image source-The economic times
ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ସମସ୍ତ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି। ଏହା ସହ ବିଦ୍ୟୁତ ରାଜସ୍ବ ଆଦାୟରେ ମଧ୍ୟ ଉନ୍ନତି ଘଟିଛି। ଗତକାଲି ଶକ୍ତି ବିଭାଗର ଏକ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। ଶିଳ୍ପ ବିଭାଗ ସହ ଶକ୍ତି ବିଭାଗର ବୈଠକ ଆୟୋଜନ କରି ଶକ୍ତି ସମ୍ବନ୍ଧୀୟ ଓ ରାଜସ୍ବ ଆଦାୟ ଜନିତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଛି। ବୈଠକରେ ଅଧ୍ୟକ୍ଷତା କରି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ୍ରେ ପ୍ରକୃତ ସମୟ ତଥ୍ୟ ସଂଗ୍ରହ ବ୍ୟବସ୍ଥା (ଆର୍ଟି-ଡିଏଏସ୍) ସ୍ଥାପନ ଖୁବ୍ ଶୀଘ୍ର କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣାଗୁଡ଼ିକର କ୍ଷତିପୂରଣ ବାବଦରେ ସମୀକ୍ଷା କରାଯାଇଥିଲା। ଘଟୁଥିବା ଦୁର୍ଘଟଣାରୁ ୯୦ ପ୍ରତିଶତ ମନୁଷ୍ୟକୃତ ତ୍ରୁଟି ପାଇଁ ହେଉଥିବା ଯୋଗୁ ଭବିଷ୍ୟତରେ ଏହାକୁ ହ୍ରାସ କରିବା ଦିଗରେ ଅଧିକ ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଶେଷ ଭାବେ ୧୧ କେଭି ଏବଂ ଏଲ୍ଟି ସିଷ୍ଟମ୍ରେ ଦୁର୍ଘଟଣା ଘଟୁଥିବାରୁ ବିଦ୍ୟୁତ ସୁରକ୍ଷା ତାଲିମ, ସୁରକ୍ଷା ଯାଞ୍ଚ୍, କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ବିଦ୍ୟୁତ ସୁରକ୍ଷା ଉପରେ ବିଭିନ୍ନ ପ୍ରସ୍ତାବ ଦେଇ ସୁରକ୍ଷା ସମ୍ପର୍କିତ ମାସିକ କିମ୍ବା ତ୍ରୈମାସିକ ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ବ ଦେଇଥିଲେ। ଏହି ଭର୍ଚୁଆଲ୍ ବୈଠକରେ ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
Follow Us