁନିଟ୍ ପିଛା ୪ ଟଙ୍କା ୬୯ ପଇସା ଦର ଦେବାକୁ ପଡ଼ିପାରେ। ଏମିତି ହେଲେ ୨ଟଙ୍କା ୧୭ ପଇସା ହିସାବରେ ୭୫୧ ନିୟୁତ ୟୁନିଟ୍ ପାଇଁ ପାଖାପାଖି ୧୬୩ କୋଟି ଟଙ୍କାର ଅଧିକ ଗଣିବ। ଅନ୍ୟଥା ପାଵାର ଏକ୍ସଚେଞ୍ଜରୁ ମହଙ୍ଗା ବିଦ୍ୟୁତ (ୟୁନିଟ ପିଛା ୪ଟଙ୍କା ୭୫ ପଇସା)କିଣିବାକୁ ପଡ଼ିପାରେ। ତେବେ ଏ ଅତିରିକ୍ତ ବିଦ୍ୟୁତ ଦର ବୋଝ ଉପଭୋକ୍ତା ହିଁ ମୁଣ୍ଡାଇବେ।

publive-image pe.gatech.edu

୨୦୦୬ ମସିହାରେ ବେଦାନ୍ତ କଂପାନି ଝାରସୁଗୁଡାଠାରେ ୬ଶହ ମେଗାଵାଟ ଉତ୍ପାଦନ କ୍ଷମତାର ୪ଟି ୟୁନିଟ୍ (ମୋଟ ୨୪୦୦ ମେଗାଵାଟ) ସ୍ବାଧୀନ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (ଆଇପିପି) ପ୍ରତିଷ୍ଠା କରିଥିଲା। ରାଜ୍ୟ ସରକାର ଏଥିପାଇଁ ସୁଲଭ ମୂଲ୍ୟରେ ଜମି, ପାଣି,କୋଇଲା, ଜଙ୍ଗଲ ମଞ୍ଜୁରୀ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ଏବଂ ବେଦାନ୍ତ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏଥିରେ କୁହାଯାଇଥିଲା, ବେଦାନ୍ତ ପ୍ରତିବର୍ଷ ରାଜ୍ୟକୁ ଉତ୍ପାଦିତ ବିଦ୍ୟୁତର ୩୦ ଭାଗ ଯୋଗାଇବ। ନିଜେ ଓଇଆରସି ବି ୨୦୧୩ ମସିହାରେ ଏହାକୁ ଅନୁମୋଦନ କରିଥିଲେ।

ପରବର୍ତ୍ତୀ ସମୟରେ ବେଦାନ୍ତ କଂପାନି ତାର ଆଲୁମିନିୟମ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି କରିଥିଲା ଏବଂ ନିଜ ଦ୍ବାରା ସ୍ଥାପିତ ସ୍ବାଧୀନ ବିଦ୍ୟୁତ କେନ୍ଦ୍ର (ଆଇପିପି)ରୁ ଚାହିଦା ମୁତାବକ ବିଦ୍ୟୁତ ବ୍ୟବହାର ପାଇଁ ଆୟୋଗଙ୍କୁ ଅନୁମତି ମାଗିଥିଲା। ୨୦୧୬ ମସିହାରେ ଓଇଆରସି ବେଦାନ୍ତର ଏହି ଆବେଦନକୁ ବିଚାରକୁ ନେଇ କହିଥିଲେ ଯେ ରାଜ୍ୟ ସରକାରଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ବେଦାନ୍ତର ଦୁଇ ନମ୍ବର ୟୁନିଟ୍ (୬୦୦ ମେଗାଵାଟ) ସମ୍ପୂର୍ଣ୍ଣ ସମର୍ପିତ ରହିବ। ବାକି ତିନିଟି ୟୁନିଟରୁ ଉତ୍ପାଦିତ ବିଦ୍ୟୁତ ବେଦାନ୍ତ ନିଜ ପାଇଁ ବ୍ୟବହାର କରିପାରିବ। ଏହି ସମୟରେ ଆୟୋଗ ଆହୁରି ସର୍ତ୍ତ ରଖିଥିଲେ ଯେ ଯଦି ଦୁଇ ନମ୍ବର ୟୁନିଟରୁ ରାଜ୍ୟର ପ୍ରାପ୍ୟ ଭରଣା ନ ହୁଏ ତେବେ କଂପାନି ତାର ନିଜସ୍ବ ଅନ୍ୟ ୟୁନିଟରୁ ବଳକା ବିଦ୍ୟୁତ ଭରଣା କରିବାକୁ ବାଧ୍ୟ ହେବେ। ହେଲେ ଗତ ଅକ୍ଟୋବର ୫ ତାରିଖରେ ଆୟୋଗ ବେଦାନ୍ତକୁ ଏ ସର୍ତ୍ତରୁ ବି ମୁକ୍ତ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe