Biju Janata Dal Odisha (BJD) | Political Party In Odisha
ଭୁବନେଶ୍ୱର: ଓଡ଼ିଶାଠାରୁ ତାମିଲନାଡୁରେ ଶସ୍ତାରେ ବିଜୁଳି ମିଳୁଥିବା ନେଇ ବିଜେପି କହି ଆସୁଥିବାବେଳେ ଆଜି ବିଜେଡି ଏହାକୁ ଖଣ୍ଡନ କରିଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବାସ୍ତବରେ ଓଡ଼ିଶାର ବିଜୁଳି ଦର ବିଜେପି ଶାସିତ ରାଜ୍ୟମାନଙ୍କ ବିଜୁଳି ଦର ଠାରୁ କମ୍। ଶ୍ରୀ ମିଶ୍ର ବିଭିନ୍ନ ରାଜ୍ୟର ତୁଳନାତ୍ମକ ବିଜୁଳି ଦର ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ବିଜେପିର ଶୀର୍ଷ ନେତୃତ୍ୱ ଏହି ମିଥ୍ୟା ତଥ୍ୟ ଉଦ୍ଦେଶ୍ୟମୂଳକ ଭାବେ ପରିବେଷଣ କରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ କିଛି ଭୋଟ୍ ହାତେଇବାକୁ ପ୍ରୟାସ କରୁଛନ୍ତି।
ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାରେ ବିଜୁଳି ଉତ୍ପାଦନ ମୁଖ୍ୟତଃ ପବ୍ଲିକସେକ୍ଟର ଅଣ୍ଡରଟେକିଂ ସଂସ୍ଥା ଯଥା ଏନ୍ଟିପିସି ଦ୍ୱାରା କରାଯାଇଥାଏ। ଭାରତ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଜୁଳି ମଧ୍ୟରୁ ବଳକା ବିଜୁଳି ଜାତୀୟ ଗ୍ରୀଡ଼କୁ ପ୍ରଦାନ କରାଯାଇଥାଏ ଓ ସେଣ୍ଟ୍ରାଲ ଇଲେକଟ୍ରିସିଟି ରେଗୁଲେଟରି କମିସନ (ସିଇଆର୍ସି) ଏହାକୁ ବିଭିନ୍ନ ବିଦ୍ୟୁତ ନିଅଣ୍ଟ ରାଜ୍ୟକୁ ସେମାନଙ୍କ ଚାହିଦା ଅନୁଯାୟୀ ପ୍ରଦାନ କରିଥାଏ। ଏହି ସଂସ୍ଥା ଦ୍ୱାରା ବିଦ୍ୟୁତ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଓଡ଼ିଶାରେ ଏନ୍ଟିପିସି ମାଧ୍ୟମରେ ପ୍ରାୟ ୪୬୦୦ ୟୁନିଟ ବିଜୁଳି ଉତ୍ପାଦନ ହେଉଥିବାବେଳେ, ଓଡ଼ିଶାକୁ ମାତ୍ର ୧୩୫୮ ୟୁନିଟ ବିଜୁଳି ମିଳିଥାଏ। ବଳକା ବିଜୁଳି ସିଇଆରସି ମାଧ୍ୟମରେ ଅନ୍ୟ ରାଜ୍ୟଙ୍କୁ ପ୍ରଦାନ କରାଯାଇଥାଏ। କେଉଁ ରାଜ୍ୟକୁ କେତେ ବିଜୁଳି ଦିଆଯିବ ଓ ଏହାର ୟୁନିଟ ପିଛା ମୂଲ୍ୟ କେତେ ରହିବ ତାହା ସିଇଆରସି ଦ୍ୱାରା ନିର୍ଦ୍ଧାରଣ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ କରାଯାଇଥିବା ଅଭିଯୋଗ କପଳୋକଳ୍ପିତ।
ଶ୍ରୀ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ଲାଗୁ ହୋଇଥିବା ବିଜୁଳି ଦର ବିଜେପି ଶାସିତ ରାଜ୍ୟଙ୍କ ତୁଳନାରେ କମ୍। ଓଡ଼ିଶାରେ ପ୍ରତି ୟୁନିଟ ବିଜୁଳି ୪ଟଙ୍କା ୬୨ ପଇସାରେ ମିଳୁଥିବାବେଳେ ମଧ୍ୟପ୍ରଦେଶରେ ୫ଟଙ୍କା ୭୩ ପଇସା, ଆସାମରେ ୭ ଟଙ୍କା ୮୦ ପଇସା, ରାଜସ୍ଥାନରେ ୮ ଟଙ୍କା ୩୮ ପଇସା, ବିହାରରେ ୯ ଟଙ୍କା ୮୭ ପଇସା, ମହାରାଷ୍ଟ୍ରରେ ୬ ଟଙ୍କା ୭୪ ପଇସାରେ ଓ ଉତ୍ତରପ୍ରଦେଶରେ ୯ ଟଙ୍କା ୮୮ ପଇସାରେ ମିଳୁଛି। ଓଡିଶାରେ ଶିଳ୍ପାୟନ ବଢ଼ୁଥିବାରୁ ବିଜୁଳି ଆବଶ୍ୟକତା ବଢ଼ୁଛି। ଏହି ପରିପ୍ରେକ୍ଷୀରେ, ଓଡ଼ିଶାର ବର୍ଦ୍ଧିତ ବିଜୁଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ନିକଟରେ ଦାବି ଜଣାଇ ଆସୁଛନ୍ତି ବୋଲି ସେ କହିଛନ୍ତି।
Follow Us